ସରିଲା ‘ସୁରଭି’, ନିଜ ଗାଁ’କୁ ସ୍ମାର୍ଟ ଗାଁ’ରେ ପରିଣତ କର

ଭୁବନେଶ୍ବର: ଶିଶୁର ମନ କମ୍ପ୍ୟୁଟରଠୁ ବେଶି ସକ୍ରିୟ। ସେ ଚାହିଲେ ସବୁ କିଛି କରିପାରିବ। ଶିକ୍ଷା, ନିଷ୍ଠା, ପରିଶ୍ରମ, ଅଭିଜ୍ଞତା ଓ ଅନୁଭୂତିକୁ ଉପଯୋଗ କରି ସେ ଅନେକ ପରିବର୍ତ୍ତନ ଆଣିପାରିବ। ତେଣୁ ଶିଶୁ ମହୋତ୍ସବ ‘ସୁରଭି’ରୁ ଯେଉଁ ଅଭିଜ୍ଞତା ଓ ଅନୁଭୂତି ନେଇଯାଉଛ, ତାକୁ ନିଜ ଗାଁ’ରେ ଉପଯୋଗ କରିବ। ସ୍ମାର୍ଟ ସିଟିରୁ ଯାହା ଉପଲବ୍ଧି କରିଛ, ସେଇ ଉପଲବ୍ଧିକୁ କାର୍ଯ୍ୟରେ ପରିଣତ କରି ନିଜ ଗାଁ’କୁ ସ୍ମାର୍ଟ କରି ଉଦାହରଣ ସୃଷ୍ଟି କର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍‌ ୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ‘ସୁରଭି’ କାର୍ଯ୍ୟକ୍ରମରେ ଅତିଥିମାନେ ପିଲାମାନଙ୍କ ଏହିଭଳି ମାର୍ଗଦର୍ଶନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖି ଏଠାରୁ ଫେରିବା ପରେ ନେଇ ଯାଉଥିବା ଅଭିଜ୍ଞତା ନିଜ ସାଙ୍ଗସାଥୀଙ୍କ ସହ ବାଣ୍ଟି ଉତ୍ସାହିତ କରିବାକୁ କହିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଓପେପା ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ନିରାପତ୍ତା ଶୀର୍ଷକ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଖୋର୍ଧା ଜିଲ୍ଲା ପ୍ରଥମ, ମାଲକାନଗିରି ଦ୍ୱିତୀୟ, ଦେବଗଡ଼ ତୃତୀୟ ଏବଂ ଝାରସୁଗୁଡ଼ା ଓ ଭଦ୍ରକକୁ ସ୍ୱତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ୩ଦିନିଆ ଏହି ଉତ୍ସବରେ ପ୍ରତି ଜିଲ୍ଲାରୁ ବଛା ହୋଇ ଆସିଥିବା ୩ ହଜାର କୃତୀ ଶିକ୍ଷାର୍ଥୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଛାତ୍ରଛାତ୍ରୀ ୨୦ଟି ପ୍ରଦର୍ଶନୀ ମଣ୍ଡପରେ ବହୁ ଶିକ୍ଷଣୀୟ ପ୍ରଦର୍ଶନର ମଜା ଉଠାଇଥିଲେ।

ସମ୍ବନ୍ଧିତ ଖବର