ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ସରିଲା ଜମି ଚିହ୍ନଟ, ନୋଟିସ୍‌ କଲା ବିଏମ୍‌ସି

ଭୁବନେଶ୍ବର : ରାଜଧାନୀର ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ୧୦ଟି ମୁଖ୍ୟ ଡ୍ରେନ୍‌ ଏବଂ ୨ଟି ଶାଖା ଡ୍ରେନ୍‌ର ସମ୍ପ୍ରସାରଣ ପାଇଁ ଅଧିଗ୍ରହଣ ହେବାକୁ ଥିବା ଜମି ଚିହ୍ନଟ ଶେଷ ହୋଇଛି। ଏହା ଉପରେ କାହାର କ’ଣ ଆପତ୍ତି ଅଭିଯୋଗ ଅଛି, ତାହା ଜଣାଇବାକୁ ବିଏମ୍‌ସି ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତିରେ ଜମିର ବିବରଣୀ ରହିଛି। ଚଳିତ ମାସ ୩୦ ତାରିକ ସୁଦ୍ଧା ଜମିମାଲିକ କିମ୍ବା ଆଉ କାହାର କ’ଣ ଅଭିଯୋଗ ରହିଛି, ଲିଖିତ ଭାବେ ବିଏମ୍‌ସି କାର୍ଯ୍ୟାଳୟ କିମ୍ବା ଇ-ମେଲ୍‌ ଜରିଆରେ ଜଣାଇବେ। ଏହା ପରେ ଜମିଗୁଡ଼ିକର ମୂଲ୍ୟାୟନ ଆରମ୍ଭ ହେବ। ମୂଲ୍ୟାୟନ ପରେ ଜମି କିଣାଯାଇ ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଯଦି ଚିହ୍ନଟ ଜମିଗୁଡ଼ିକ ଉପରେ କୌଣସି ପ୍ରକାରର ବିବାଦ ନ ଆସେ, ତେବେ ଡ୍ରେନ୍‌ ନିର୍ମାଣ ଆରମ୍ଭ ହେବାକୁ ଗୋଟିଏ ବର୍ଷ ଲାଗିଯିବ ବୋଲି ଅନୁମାନ କରାଯାଉଛି। ଅର୍ଥାତ୍‌ ଆସନ୍ତା ବର୍ଷାକୁ ଏହି ଡ୍ରେନେଜ୍‌ ସମସ୍ୟା ସମାଧାନ ନ ହୋଇଯିବ ବୋଲି କୁହାଯାଉଛି। ତେବେ ଜମିରେ ବିବାଦ ନଥିଲେ ଯେପରି ପ୍ରକ୍ରିୟା ବିଳମ୍ବ ହେବନାହିଁ, ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରି ରଖାଯାଇଛି। ବିଏମ୍‌ସି କମିସନର୍‌ ସଞ୍ଜୟ ସିଂହ ଏହି ଡ୍ରେନେଜ୍‌ ସମସ୍ୟାକୁ ଗୁରୁତ୍ବର ସହ ନେଇଛନ୍ତି। ଏଣୁ ବିଳମ୍ବ ହେବ ନାହିଁ। ବିପଦପୂର୍ଣ୍ଣ ଡ୍ରେନ୍‌ ପାଖରେ ଲୁହାବାଡ଼ କରାଯାଇଛି। ସେସବୁ ଜାଗା ମଧ୍ୟ ବିପଦମୁକ୍ତ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ଡ୍ରେନ୍‌ ସମ୍ପ୍ରସାରଣ ଯୋଜନା ନୂଆ ନୁହେଁ। ଦୀର୍ଘ ଦିନ ହେବ ଏହି ଯୋଜନା ପଡ଼ି ରହିଥିଲା। ଗତ ସେପ୍ଟେମ୍ବରରେ ନାଳରେ ଭାସି ଜଣେ ଛାତ୍ରଙ୍କର ମୃତ୍ୟୁ ହେବା ପ‌ରେ ବିଏମ୍‌ସି ନିଦ ଭାଙ୍ଗିଥିଲା। ଦୁଇ ଦିନ ଧରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଲ୍ଲାସ୍ତରୀୟ କମିଟି ବୈଠକରେ ଏହା ଉପରେ ଚୂଡ଼ାନ୍ତ ମୋହର ବାଜିବା ପରେ ବିଏମ୍‌ସି ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିଲା। ଜମିର ମୂଲ୍ୟ ବଢ଼ୁଥିବାରୁ ପୂର୍ବରୁ ହୋଇଥିବା ଅଟକଳରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା।

ବିଏମ୍‌ସିର ଯୋଜନା ଅନୁଯାୟୀ, ରାଜଧାନୀର ୧୦ଟି ପ୍ରମୁଖ ଡ୍ରେନ୍, ୨ଟି ଶାଖା ଡ୍ରେନ୍‌, ମୁଖ୍ୟ ଡ୍ରେନ୍‌କୁ ସଂଯୋଗ ହୋଇପାରୁନଥିବା ଡ୍ରେନ୍‌କୁ ସଂଯୋଗ କରିବା ଏବଂ ନିକଟ ଅତୀତରେ ସ୍ବତନ୍ତ୍ର ଟିମ୍‌ ଦ୍ବାରା ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଅଞ୍ଚଳ ପାଇଁ ଜମି ଅଧିଗ୍ରହଣ ହେବାକୁ ଯାଉଛି। ୨୯୯ଟି ଜମିରୁ ପ୍ରାୟ ୧୪ଏକର ଜମି ଅଧିଗ୍ରହଣ ହେବ।

ଦୁଇଟି ପର୍ଯ୍ୟାୟରେ ଏହି ଜମି ଅଧିଗ୍ରହଣ ପ୍ରକ୍ରିୟା ହେବ। ପ୍ରଥମ ପର୍ଯ୍ୟାୟରେ ୧୩ଟି ରାଜସ୍ବ ଗ୍ରାମରେ ୮୩ଟି ଜମିରୁ ପ୍ରାୟ ୭ଏକର ଜମି ଅଧିଗ୍ରହଣ ହେବ। ଏଥିପାଇଁ ୧୧୮କୋଟି ଟଙ୍କା ଖର୍ଚ୍ଚ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୧୧୧ଟି ଜମିରୁ ୭ଏକର ଅଧିଗ୍ରହଣ ହେବ। ଏଥିପାଇଁ ପ୍ରାୟ ୧୦୬ କୋଟି ଖର୍ଚ୍ଚ ହେବ।

 

 

 

 

ତେବେ ଏହା ତ’ ଗଲା ଡ୍ରେନ୍‌ ସମ୍ପ୍ରସାରଣ ବ୍ୟବସ୍ଥା। କିନ୍ତୁ ବଡ଼ ସମସ୍ୟା ହେଉଛି ଡ୍ରେନ୍ ଉପରେ ଥିବା ଜବରଦଖଲ। ବିଏମ୍‌ସି କରିଥିବା ସର୍ଭେ ମୁତାବକ, ୧୭୩ଟି ସ୍ଥାନରେ ଜବରଦଖଲ ରହିଛି। ପ୍ରତିଦିନ ନୂଆ ନୂଆ ବ୍ୟବସାୟୀ ବେପାର ଆରମ୍ଭ କରୁଥିବାରୁ ଜବରଦଖଲକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏହି ଜବରଦଖଲ ନ ହଟିଲେ, ଡ୍ରେନ୍‌ ସମସ୍ୟା ସମାଧାନ ହୋଇପାରିବ ନାହିଁ। ଏହି ଜବରଦଖଲ ପଛରେ ନେତାଙ୍କର ସମର୍ଥନ ଥିବାରୁ ଅନେକ ଜାଗାରେ ବିଏମ୍‌ସି ଉଚ୍ଛେଦ କରିପାରୁନାହିଁ। ଏଣୁ ସମ୍ପ୍ରସାରଣ ହେଲେ ମଧ୍ୟ ଉଚ୍ଛେଦ ନ ହେଲେ ଡ୍ରେନେଜ୍‌ ସମସ୍ୟା ସମାଧାନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର