ଚିକିତ୍ସାରେ ଅବହେଳା କରି ମାରିଦେଲେ!

ବକେୟା ଟଙ୍କା ଦାବି କରି ଶବ ଛାଡ଼ିଲେନି, ବ୍ଲୁ ହ୍ବିଲ୍‌ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ବର : ଆବଶ୍ୟକ ଟଙ୍କା ଜମା ନକଲେ ଚିକିତ୍ସା ସେବା ମିଳିବ ନାହିଁ। ଏମିତିକି ରୋଗୀକୁ ଔଷଧ ବି ମିଳିବ ନାହିଁ। ଆରମ୍ଭରୁ ସିଧାସଳଖ ଏମିତି ଧମକ ଦେଲେ। ଶେଷରେ ହସ୍ପିଟାଲ କର୍ତ୍ତୃପକ୍ଷ ସେୟା ବି କଲେ। ଧାର୍ଯ୍ୟ ୬୦ ହଜାର ଟଙ୍କା ଜମା କରିବା ବଦଳରେ ରୋଗୀଙ୍କ ସମ୍ପର୍କୀୟ ମରିପଡ଼ି ୨୦ ହଜାର ଟଙ୍କା ଜମା କରିବାକୁ ସକ୍ଷମ ହୋଇଥିଲେ। ତଥାପି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମନରେ ଦୟାମାୟା ହେଲା ନାହିଁ। ସତକୁ ସତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ନକରି ମାରିଦେଲେ। ଆଜି ବ୍ଲୁ ହ୍ବିଲ୍‌ ହସ୍ପିଟାଲ ବିରୋଧରେ ଏମିତି ସଂଗିନ୍ ଅଭିଯୋଗ ଆସିଛି। ଏମିତିକି ବକେୟା ୭୫ ହଜାର ଟଙ୍କା ନଦେଲେ ଶବ ଛାଡ଼ିନଥିବାରୁ ପରିବାର ଲୋକେ ହସ୍ପିଟାଲ ବାରଣ୍ଡାରେ ଧାରଣା ଦେଇଛନ୍ତି। ଏନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି ଓ ପୁଲିସ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାମଲାର ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ବୁଝାସୁଝା ଚଳାଇଥିବା ଜଣାପଡ଼ିଛି।

ଖୋର୍ଦ୍ଧା ଡାଳତୋଳା ଅଞ୍ଚଳର ଜୟନ୍ତ ସ୍ବାଇଁ(୪୯) ଗତ ୨ ତାରିଖ ଦିନ ଅସୁସ୍ଥ ହୋଇ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଥିଲେ। ୩ ତାରିଖରେ ପରିବାର ଲୋକେ ତାଙ୍କୁ ବ୍ଲୁ ହ୍ବିଲ୍‌ ହସ୍ପିଟାଲକୁ ଆଣିଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା। ଆଜି ସାଢ଼େ ୪ଟା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଜୟନ୍ତଙ୍କ ସମ୍ପର୍କୀୟଙ୍କୁ ୬୦ ହଜାର ଟଙ୍କା ଦାବି କରିଥିଲେ। ପରିବାର ଲୋକେ ୨୦ ହଜାର ଟଙ୍କା ଜମା କଲେ। କିନ୍ତୁ ବାକି ଟଙ୍କା ଜମା ନକଲେ, ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯିବ ନାହିଁ କି ଔଷଧ ମିଳିବ ନାହିଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସିଧାସଳଖ ଧମକ ଦେଇଥିଲେ। ଏହା ପରେ ପରେ ୫ଟା ବେଳେ ଜୟନ୍ତଙ୍କୁ ମୃତ ଘୋଷଣା କରାଗଲା ଓ ଶବ ଛାଡ଼ିବା ପ‌ାଇଁ ୭୫ହଜାର ଟଙ୍କା ଦାବି କରାଗଲା। କିଛି ସମୟ ପୂର୍ବରୁ ଚିକିତ୍ସା ପାଇଁ ଟଙ୍କା ଜମା କରାଇବା ପରେ ରୋଗୀଙ୍କୁ ମୃତ ଘୋଷଣା କରିବା ପରିବାର ଲୋକଙ୍କୁ ସନ୍ଦେହ ଭିତରକୁ ଟାଣି ନେଇଥିଲା। ତେଣୁ ଚିକିତ୍ସାରେ ଅବହେଳା କରି ତାଙ୍କ ଭାଇଙ୍କୁ ମାରିଦେଲେ ବୋଲି ହେମନ୍ତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର