ସଂଗୀତରେ ଜନ୍ମଦିନ ଶୁଭେଚ୍ଛା : ସ୍ମୃତି ତାଜା କଲେ ପ୍ରଣବ

ଶାନ୍ତିଲତାଙ୍କୁ ‘ପ୍ରଣବ ପରମ୍ପରା ସମ୍ମାନ’

ଭୁବନେଶ୍ବର : ରେ ଆତ୍ମନ ନିଦ୍ରା ପରିହରି…, ମାଝିରେ ଶେଷ ଶ୍ରାବଣ…, ମା’ ତୁମେ ଜଗତର ସାହା ଭରସା…, ଏମିତି ରାତି ସେ ଯେ ଅଭୁଲା ସ୍ମୃତି…, ଜୀବନ ଏକ ନାଟକ… ଆଦି ପ୍ରଣବ ସଙ୍ଗୀତରେ ପ୍ରଣତି ଢାଳୁଥିଲେ କଣ୍ଠଶିଳ୍ପୀମାନେ। ସଂଗୀତ ଜଗତକୁ ଅସଂଖ୍ୟ ମନଛୁଆଁ ଓ ଭାବପୂର୍ଣ୍ଣ ସଂଗୀତରେ ସମୃଦ୍ଧିଶାଳୀ କରିଥିବା ସଂଗୀତ ଜଗତର ଦିଗ୍‌ଗଜ ପ୍ରଣବ ପଟ୍ଟନାୟକଙ୍କ ଜୟନ୍ତୀର ପୂର୍ବ ସଂଧ୍ୟାରେ ପ୍ରଣବଙ୍କୁ ଏଭଳି ଜନ୍ମଦିନର ଶୁଭେଚ୍ଛା ଜଣାଯାଇଥିଲା। ଅବସର ଥିଲା ସଂଭାବନା ପକ୍ଷରୁ ଚତୁର୍ଦ୍ଦଶ ବର୍ଷ ପାଇଁ ଆୟୋଜିତ ‘ପ୍ରଣବ ପ୍ରଣାମ’ ସଙ୍ଗୀତ କାର୍ଯ୍ୟକ୍ରମ।

ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ସଙ୍ଗୀତ ସଂଧ୍ୟାରେ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ପୁଣ୍ୟତା ଦାଶ, ଦିଲ୍ଲୀପ ମହାନ୍ତି, ଲିପ୍ସା ମିଶ୍ର, ଇପ୍ସିତା, ବିପୁଲ, ସିଦ୍ଧାନ୍ତ, ଋତିକା ଓ ଅର୍ଣ୍ଣବ ପଣ୍ଡା ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ନିଜେ ପ୍ରଣବ ପଟ୍ଟନାୟକ‘ମାଝିରେ… ଶେଷ ଶ୍ରାବଣ’ ଗୀତ ଗାଇ ଶ୍ରୋତାଙ୍କ ସ୍ମୃତିକୁ ତାଜା କରି ଦେଇଥିଲେ। ସେହିପରି ଅବିକଳ ପ୍ରଣବଙ୍କ ସ୍ୱରରେ ଗାଉଥିବା ସୁନ୍ଦରଗଡ଼ର କଣ୍ଠଶିଳ୍ପୀ ପ୍ରମୋଦ ବେହେରା ପୁଣି ସେଇ ଶ୍ରାବଣରେ…, ଯଉବନରୁ ଅପରାଧ… ଆଦି ସଂଗୀତ ପରିବେଷଣ ଥିଲେ।

କାର୍ଯ୍ୟକ୍ରମକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂପାଦକ ଦେବପ୍ରସାଦ ପରିଜା ଉତ୍ସବର ପୃଷ୍ଠଭୂମି ସଂପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମ୍ୟୁନିଷ୍ଟ ନେତା ରାମକୃଷ୍ଣ ପଣ୍ଡା, ଟିମ୍ ଆଡ୍‌ମାର୍କର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର ଓ ୨୦୧୯ର ଶ୍ରେଷ୍ଠ ଓଡ଼ିଆଣୀ ମୀନା ପାଣିଗ୍ରାହୀ ପ୍ରମୁଖ ପ୍ରଣବଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପ୍ରଣବ ପଟ୍ଟନାୟକ ଅନ୍ୟତମ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ‘ପ୍ରଣବ ପରମ୍ପରା ସମ୍ମାନ’ରେ ସମ୍ମାନିତ କରିଥିଲେ। ଏହି ଅବସରରେ ପରଲୋକଗତ ଓଡ଼ିଶୀ ନୃତ୍ୟଶିଳ୍ପୀ ଡ. ମିନତି ମିଶ୍ର, ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର ଓ ସ୍ବନାମଧନ୍ୟା କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ପ୍ରଣବ ସଂଗୀତ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ରାଜଶ୍ରୀ ଶତପଥୀ, ସତ୍ୟବ୍ରତ ମହାପାତ୍ର, ଗୁରୁ ପ୍ରସାଦ ଦାସ, ପ୍ରଫୁଲ୍ଲ ଦେ ଓ ଅଭିରାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର