ମନ୍ଦିର କାର୍ଯ୍ୟାଳୟରେ ମନଇଚ୍ଛା ନିଯୁକ୍ତି ଓ ଟଙ୍କା ଖର୍ଚ ଘଟଣା : ଖୁବ୍‌ ଶୀଘ୍ର ହେବ ଯୁଗ୍ମ ଆକାଉଣ୍ଟ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରରେ ଆୟ କମିଥିବା ବେଳେ ବ୍ୟୟ ବୃଦ୍ଧି ପାଇବାରେ ଲାଗିଛି। ଏପଟେ ମନ୍ଦିର ପ୍ରଶାସନ ପକ୍ଷରୁ ମନଇଚ୍ଛା ଟଙ୍କା ଖର୍ଚ୍ଚ କରାଯାଉଛି। ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ଯୋଗୁଁ ମନ୍ଦିର କାର୍ଯ୍ୟ ନିର୍ବାହୀ ବିନା ଅନୁମତିରେ ମନ୍ଦିର ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହିପରି ନିଜ ଇଚ୍ଛାନୁସାରେ କର୍ମଚାରୀଙ୍କୁ ବାହାର କରାଯାଇ ନିଯୁକ୍ତି କରାଯାଉଛି ବୋଲି ଦେବୋତ୍ତର ବିଭାଗର ଅତିରିକ୍ତ କମିସନରଙ୍କ ପାଖରେ ସେବାୟତମାନେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଉପରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଦେବୋତ୍ତର ବିଭାଗ ନିର୍ଦେଶ ଅନୁଯାୟୀ ଓ ଟ୍ରଷ୍ଟ ବୋର୍ଡ ଅନୁମୋଦନ ପରେ ଅତିରିକ୍ତ ଜିଲ୍ଲାପାଳ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଯୁଗ୍ମ ଆକାଉଣ୍ଟ୍‌ ଖୁବ୍‌ ଶୀଘ୍ର ଖୋଲାଯିବ। ଯେଉଁ ଟଙ୍କା ଖର୍ଚ୍ଚ କରାଯାଇଛି ତାହାକୁ ଟ୍ରଷ୍ଟ ବୋର୍ଡରେ ଅନୁମୋଦନ କରାଯିବ। ଏପରି କୌଣସି ଅନିମିୟତତା କିମ୍ବା ଆଇନ ବିରୋଧୀ କାର୍ଯ୍ୟ ହୋଇନାହିଁ। ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀ ରହିବା ଦିନଠୁ ଏକକ ଅକାଉଣ୍ଟ୍‌ ରହି ଆସିଛି। ସାଧାରଣ ଖର୍ଚ୍ଚ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଖର୍ଚ୍ଚ କରିବା ନିୟମ ଥିବା ବେଳେ ହଠାତ୍‌ ବଡ଼ ଖର୍ଚ୍ଚ ହେଲେ ପରେ ଏହାକୁ ଟ୍ରଷ୍ଟ ବୋର୍ଡରେ ଅନୁମୋଦନ କରାଯାଏ। ସେହିପରି ଦେବୋତ୍ତର ବିଭାଗ ନିର୍ଦେଶରେ ୩ ଜଣ କର୍ମଚାରୀଙ୍କୁ ବାହାର କରାଯାଇଛି। ତେବେ ମକର ସଂକ୍ରାନ୍ତି ଛୁଟି ଦିନରେ କିପରି ୩ଜଣଙ୍କୁ ହଠାତ୍‌ କାର୍ଯ୍ୟରୁ ଅବ୍ୟାହତ ଦିଆଗଲା, ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ନିକଟରେ ଦୁଇଜଣ କର୍ମଚାରୀ ନିଯୁକ୍ତି ଘଟଣା ‘ସମ୍ବାଦ’ରେ ପ୍ରକାଶ ପରେ ଉକ୍ତ କର୍ମଚାରୀଙ୍କ ଆଉ ଦେଖା ମିଳୁନାହିଁ ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି।

ସମ୍ବନ୍ଧିତ ଖବର