ସିଂହଦ୍ବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲାଗିବ ଦୀପ

ଦେବଦୀପାବଳି ଅବସରରେ କରୋନାମୁକ୍ତ ବିଶ୍ୱ ପାଇଁ ଦୀପଦାନ

ଭୁବନେଶ୍ୱର : କରୋନାମୁକ୍ତ ତଥା ବିଶ୍ବଶାନ୍ତି ପାଇଁ ଆସନ୍ତା ୧୫ ତାରିଖ ଦିନ ଶ୍ରୀମନ୍ଦିରରେ ଦେବଦୀପାବଳି ପାଳନ ଅବସରରେ ପୁରୀ ବଡ଼ଦାଣ୍ଡ ବ୍ୟବସାୟୀମାନେ ଦୀପଦାନ କରିବେ। ସଂଧ୍ୟା ସାଢ଼େ ୫ରୁ ସାଢ଼େ ୬ଟା ମଧ୍ୟରେ ସିଂହଦ୍ବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଦୀପ ଲଗାଯିବ। ତେବେ ଏହାଦ୍ବାରା ବଡ଼ଦାଣ୍ଡର କୌଣସି ଅଂଶ ଯେପରି ଅବରୋଧ ନ ହେବ, ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ସିଂହଦ୍ବାର ସମ୍ମୁଖରେ ପ୍ରଭୁଙ୍କୁ ଘିଅ ଦୀପ ଓ ବଡ଼ଦାଣ୍ଡରେ ତେଲ ଦୀପଦାନ କରାଯିବ। ଓଡ଼ିଶା ଇଣ୍ଟରନ୍ୟାସନାଲ୍‌ ସେଣ୍ଟର୍‌ ଓ ଶ୍ରୀମନ୍ଦିର ଛତିଶା ନିଯୋଗ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରିବେ। ଓଡ଼ିଶା ଇଣ୍ଟରନ୍ୟାସନାଲ୍‌ ସେଣ୍ଟର୍‌ ପକ୍ଷରୁ ଆଜି ଉତ୍କଳ ସାମ୍ବାଦିକ ସଂଘଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୀପଦାନ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅଶୋକ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଛତିଶା ନିଯୋଗର ନାୟକ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର ଓ ସେବାୟତମାନଙ୍କ ତତ୍ତ୍ବାବଧା‌ନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହେବ। ଏହି ଦୀପ ଦାନ ପାଇଁ ୫୦ଟିଣ ଘିଅ ଓ ୬୦୦ଟିଣ ତେଲ ବ୍ୟବହାର କରାଯିବ। ପୁରୀର ବିଶିଷ୍ଟ ବ୍ୟବସାୟୀ ରାଜକିଶୋର ପାତ୍ର ଦୀପଦାନ କାର୍ଯ୍ୟକ୍ରମର ପ୍ରମୁଖ ଦାୟିତ୍ବ ତୁଲାଉଛନ୍ତି। ଉକ୍ତ ଦିନ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ଦୀପଦାନ କରିବାକୁ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଭୂତି ଭୂଷଣ କର ନିବେଦନ କରିଛନ୍ତି। କାର୍ଯ୍ୟକ୍ରମକୁ ଆର୍ଥିକ ସହାୟତା ଦେବାକୁ ଚାହୁଥିବା ବ୍ୟକ୍ତିବିଶେଷ ଦୀପଦାନ କମିଟି କୋଷାଧ୍ୟକ୍ଷ ଭାବଗ୍ରାହୀ ଶାନ୍ତିଙ୍କୁ ଫୋନ୍‌ ପେ’ ଓ ଗୁଗୁଲ୍‌ ପେ’ ନମ୍ବର: ୯୪୩୭୩୧୮୨୯୯ରେ ଅର୍ଥ ପଠାଇ ପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର