ସ୍ବତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ନମିଳିବାରୁ ତାତିଲେ କିନ୍ନର

ଏଣିକି କ୍ୟାପିଟାଲ ହସ୍ପିଟାଲରେ ହେବ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ କିନ୍ନରମାନଙ୍କ ସ୍ବତନ୍ତ୍ର ସଂରକ୍ଷଣ, ଟିକେଟ୍‌ କାଉଣ୍ଟର୍‌, ଶୌଚାଳୟ, ଶଯ୍ୟା ଦାବି କରି ଆଜି ୪୦ରୁ ଊର୍ଦ୍ଧ୍ୱ କିନ୍ନର ହସ୍ପିଟାଲ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ଏହାକୁ ନେଇ ହସ୍ପିଟାଲରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ଅନୁଯାୟୀ, ଆଜି ଦିନ ୧୧ଟାରେ ଜଣେ କିନ୍ନର କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ତେବେ ଟିକେଟ୍‌ କାଉଣ୍ଟର୍‌ ପାଖରେ ଥିବା କିଛି ଲୋକ ତାଙ୍କୁ ଖରାପ ବ୍ୟବହାର କରିଥିବା ସେ ଅଭିଯୋଗ କରିଥିଲେ। ଏହାର କିଛି ସମୟରେ ପରେ ସେଠାରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ କିନ୍ନର ପହଞ୍ଚି ଆନ୍ଦୋଳନ କରିବା ସହିତ ହସ୍ପିଟାଲ କର୍ତୃପକ୍ଷଙ୍କ ସହ ବଚସା କରିଥିଲେ। ପରେ ପୁଲିସ୍ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ସେମାନଙ୍କୁ ହସ୍ପିଟାଲର ନିର୍ଦ୍ଦେଶକଙ୍କ ପାଖକୁ ପଠାଇଥିଲେ। ହସ୍ପିଟାଲ ନିର୍ଦ୍ଦେଶକ ସେମାନଙ୍କ ପାଇଁ ସ୍ବତନ୍ତ୍ର ସଂରକ୍ଷଣ ଦେବାକୁ ପ୍ରତିଶ୍ରୁତି ଦେବା ସହ ୪ଟି ଶଯ୍ୟା ସେମାନଙ୍କ ପାଇଁ ସଂରକ୍ଷିତ ଥିବା କହିଥିଲେ। ଏହାସହ ଟି‌କେଟ୍‌ କାଉଣ୍ଟର୍‌ରେ କିନ୍ନରମାନଙ୍କ ପାଇଁ ସଂରକ୍ଷଣ ଥିବା ଆଶ୍ବାସନା ଦେବା ପରେ ସେମାନେ ଆନ୍ଦୋଳନରୁ ହଟିଥିଲେ। ଆଗାମୀ ଦିନରେ କିନ୍ନରମାନଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲ ପରିସରରେ ସ୍ବତନ୍ତ୍ର ଶୌଚାଳୟ ଓ ୱାର୍ଡ ନିର୍ମାଣ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

୬୦% ବକେୟା ଟଙ୍କା ପଇଠ ‌କଲେଣି ଦୋକାନୀ
କ୍ୟାପିଟାଲ ହସ୍ପିଟାଲର ୟୁଟିଲିଟି କମ୍ପ୍ଲେକ୍ସ ବଳକା ୪୦%କୁ କିସ୍ତିରେ ଶୁଝିବେ
ଭୁବନେଶ୍ବର : ଗତ ମାସ ୨ ତାରିଖରେ କ୍ୟାପିଟାଲ ହସ୍ପିଟାଲର କାର୍ଯ୍ୟକାରୀ ପରିଷଦ ବୈଠକରେ ୟୁଟିଲିଟି କମ୍ପ୍ଲେକ୍ସର ବକେୟା ପଡ଼ିଥିବା ୩୩ ଲକ୍ଷ ଟଙ୍କାକୁ ଆଦାୟ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ବର୍ଷବର୍ଷ ଧରି ଏତେ ପରିମାଣର ଟଙ୍କା କିଭଳି ବକେୟା ରହିଲା, ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ହେଲେ ଏହି ନିଷ୍ପତ୍ତି ୧ ମାସ ଭିତରେ ୬୦ ପ୍ରତିଶତ ବଳକା ଅର୍ଥ ଦୋକାନୀମାନେ ପଇଠ କରିଥିବା ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି। ବାକିି ୪୦ ପ୍ରତିଶତ ଅର୍ଥକୁ ସେମାନେ କିସ୍ତି ଆକାରରେ ଶୁଝିବେ ବୋଲି କହିଛନ୍ତି।

ହସ୍ପିଟାଲର ୟୁଟିଲିଟି କ‌‌ମ୍ପ୍ଲେକ୍ସରେ ଥିବା ଦୋକାନୀଙ୍କ ଉପରେ ୩୩ ଲକ୍ଷ ଟଙ୍କା ବାକି ପଡ଼ିଥିବା ନେଇ ବୈଠକରେ ଚିନ୍ତା ପ୍ରକଟ କରାଯାଇଥିଲା। ହେଲେ ଦୀର୍ଘବର୍ଷ ଧରି ବକେୟା ଟଙ୍କା ଦେଉ ନଥିବା ଦୋକାନୀମାନେ ଏବେ ଟଙ୍କା ଦେବା ଆରମ୍ଭ କରିଛନ୍ତି। ୟୁଟିଲିଟି କମ୍ପ୍ଲେକ୍ସ‌ରେ ଥିବା ୯୦ ପ୍ରତିଶତ ଦୋକାନୀ ସେମାନଙ୍କ ବକେୟା ପ୍ରଦାନ କରିଛନ୍ତି। ତେବେ କରୋନା ସମୟରେ ଏକକାଳୀନ ଏତେ ଟଙ୍କା ପ୍ରଦାନ କରିବା କଷ୍ଟକର ରହିଥିବାରୁ ବକେୟା ଅର୍ଥକୁ କିସ୍ତିରେ ପ୍ରଦାନ କରିବା ଲାଗି କହିଛନ୍ତି। କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ଦୋକାନୀମାନେ ବଳକା ଟଙ୍କା ପଇଠ କଲେଣି। ଏହି ଟଙ୍କାକୁ ରୋଗୀ କଲ୍ୟାଣ ସମିତି ଜରିଆରେ ହସ୍ପିଟାଲର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ବିନିଯୋଗ କରାଯିବ। ହସ୍ପିଟାଲରେ ଅନେକ କର୍ମଚାରୀଙ୍କ ମାସିକ ଦରମା ମଧ୍ୟ ଆରକେଏସ୍‌ ଜରିଆରେ ଦିଆଯାଉଛି। ତେଣୁ ଏହି ଅର୍ଥ ସହାୟକ ହେବ ବୋଲି ଡା. ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର