ଲକ୍‌ଡାଉନ୍‌ ୪.୦ : ଜାରି ରହିବ ୧୨ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ବର : ଆସନ୍ତାକାଲିଠାରୁ ସାରା ଦେଶରେ ଆରମ୍ଭ ହେଉଛି ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହାର ଅବଧି ବଢ଼ିଛି। ଏହି ସମୟରେ ପୂର୍ବପରି ଭୁବନେଶ୍ବରରେ ୧୨ ଘଣ୍ଟିଆ କର୍ଫ୍ୟୁ ଭଳି କଟକଣା ଜାରି ରହିବ। ବାଇକ୍‌ରେ କେବଳ ଚାଳକ ହିଁ ବସି ପାରିବ। ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ‌କେବଳ ଜରୁରୀକାଳୀନ ସେବା ବ୍ୟତୀତ ଆଉ କେହି ବାହାରକୁ ବାହାରି ପାରିବେ ନାହିଁ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜିଲ୍ଲା ବାହାରକୁ ଗଲେ ଯେଭଳି ୧୦୦କୁ ଡାଏଲ କରି ପାସ୍‌ ଉପଲବ୍ଧ କରୁଥିଲେ ଅନୁରୂପ ଢଙ୍ଗରେ ପାସ୍‌ ଉପଲବ୍ଧ ହେବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଘୋଷଣା କରାଯିବ ବୋଲି କୁହାଯାଇଛି। ଅନ୍ୟ ସମସ୍ତ ବ୍ୟବସ୍ଥା ପୂର୍ବବତ୍‌ ଜାରି ରହିବ।

ସେହିଭଳି ଟ୍ରାଫିକ୍‌ ଜାମ୍‌କୁ ଦୃଷ୍ଟିରେ ରଖି ଦୁଇଟି ସ୍ଥାନ ଛାଡ଼ିଦେଲେ ଅନ୍ୟ ସମସ୍ତ ଜାଗାରୁ ବାରିକେଡ୍‌ ହଟାଯାଇଛି। କଟକଣା ଥିବାରୁ ନାକା ରଖାଯାଇଛି। ପୂର୍ବରୁ ଯେଭଳି ନାକାଗୁଡ଼ିକରେ ପୁଲିସ ଯାଞ୍ଚ ହେଉଥିଲା ତାହା ହେବ ବୋଲି କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ସୂଚନା ଦେଇଛି। ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ରାସ୍ତାଘାଟରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ହେବ। ଦୋକାନ ବଜାର ମଧ୍ୟ ପୂର୍ବବତ୍‌ ସଂଧ୍ୟା ୭ଟା ପୂର୍ବରୁ ବନ୍ଦ ରହିବ। ଅନେକ ଲୋକ ୧୭ ତାରିଖରେ ଲକ୍‌ଡାଉନ ଉଠିବ ବୋଲି ଅପେକ୍ଷା କରି ବସିଥିବାରୁ ଆସନ୍ତାକାଲିଠାରୁ ହଠାତ୍‌ ଗହଳି ବଢ଼ିଯିବା ନେଇ ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ପୂର୍ବବତ୍‌ ରହୁଥିବାରୁ ଲୋକମାନେ ଉତ୍ସାହିତ ନ ହେବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ବିଏମ୍‌ସି ମଧ୍ୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଆସିବା ପରେ ବିଏମ୍‌ସି ୪ର୍ଥ ତାଲାବନ୍ଦ ପ୍ରକ୍ରିୟାର କଟକଣା ଜାରି କରିବ।

ସମ୍ବନ୍ଧିତ ଖବର