ଧର୍ମପାଲ ଗୁଲାଟିଙ୍କୁ ‘କିସ୍‌ ଜୀବନବ୍ୟାପୀ ସାଧନା ସମ୍ମାନ’

‘ଗାନ୍ଧୀ ଦର୍ଶନର ବାସ୍ତବ ପ୍ରତିଫଳନ’ ଆଲୋଚନାଚକ୍ର

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ କିସ୍‌ ପକ୍ଷରୁ ‘ଗାନ୍ଧୀ ଦର୍ଶନର ବାସ୍ତବ ପ୍ରତିଫଳନ’ ଶୀର୍ଷକ ଆଲୋଚନାଚକ୍ର, ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରତିଷ୍ଠିତ ମସଲା କମ୍ପାନି ଏମ୍‌ଡିଏଚ୍‌ର ପ୍ରତିଷ୍ଠାତା ପଦ୍ମଭୂଷଣ ଏମ୍‌. ଧର୍ମପାଲ ଗୁଲାଟିଙ୍କୁ କିସ୍‌ ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଶ୍ରୀ ଗୁଲାଟିଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ସୁରେଶ କୁମାର ରାଉତରାୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ, ଦାଶ ବେନହୁର, ଗବେଷକ ତଥା ସ୍ତମ୍ଭକାର ଅସିତ ମହାନ୍ତି, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି, ସମାଜସେବୀ ମଧୁସୂଦନ, କିସ୍‌ ଓ କିଟ୍‌ର ସଭାପତି ଶାଶ୍ବତୀ ବଳ, ଉପସଭାପତି ଉମାପଦ ବୋଷ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ସାହିତ୍ୟିକା ପ୍ରବୀଣା ମହାନ୍ତି, ପ୍ରେରଣା ଗ୍ରିନ୍‌ ଆର୍ମିର ମୁଖ୍ୟ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ସୂଚନା କମିସନର ଜଗଦାନନ୍ଦ, ‘ସୁବାର୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଦିଲ୍ଲୀପ ହାଲି, ବିଶ୍ବମୁକ୍ତି ସମ୍ପାଦକ ଶଶାଙ୍କ ଚୂଡ଼ାମଣିଙ୍କ ସମେତ ଅନ୍ୟ ବୁଦ୍ଧିଜୀବୀମାନେ ଗାନ୍ଧୀ ଦର୍ଶନର ପ୍ରତିଫଳନ ବାବଦରେ କହିଥିଲେ। ଗାନ୍ଧୀଜୀଙ୍କ ଅହିଂସା, ଶାନ୍ତି, ସ୍ବଚ୍ଛତା, ସମୟାନୁବର୍ତିତା, କର୍ମନିଷ୍ଠା, ନାରୀ ସଶକ୍ତୀକରଣ, କୁଟୀରଶିଳ୍ପ ସ୍ଥାପନ ବାବଦରେ ବକ୍ତାମାନେ ଆଲୋକପାତ କରିଥିଲେ। ଏହି ଅବସରରେ ଶ୍ରୀ ଗୁଲାଟି କହିଥିଲେ, କିସ୍‌ର ଶିକ୍ଷା ରୂପକ ମହାଯଜ୍ଞ ମତେ ଅଭିଭୂତ କରିଛି। ଆୟୋଜିତ ଏହି ଦିନିକିଆ ‌ଆଲୋଚନାଚକ୍ରରେ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣ ଦେଇଥିଲେ। କିସ୍‌ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଧନ୍ଦାମୂଳକ ତାଲିମ୍‌ପ୍ରାପ୍ତ କିସ୍‌ ପିଲାଙ୍କ ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନ ସହ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ‌ହୋଇଥିଲା।

ସମ୍ବନ୍ଧିତ ଖବର