ସଫେଇ ମିତ୍ରଙ୍କ ପାଇଁ ଋଣ ମେଳା, ପ୍ରଥମ ଦିନରେ ଋଣ ନେଲେ ୭

ଭୁବନେଶ୍ବର : ସଫେଇ ମିତ୍ର ସୁରକ୍ଷା ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ବିଏମ୍‌ସି ପକ୍ଷରୁ ଜୟଦେବ ଭବନରେ ଲୋନ୍‌ ମେଳା ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସି ଅଞ୍ଚଳରେ ୩୩୦ରୁ ଅଧିକ ସଫେଇ ମିତ୍ର ଚିହ୍ନଟ ହୋଇଥିବା ବେଳେ ୫୦ଜଣ ଏନ୍‌ଏସ୍‌କେଏଫ୍‌ଡିସିସ ନିର୍ଦେଶାବଳି ଅନୁଯାୟୀ ଋଣ ପାଇଁ ଆବେଦନ କରିଛନ୍ତି। ପ୍ରଥମ ଦିନରେ ୭ଜଣଙ୍କୁ ଋଣ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଅନ୍ୟମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ନ୍ୟାସନାଲ ସଫେଇ କର୍ମଚାରୀ ଫାଇନାନ୍‌ସ ଏଣ୍ଡ ଡେଭେଲପମେଣ୍ଟ କର୍ପୋରେସନ୍ ବା ଏନ୍‌ଏସ୍‌କେଏଫ୍‌ଡିସି ସଫେଇ କର୍ମଚାରୀଙ୍କ ପାଇଁ କାର୍ଯ୍ୟ କରୁଛି। ବ୍ୟକ୍ତିଗତ ନିର୍ଦେଶାବଳିକୁ ଭିତ୍ତି କରି ଜଣେ ସଫେଇ ମିତ୍ରଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ ଋଣ ନେବାର ନିୟମ ରହିଛି। ଏହି ଋଣ ସେମାନଙ୍କର ବେଉସା‌ ପାଇଁ ଆବଶ୍ୟକ ସରଞ୍ଜାମ କ୍ରୟ ପାଇଁ ଦିଆଯାଇଥାଏ। ଏଥିରେ କମ୍ ସୁଧ ହାର ଓ ସରକାରଙ୍କ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି। ଓଏସ୍‌ଏଫ୍‌ଡିଓି ଜରିଆରେ ଋଣ ଯୋଗାଇ ଦେବାକୁ ବିଏମ୍‌ସି ପ୍ରକ୍ରିୟା ଜାରି ରଖିବ।

ନିକଟରେ ବିଏମ୍‌ସି ପକ୍ଷରୁ ୧୪୪୨୦ ଟୋଲ ଫ୍ରି ନମ୍ବର ପ୍ରଚଳନ କରାଯାଇଛି। ମଳ ପରିଚାଳନା ଯଥା ସ୍ବେରେଜ୍ ଲାଇନ, ସେପ୍ଟିକ୍ ଟ୍ୟାଙ୍କ ଜନିତ ଅଭିଯୋଗର ଠିକ୍ ସମୟରେ କାର୍ଯ୍ୟ ଶେଷ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଏହି ନମ୍ବରକୁ ୧୮୦୦୩୪୫୦୦୬୧ ସହିତ ସଂଯୁକ୍ତ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ, ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ, ସିଟି ହେଲ୍‌ଥ ଅଧିକାରୀ ଡା. ବସନ୍ତ ମିଶ୍ର ଓ ଅନ୍ୟମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର