ଦେବୋତ୍ତର ଜମିରେ ହୋଇଛି ଲିଙ୍ଗରାଜ ମାର୍କେଟ୍, ଏତେ ଦିନ ଯାଏ କାହିଁକି ଅଭିଯୋଗ ଆଣି ନଥିଲା?
ଆମକୁ ନଜଣାଇ ଆବଣ୍ଟନ କଲ କିପରି: ଦେବୋତ୍ତର ବିଭାଗ
ପୁରୁଣା ଭୁବନେଶ୍ୱର: ନୂଆ ଲିଙ୍ଗରାଜ ମାର୍କେଟ ଗୃହକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ମାର୍କେଟ ତିଆରି ହୋଇଥିବା ଜମିର ମାଲିକକୁ ନଜଣାଇ ଦୋକାନ ଘର ନିର୍ମାଣ ହେବା ଏବଂ ଏବେ ଆବଣ୍ଟନ କରିବା ପରେ ଏହି ଦ୍ବନ୍ଦ୍ବ ଦେଖା ଦେଖାଦେଇଛି। ଜମିର ମୂଳ ମାଲିକ ହେଉଛନ୍ତି ଶ୍ରୀଲିଙ୍ଗରାଜ ପ୍ରଶାସନ ଅର୍ଥାତ ଦେବୋତ୍ତର ବିଭାଗ। ଏହା ସତ୍ତ୍ବେ ଦେବୋତ୍ତର ବିଭାଗ ସହ ବିଏମ୍ସି ଓ ପର୍ଯ୍ୟଟନ ବିଭାଗ ଚୁକ୍ତି କରିନାହାନ୍ତି। ତେଣୁ ଆବଣ୍ଟନ ଆରମ୍ଭ ହେବା ଜାଣିବା ପରେ ଦେବୋତ୍ତର ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖା ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ୩ ଏକର ୮ଶହ ଡିସିମିଲ ଉପରେ ଏହି ମାର୍କେଟ୍ ନିର୍ମିତ ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ୫୦ କୋଟିରୁ ଊର୍ଧ୍ବ ହେବ। ଲିଙ୍ଗରାଜ ମନ୍ଦିର ଉତ୍ତର ପୂର୍ବ କୋଣରେ ଗଙ୍ଗା ଯମୁନା ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନୂଆ ଲିଙ୍ଗରାଜ ମାର୍କେଟ ନିର୍ମିତ ହୋଇଛି। ମେଗା ସର୍କିଟ୍ପର୍ଯ୍ୟଟନ ପ୍ରକଳ୍ପ ମାଧ୍ୟମରେ ଏଠାରେ ୫୮ଟି ଦୋକାନ ଗୃହ ନିର୍ମିତ ହୋଇଛି। ଏଥିସହ ୮୦ ପର୍ଯ୍ୟଟକ ଏକକାଳୀନ ରହିବା ଭଳି ଯାତ୍ରୀ ଆଶ୍ରୟସ୍ଥଳ ମଧ୍ୟ ନିର୍ମିତ ହୋଇଛି। ଗତବର୍ଷ ନଭେମ୍ବର ମାସରେ ଏହା ଉଦ୍ଘାଟିତ ହୋଇଥିଲା। ପୁରୁଣା ଲିଙ୍ଗରାଜ ମାର୍କେଟ ଭଙ୍ଗା ଯିବାକୁ ଥିବାରୁ ଉକ୍ତ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ବିଏମ୍ସିକୁ ୫୦ଟି ଦୋକାନ ଆବଣ୍ଟନ ଦାୟିତ୍ବ ଦିଆଯାଇଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ମଧ୍ୟ ବିଏମ୍ସି ଉପରେ ନ୍ୟସ୍ତ ହୋଇଛି। ୪୮ଟି ଦୋକାନକୁ ପ୍ରୋଭିଜ୍ନାଲ ଚିଠି ଦିଆସରିଛି। ଅତିଥି ଭବନକୁ ମଧ୍ୟ ଭାଗୀଦାରି ଭିତ୍ତିରେ ପ୍ରଦାନ କରାଯିବାକୁ ଯୋଜନା କରାଯାଇଛି। ଏଥିସହ ରାସ୍ତା ଚଉଡ଼ା ଯୋଗୁଁ କ୍ଷତିଗ୍ରସ୍ତ କିଛି ବ୍ୟବସାୟୀଙ୍କୁ ମଧ୍ୟ ୮ଟି ଦୋକାନ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି। ତେବେ ଏହି ମାର୍କେଟ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଅନୁମତି ନିଆଯାଇ ନାହିଁ ବୋଲି ଦେବୋତ୍ତର ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ସେ କହିଛନ୍ତି ଯେ ମନ୍ଦିର ଜମିରେ ମାର୍କେଟ୍ କରିବା ପୂର୍ବରୁ ବିଏମ୍ସି ଓ ପର୍ଯ୍ୟଟନ ବିଭାଗ ଦେବୋତ୍ତର ବିଭାଗ ସହ କୌଣସି ଚୁକ୍ତି କରିନାହାନ୍ତି। ଏନେଇ ଦେବୋତ୍ତର ବିଭାଗ ରାଜ୍ୟ ସରକାରଙ୍କୁ ଚିଠି ମଧ୍ୟ ଦେଇଛି। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ଏହି ଯେ ଏହି ମାର୍କେଟ୍ର ଜମି ହାତେଇବା ବେଳେ କି ବିଲ୍ଡିଂ କାମ ଆରମ୍ଭ ବେଳେ ଦେବୋତ୍ତର ବିଭାଗ ଏନେଇ କୌଣସି ପ୍ରଶ୍ନ ଉଠାଇନଥିବା ବେଳେ ଏବେ ଦୋକାନ ଗୃହ ଆବଣ୍ଟନ ବେଳେ କାହିଁକି ହଠାତ୍ ଏତେ ସକ୍ରିୟ ହୋଇପଡ଼ିଛି? ଏ ବାବଦରେ ବିଏମ୍ସି ଡେପୁଟି କମିସନର(ରାଜସ୍ବ) ଶ୍ରୀମନ୍ତ ମିଶ୍ର ମତ ରଖି କହିଛନ୍ତି, ପର୍ଯ୍ୟଟନ ବିଭାଗ ବିଏମ୍ସିକୁ ଏହି ମାର୍କେଟ୍ ମଧ୍ୟରୁ ୫୦ଟି ଦୋକାନ ଘର ଆବଣ୍ଟନ ପାଇଁ ଦାୟିତ୍ବ ଦେଇଛି। ତେବେ ଦେବୋତ୍ତର ଚିଠି ସମ୍ପର୍କରେ ସେ ଜାଣିନାହାନ୍ତି ବୋଲି କହିଛନ୍ତି।
ଏଣେ ପୁରୁଣା ମାର୍କେଟ୍ ଅସୁରକ୍ଷିତ ରହିଥିବାରୁ ୧୩୬ଜଣ ବ୍ୟବସାୟୀଙ୍କୁ ଦୋକାନ ଆବଣ୍ଟନ ପାଇଁ ଦାବି ହୋଇଛି। କିଛି ଦିନ ପରେ ନୂଆ ମାର୍କେଟ୍ ଉଦ୍ଘାଟନକୁ ଏକ ବର୍ଷ ପୂରିବାକୁ ଯାଉଥିଲେ ହେଁ ଦୋକାନ ଗୃହ ଆବଣ୍ଟନ କାର୍ଯ୍ୟ ହୋଇପାରୁ ନ ଥିବାରୁ ବ୍ୟବସାୟୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାଧ୍ୟ ହୋଇ ବିପଦସଂକୁଳ କୋଠାରେ ବ୍ୟବସାୟ ଚଳାଇଛନ୍ତି। ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ୧୯୮୬ରେ ନିର୍ମିତ ଏହି ମାର୍କେଟ୍ କମ୍ପେକ୍ସର ରକ୍ଷଣାବେକ୍ଷଣ ଦାୟିତ୍ବ ବିଏମ୍ସି ଉପରେ ନ୍ୟସ୍ତ କରାଯାଇଥିଲା। ଗତ ୨୮ବର୍ଷ ହେଲା ବିଏମ୍ସି ମାର୍କେଟ୍ର ଯତ୍ନ ନ ନେବାରୁ କୋଠାଟି ଦୁର୍ବଳ ହୋଇପଡ଼ିଥିଲା। ୨୦୧୪ରେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଅସୁରକ୍ଷିତ ଘୋଷଣା କରିବା ସହ ଦୋକନୀଙ୍କଠାରୁ ଭଡ଼ା ଆଦାୟ ବନ୍ଦ କରିଦେଇଛନ୍ତି। ଏବେ ମାର୍କେଟ୍ର ଘର କେତେବେଳେ ଯେ ଭୁଶୁଡ଼ି ପଡ଼ିବ, ତାହା କହି ହେବ ନାହିଁ। ଏଠାରେ ବ୍ୟବସାୟୀମାନଙ୍କୁ ଖୁବ୍ଶୀଘ୍ର ଥଇଥାନ କରିବାକୁ ବ୍ୟବସାୟୀମାନେ ଦାବି କରାଯାଇଛି।