ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ବିଳମ୍ବ ଆଶଙ୍କା

ଆଉ ୬ ଦିନ ପରେ ମହାଶିବରାତ୍ରି

ପୁରୁଣା ଭୁବନେଶ୍ୱର : ଆଉ ମାତ୍ର ୬ ଦିନ ପରେ ମହାଶିବରାତ୍ରି। ମାତ୍ର ଏବେଠୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ବିଳମ୍ବ ହେବା ଆଶଙ୍କା ଦେଖା ଦେଇଛି। ମନ୍ଦିର ପ୍ରଶାସନ ସେବାୟତମାନଙ୍କ ମଧ୍ୟରେ ପାତରଅନ୍ତର କରୁଥିବା ନେଇ ପୂଜାପଣ୍ଡା ନିଯୋଗ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିରୁ ନିବୃତ୍ତି ରହିବା ଓ ଦେବୋତ୍ତର ବିଭାଗ ନିର୍ଦେଶ କାର୍ଯ୍ୟକାରୀ ନହେଲେ ନୀତି ବିଳମ୍ବ ପାଇଁ ଦାୟୀ ରହିବୁ ନାହିଁ ବୋଲି ପୂଜାପଣ୍ଡା ନିଯୋଗ ପକ୍ଷରୁ ଚେତାବନୀ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ମାସ ୨୭ତାରିଖରେ ମନ୍ଦିର ପ୍ରଶାସନ ପକ୍ଷରୁ ମହାଶିବରାତ୍ରି ନୀତି ନିର୍ଘଣ୍ଟ ପାଇଁ ବିଭିନ୍ନ ସେବାୟତଙ୍କ ସହ ଆଲୋଚନା କରାଯାଇଥିଲା। ଏହି ବୈଠକରେ ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ବୈଠକରେ ଯୋଗ ଦେଇନଥିଲେ। ତେବେ ଦେବୋତ୍ତର ବିଭାଗ ଉପ କମିସନର ଦେଇଥିବା ନିଷ୍ପତ୍ତିକୁ ମନ୍ଦିର ପ୍ରଶାସନ କାର୍ଯ୍ୟ କରୁନଥିବା ଆଜି ଅଭିଯୋଗ କରିଛି ପୂଜାପଣ୍ଡା ନିଯୋଗ। ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ଯେ, ଦେବୋତ୍ତର ଉପ କମିଶନରଙ୍କ ନିର୍ଦେଶ ଅନୁଯାୟୀ ମନ୍ଦିରରେ ଡାଲା ଭୋଗ କରିବା ପୂଜାପଣ୍ଡାଙ୍କୁ ଏକଚାଟିଆ ଅଧିକାର ଆଦେଶ ରହିଛି। ଅଥଚ ଏହି ଆଦେଶ କାର୍ଯ୍ୟକାରୀ ହେଉ ନାହିଁ କିମ୍ବା ପୂଜାପଣ୍ଡାମାନଙ୍କ ଡାଲା ଭୋଗ କରିବା ପାଇଁ ସୁବ୍ୟବସ୍ଥା ମଧ୍ୟ କରାଯାଉ ନାହିଁ। ସେହିପରି ମହାଶିବରାତ୍ରିରେ ଭେଟ ଟଙ୍କା ଓ ଆଡ଼ କାଠ ନିକଟରେ ଆଦାୟ ହେଉଥିବା ଭେଟ ଟଙ୍କା ମନ୍ଦିର ପ୍ରଶାସନ ଦେଉ ନାହିଁ। କମିସନରଙ୍କ ନିର୍ଦେଶ ରହିଥିବା ବେଳେ ଏହା କାର୍ଯ୍ୟକାରୀ ହେଉ ନଥିବାରୁ ନୀତି ବିଳମ୍ବ ହେଲେ ସେମାନେ ଦାୟୀ ରହିବେ ନାହିଁ ବୋଲି ପୂଜାପଣ୍ଡା ନିଯୋଗ ପକ୍ଷରୁ କୁହାଯାଇଛି। ତେବେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା ଏନେଇ ସ୍ୱତନ୍ତ୍ର ବୈଠକ ଡକାଯାଇ ଆଲୋଚନା କରାଯିବ ବୋଲି କହିଛନ୍ତି।

ବୈଠକରେ ଯୋଗ ଦେଲେନି ସେବାୟତ

 ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାରେ ସେବାୟତମାନଙ୍କର ରହିଛି ମୁଖ୍ୟ କାର୍ଯ୍ୟ। ବିଭିନ୍ନ ନୀତି ସୁରୁଖୁରୁରେ ଚାଲିଲେ ଠିକଣା ସମୟରେ ମହାଦୀପ ଉଠିବ। ତେବେ ଆଜି ସମନ୍ଵୟ ବୈଠକରେ ସରକାରୀ ବାବୁମାନଙ୍କ ସହ ବଡ଼ୁ ନିଯୋଗ ଓ ସମର୍ଥା ନିଯୋଗର ପ୍ରତିନିଧିମାନଙ୍କୁ ଦେଖିବାକୁ ମିଳିଥିଲେ ମଧ୍ୟ ଆଉ ପ୍ରମୁଖ ଦୁଇ ନିଯୋଗର ପ୍ରତିନିଧି ଉପସ୍ଥିତ ନ ଥିଲେ। ଯାହା ପ୍ରଶାସନର ଚିନ୍ତା ବଢ଼ାଇଛି। ସେବାୟତମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଗକୁ ପୁଣି ସେବାୟତଙ୍କ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ଆଜିର ବୈଠକରେ ଯୋଗ ଦେଇଥିବା ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ତାଙ୍କର କ୍ଷୋଭ ପ୍ରକାଶ କରିଥିଲେ। ଆସନ୍ତା ମହାଶିବରାତ୍ରିରେ ମହାଦୀପ ଉଠାଇବା ପୂର୍ବରୁ ୧୦୮କଳସ ତୀର୍ଥ ଜଳ ବିନ୍ଦୁସାଗରରୁ ଆସିଥାଏ। ଏହି ଜଳ ବଡ଼ୁ ସେବାୟତମାନଙ୍କ ସହଯୋଗରେ ଆସିଥାଏ। ତେବେ ବଡ଼ୁ ନିଯୋଗକୁ ଶ୍ରାବଣୀ ପାଉଣା ଦିଆ ଯାଇ ନଥିବାରୁ ପାଳିଆ ବଡ଼ୁ ବ୍ୟତୀତ ଅନ୍ୟମାନେ ସହଯୋଗ କରିବେ କି ନାହିଁ ତାହା କହିହେବ ନାହିଁ ବୋଲି କହିଥିଲେ। ସେପଟେ ମହାଶିବରାତ୍ରିରେ ଠାକୁରଙ୍କୁ ମିଳୁଥିବା ଭେଟର ସମ୍ପୂର୍ଣ୍ଣ ଟଙ୍କା ମନ୍ଦିର ପ୍ରଶାସନକୁ ଯାଉନଥିବାରୁ ଏହି ବୈଠକରେ ଯୋଗ ନ ଦେଇନାହିଁ ପୂଜାପଣ୍ଡା ନିଯୋଗ। ତେଣୁ ମହାଶିବରାତ୍ରିରେ ନୀତି ବିଳମ୍ବ ହେଲେ ପ୍ରଶାସନ ଦାୟୀ ରହିବ ବୋଲି ପୂଜାପଣ୍ଡା ନିଯୋଗର ସଭାପତି କାଶୀନାଥ ପୂଜାପଣ୍ଡା କହିଛନ୍ତି। ସେହିପରି ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ଭଗ୍ନ ପ୍ରତିମାର ପୁନରୁଦ୍ଧାର ଓ ଜାଗରରେ ଠାକୁରଙ୍କୁ ମିଳୁଥିବା ଭେଟ ଟଙ୍କା ମନ୍ଦିର ପ୍ରଶାସନ ଆଣୁନଥିବା ନେଇ ବ୍ରାହ୍ମଣ ନିଯୋଗ ଅଭିଯୋଗ କରିଛି। ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ମନ୍ଦିର ପ୍ରଶାସନ କୌଣସି କଥା ଶୁଣୁନଥିବାରୁ ବୈଠକରେ ଯୋଗ ଦେଇ ନ ଥିବା କହିଛନ୍ତି। ଏନେଇ ସେବାୟତମାନଙ୍କ ସହ ଆଲୋଚନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡର ସଭାପତି କହିଛନ୍ତି।

ସମ୍ବନ୍ଧିତ ଖବର