ଝଲସୁଛି ପୂଜା ମଣ୍ଡପ, ସବୁଠି ଉତ୍ସବର ମାହୋଲ

ଭୁବନେଶ୍ବର: ମା’ ଦୁର୍ଗାଙ୍କ ଆଗମନରେ ପୂରା ରାଜଧାନୀ ଉତ୍ସବମୁଖର ହୋଇଉଠିଛି। ଘଣ୍ଟଘଣ୍ଟାର ପବିତ୍ର ଧ୍ବନି, ଅଗରୁ, ଚନ୍ଦନର ମହମହ ବାସ୍ନା ମଣ୍ଡପରୁ ଭାସି ଆସୁଛି। ପୂଜା ମଣ୍ଡପଗୁଡ଼ିକ ରଙ୍ଗିନ୍‌ ଆଲୋକମାଳାରେ ଝଲସୁଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରସାରା ଭକ୍ତଙ୍କ ଗହଳିଚହଳି ଲାଗି ରହିଛି। ମା’ଙ୍କ ମୃଣ୍ମୟ ମୂର୍ତ୍ତିକୁ ଘଣ୍ଟାଘଣ୍ଟା ଚାହିଁ ରହି ଭକ୍ତ ଆଖିରୁ ଆନନ୍ଦାଶ୍ରୁ ଝରି ଯାଉଛି। ଭକ୍ତଙ୍କ ସୁବିଧା ପାଇଁ ମଧ୍ୟ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି।

ସହିଦ ନଗର ଦୁର୍ଗାପୂଜା ସମିତି
ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ହ୍ବିଲ୍‌ ଚେୟାର

୨ ବର୍ଷ ପରେ ଆଜି ରାଜଧାନୀରେ ପୂଜାର ମାହୋଲ ଦେଖିବାକୁ ମିଳିଛି। ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ହୋଇଛି। ଏଥର ଆକର୍ଷଣରେ ରହିଛି ସହିଦନଗର ଦୁର୍ଗାପୂଜା ମଣ୍ଡପ। ଅଯୋଧ୍ୟା ରାମ ମନ୍ଦିରର ଅବିକଳ ତୋରଣ ହୋଇଛି। ଏଥିସହ ମଣ୍ଡପ ଭିତର ଦୃଶ୍ୟ ମଧ୍ୟ ବେଶ୍‌ ଆକର୍ଷଣୀୟ ହୋଇଛି। ଏହି ପୂଜା କମିଟି ଏଥର ଶୃଙ୍ଖଳିତ ଦର୍ଶନ ଉପରେ ଅଧିକ ଗୁରୁତ୍ବ ଦେଇଛି। ଯେଉଁଥିରେ ପୁରୁଷ, ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ହ୍ବିଇଲ୍‌ ଚେୟାରର ବ୍ୟବସ୍ଥା କରାଯାଇଛି। ଖାଲି ସେତିକି ନୁହେଁ ୧୦୦ରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ମହିଳା ସ୍ବେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏହି ମଣ୍ଡପର ପଛ ପଡ଼ିଆରେ ମୀନା ବଜାର ପଡ଼ିଛି। ଯେଉଁଥିରେ ଘରକରଣା ଜିନିଷଠାରୁ ଆରମ୍ଭ କରି ଖାଇବା ଷ୍ଟଲ୍‌ ରହିଛି। ଏଥିସହ ବିଭିନ୍ନ ଦୋଳି ରହିଛି। ସେହିପରି ମଣ୍ଡପ ପକ୍ଷରୁ ମାଗଣା ପାର୍କିଂ ସ୍ଥାନ କରାଯାଇଛି। ଯେଉଁଠାରେ ଏକକାଳୀନ ୬୦୦ରୁ ଅଧିକ ଗାଡ଼ି ପାର୍କିଂ କରି ହେବ ବୋଲି ପୂଜା ସମିତିର ସମ୍ପାଦକ ସଚ୍ଚିଦାନନ୍ଦ ନାୟକ କହିଛନ୍ତି।

ପୁରୁଣା ଷ୍ଟେସନ ବଜାର ଦୁର୍ଗାପୂଜା ସମିତି
ଆକର୍ଷଣରେ ବିକ୍ରମ ବେତାଳ ସୋ’

ଘଞ୍ଚ ଜଙ୍ଗଲ…। ଭିତରୁ ଶୁଣାଯାଉଛି ବେତାଳର ବିକଟାଳ ସ୍ବର। ରାଜା ବିକ୍ରମାଦିତ୍ୟଙ୍କ ପିଠିରେ ଉଡ଼ି ଉଡ଼ି ଆସି ବସୁଥିବା ବେତାଳ। ବିକ୍ରମ-ବେତାଳଙ୍କର ଏହି ରୋଚକ କାହାଣୀ ଏଥର ପୁରୁଣା ଷ୍ଟେସନ ବଜାର ଦୁର୍ଗାପୂଜା ସମିତିର ମୁଖ୍ୟ ଆକର୍ଷଣ ପାଲଟିଛି। ପୂଜା କମିଟି ପକ୍ଷରୁ ବିକ୍ରମ ବେତାଳ ସୋ’ ପିଲାଙ୍କ ଠାରୁ ଯୁବପିଢ଼ିଙ୍କୁ ଆକର୍ଷିତ କରୁଛି।। ଅନ୍ୟପଟେ ବାରଣାସୀ ଗଙ୍ଗାଘାଟ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି କମିଟିର ତୋରଣ ସତସତିକା ଅନୁଭୂତ ହେଉଛି। ଫଳରେ ଏହା ଶ୍ରଦ୍ଧାଳୁଙ୍କ ପାଇଁ ସେଲ୍‌ଫି ପଏଣ୍ଟ ପାଲଟିଛି। ମଣ୍ଡପ ଭିତରଟା ପୁରୁଣା କାଳର ଏକ ମନ୍ଦିରର ଭ୍ରମ ସୃଷ୍ଟି କରୁଛି। ବିଶେଷ କରି ଏହି ମଣ୍ଡପରେ ୨୪ ଘଣ୍ଟିଆ ଦର୍ଶନ ବ୍ୟବସ୍ଥା ହୋଇଛି। ଦୈନିକ ୪୦୦୦ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି ବୋଲି ସଭାପତି ଗଣେଶ ପ୍ରସାଦ ସାହୁ କହିଛନ୍ତି।

ମନ ମୋହୁଛି ବେଣା ତିଆରି ତୋରଣ

ଆଖି ପାଉନଥିବା ରାଜପୁତ୍‌ଙ୍କ ରାଜପ୍ରାସାଦକୁ ଦେଖିବାକୁ ଆଉ ଭଜନ ଶୁଣିବାକୁ ବରମୁଣ୍ଡା ପଡ଼ିଆରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏଥର ତୋରଣ ବେଣାରେ ତିଆରି ହୋଇଥିବାରୁ ତୋରଣର ନିଖୁଣ କାମ ଦେଖିବାକୁ ବାଟୋଇ ଟିକିଏ ନ ଅଟକି ରହିପାରୁନାହାନ୍ତି। ତୋରଣ ଦେଇ ଭିତରକୁ ଗଲା ବେଳକୁ ମା’ଙ୍କର ବିଭିନ୍ନ ଚିତ୍ର ଓ ଉପରେ ଲାଗିଥିବା ସୁନ୍ଦର ଆଲୋକସଜ୍ଜା ଆକର୍ଷଣୀୟ ହୋଇଛି। ବରମୁଣ୍ଡା ସର୍ଭିସ ରୋଡର ଉଭୟ ପାର୍ଶ୍ବରେ ଲାଇଟ୍‌ମାଳର ସାଜସଜାରେ ଭକ୍ତଙ୍କ ମନ ଉଲ୍ଲସିତ ହେଉଛି। ପଡ଼ିଆର ଚାରିପାଖେ ପଡ଼ିଥିବା ମୀନାବଜାର, ଖାଇବା ଷ୍ଟଲ‌ରେ ଭିଡ଼ ଜମୁଛି। ଭିଡ଼ ଭିତରେ ପଶି ତୋରଣ ଦେଖି ହେଉ ନଥିବାରୁ ଓଭର୍‌ ବ୍ରିଜ ଉପ‌ରୁ ଗାଡ଼ି ଚାଳକମାନେ ଟିକିଏ ରହିଯାଇ ଫଟୋ ଉଠାଉଛନ୍ତି।

ଭସାଣିରେ ହେବ ମୁରବି ସମ୍ବର୍ଦ୍ଧନା

ପୁରୁଣା ଭୁବନେଶ୍ୱରରେ ଚଳିତ ବର୍ଷ ହରପାର୍ବତୀ ସମେତ ୨୩ ଦୁର୍ଗା ମେଢ଼ କରାଯାଇଛି। ଏକାମ୍ର ସଂଗଠନ ପକ୍ଷରୁ ଭଷାଣି ଉତ୍ସବ ମହା ସମାରୋହରେ ପାଳିତ ହେବ। ଏହି ଉପଲକ୍ଷେ ସ୍ଥାନୀୟ ବଢ଼େଇବାଙ୍କ ଛକଠାରେ ସାହି ମୁରବିଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏନେଇ ଏକ ପ୍ରସ୍ତୁତି ବୈଠିକ ଏକାମ୍ର ସଂଗଠନ ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ମଦନ ମୋହନ ପ୍ରଧାନ, ଶେଷ ଶେଖର ଗରାବଡ଼ୁ, ସୌମେନ୍ଦ୍ର ମହାପାତ୍ର, ଅନିକେତ ବଟୁ, ଶକ୍ତି ପ୍ରସାଦ ସାହୁ, ସୂର୍ଯ୍ୟ ସ୍ବରୂପ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର