ବୁଡ଼ିଲା ବେଉସା, ଚଳିବାକୁ ନାହିଁ ପଇସା

ଗଣେଶ ମଣ୍ଡପ ହାଟ ଉଚ୍ଛେଦ ପ୍ରସଙ୍ଗ: ଉଚ୍ଛେଦକୁ ମାସେ ବିତିଲାଣି, ଥଇଥାନ ନୋହିଲା, ପ୍ରତିଶ୍ରୁତି ଭୁଲିଗଲେଣି କି ମେୟର?

ଭୁବନେଶ୍ବର: ଅନ୍ୟ ଦିନ ଅପେକ୍ଷା, ସେଦିନ ଭଲ ବ୍ୟବସାୟ ହୋଇଥାଏ। ରାତିରେ ଦୋକାନ ବନ୍ଦ କରି ଖୁସି ମନରେ ଘରକୁ ଫେରୁଥିଲି। ହଠାତ୍‌ ଫୋନ୍‌ ବାଜିଲା। ଗାଁରୁ ସାନ ଭାଇ ଫୋନ୍‌ କରିଥିଲା। ବାପାଙ୍କ ଦେହ ଭୀଷଣ ଖରାପ, ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ଆଣୁଛି, ତମେ ଜଲ୍‌ଦି ଆସ ଭାଇ…। ଏଇ ୩ ପଦ କହି ସେ ଫୋନ୍‌ କାଟିଦେଲା। ଡାକ୍ତରଖାନାରେ ପହଞ୍ଚି ଦେଖେ ତ ବାପା ନିସ୍ତେଜ ହୋଇପଡ଼ିଥା’ନ୍ତି। ମସ୍ତିଷ୍କାଘାତ ଯୋଗୁଁ ଅବସ୍ଥା ସଂକଟାପନ୍ନ। ଡାକ୍ତରଙ୍କ ପରାମର୍ଶ ଅନୁସା‌‌‌ରେ, ପର ଦିନ ଭୋର୍‌ ପ୍ରାୟ ୫ଟା‌ରେ ବାପାଙ୍କୁ କଟକ ନେବାକୁ ପ୍ରସ୍ତୁତି ଚଳାଇଥିଲୁ।

ଠିକ୍‌ ସେତିକିବେଳେ ଦୋକାନ ପାଖରୁ ଜଣେ ବନ୍ଧୁ ଫୋନ୍‌ କଲେ। ତୁମ ଦୋକାନ ଘର ଭଙ୍ଗାଯାଉଛି, ତୁରନ୍ତ ଆସ। ଏତିକି ଶୁଣି ମୋ ପାଦ ତଳୁ ମାଟି ଖସିଗଲା। ଦୋକାନ ଭିତରେ ପାଖାପାଖି ୫ଲକ୍ଷ ଟଙ୍କାର ମାଲ୍‌ ଥାଏ। ଦୋକାନ ତ ଭାଙ୍ଗିବ, ତା’ ସାଙ୍ଗରେ ସବୁ ଜିନିଷ ନଷ୍ଟ ହୋଇଯିବ। କ’ଣ କରିବି, ବୁଦ୍ଧିବାଟ କିଛି ଦେଖାଗଲାନି। ଗୋଟିଏ ପଟେ ବାପାଙ୍କ ଏ ଅବସ୍ଥା, ଅନ୍ୟପଟେ ୬ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେଇ ଆସୁଥିବା ଏକମାତ୍ର ଦୋକାନ…। ସାନ ଭାଇ ଦାୟିତ୍ବରେ ବାପାଙ୍କୁ ଛାଡ଼ି ଭୁବନେଶ୍ବର ଧାଇଁଲି। ସେତେବେଳକୁ ମୋ ଦୋକାନ ଭଙ୍ଗା ଆରମ୍ଭ ହେଉଥାଏ। କେତେ ନେହୁରା ହେଲି, ଆଜ୍ଞା ଆମେ ଗରିବ ଲୋକ, ଦୋକାନ କାହିଁକି ଭାଙ୍ଗୁଛ? କିନ୍ତୁ ସୁଟ୍‌ବୁଟ୍‌ ପିନ୍ଧା ବଡ଼ ବାବୁମାନେ ମୁହଁକୁ ଚାହିଲେନି। ଚାହୁଁ ଚାହୁଁ ଆଖି ଆଗରେ ମୋ ଦୋକାନ ଭାଙ୍ଗି ଗୁଣ୍ଡ କରିଦେଲେ। ଦୁଃଖ ସମ୍ଭା‌ଳି ପାରିଲିନି, ସଂଜ୍ଞାହୀନ ହୋଇଗଲି। ଏ ହେଉଛି ଝାରପଡ଼ା ଗଣେଶ ମଣ୍ଡପ ହାଟରେ ଦୋକାନ ହରାଇଥିବା ବ୍ୟବସାୟୀ ଲକ୍ଷ୍ମୀଧର ପ୍ରଧାନଙ୍କ କରୁଣ କାହାଣୀ।

ଏତିକିରେ ତାଙ୍କ ଦୁଃଖ ସରିଯାଇନି। ବିଏମ୍‌ସି ତାଙ୍କ ଦୋକାନ ଉଚ୍ଛେଦ କରିବା ପରଠାରୁ ତାଙ୍କ ପରିବାରର ଅବସ୍ଥା ଭାରି ସାଂଘାତିକ ହୋଇପଡ଼ିଛି। ଲକ୍ଷ୍ମୀଧରଙ୍କ ପରିବାର ଏବେ ଆର୍ଥିକ ଅନଟନରେ ଛଟପଟ ହେଉଛନ୍ତି। ରୋଜଗାର ନଥିବା ବେଳେ ମହାଜନ ବାକି ଟଙ୍କା ପାଇଁ ଜୁଲୁମ୍‌ କରୁଛି। କେମିତି ବଞ୍ଚିବେ, କେମିତି ପରିବାର ମୁହଁରେ ମୁଠେ ଦାନା ଦେବେ, ସେଇ କଥା ତାଙ୍କୁ ଅହରହ ବିଚଳିତ କରି ପକାଉଛି।

ମାନସିକ ଭାରସାମ୍ୟ ହରାଇଲେଣି ବ୍ୟବସାୟୀ
ତୁରନ୍ତ ଥଇଥାନ ପାଇଁ ଗୁହାରି

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ମୂଳ ବାସିନ୍ଦା ଲକ୍ଷ୍ମୀଧର କହିଛନ୍ତି, ଗାଁରୁ ଆସି ଦୀର୍ଘ ୭ ବର୍ଷ ହେଲା ଏହି ହାଟରେ ଦୋକାନ କରି ସେ ୬ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରୁଥିଲି। ଯାହା ରୋଜଗାର ହେଉଥିଲା, ପୁଅ, ଝିଅକୁ ପାଠ ପଢ଼ାଇବା ସହ ଗାଁରେ ଥିବା ବାପା ମା’ଙ୍କ ଭରଣପୋଷଣ କରିଥିଲି। ହେଲେ ଦୋକାନ ଭାଙ୍ଗିଯିବା ପରେ ଏବେ ନିଜ ପିଲାଙ୍କୁ ପାଠ ପଢ଼ାଇବା ତ ଦୂରର କଥା‌, ଭୁବନେଶ୍ବରରେ ରଖି ଘରଭଡ଼ା ଦେବାକୁ ବି ପାଖରେ ପଇସା ନାହିଁ। ତେଣୁ ପିଲାଙ୍କୁ ଗାଁକୁ ପଠାଇ ଦେଇଛି। ଏମିତିକି ଖାଇବାକୁ ମଧ୍ୟ ଟଙ୍କା ନାହିଁ। ଲୁହ ଛଳଛଳ ଆଖିରେ ସେ କହିଲେ, ଜଣେ ଗ୍ରାହକଙ୍କ ପାଖରୁ ଆଜି ୫୦ ଟଙ୍କା ଧାର୍‌ କରି ପରିବା କିଣିଛି। ମୋର ଏ ଦୁର୍ଦ୍ଦଶା କଥା, ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ଭଙ୍ଗା ଗଢ଼ା ନିର୍ଦ୍ଧାରଣ କରୁଥିବା ବାବୁ କିମ୍ବା ନେତାମାନେ ବୁଝି ପାରିବେନି।

କେବଳ ଲକ୍ଷ୍ମୀଧର ନୁହଁନ୍ତି, ଝାରପଡ଼ା ଗଣେଶ ମଣ୍ଡପ ହାଟରୁ ବିଏମ୍‌ସି ଦୋକାନ ଉଚ୍ଛେଦ କରିବା ପରେ ସେଠାରେ ବ୍ୟବସାୟ କରୁଥିବା ଅଧିକାଂଶ ବ୍ୟବସାୟୀଙ୍କ ଅବସ୍ଥା ଏମିତି। ଜୀବିକା ହରାଇଥିବା ବ୍ୟବସାୟୀମାନେ ଏବେ ମାନସିକ ଭାରସାମ୍ୟ ହରାଇବାକୁ ବସିଲେଣି। ଗତ ଏପ୍ରିଲ ୮ ତାରିଖରେ ବେଆଇନ ନିର୍ମାଣ ଦର୍ଶାଇ ବିଏମ୍‌ସି ପକ୍ଷରୁ ଝାରପଡ଼ା ଗଣେଶ ମଣ୍ଡପ ହାଟକୁ ଉଚ୍ଛେଦ କରାଯାଇଥିଲା। ଏଥିରେ ୪୨୯ ବ୍ୟବସାୟୀଙ୍କ ଦୋକାନ ମାଟିରେ ମିଶିଗଲା। ପରେ ବ୍ୟବସାୟୀ ଓ ସ୍ଥାନୀୟ ନେତୃବୃନ୍ଦ ମେୟର୍‌ଙ୍କ ନିକଟରେ କ୍ଷତିପୂରଣ ଓ ପୁନଃଥଇଥାନ ପାଇଁ ଦାବି କରିଥି‌ଲେ। ଗୋଟିଏ ସପ୍ତାହ ଭିତରେ ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବାକୁ ମେୟର୍‌ ପ୍ରତିଶ୍ରୁତି ଦେଇଥିଲେ।

କିନ୍ତୁ ଏହା ଭିତରେ ମାସେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିଏମ୍‌ସି ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଫଳରେ ବ୍ୟବସାୟୀମାନେ ପରିବାର ଚଳାଇବା ତ ଦୂରର କଥା, ନିଜ ପେଟକୁ ଦାନା ଗଣ୍ଡେ ଯେଗାଡ଼ କରିବା ପାଇଁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ଯେଉଁ ମହାଜନଠୁ ବାକିରେ ଜିନିଷ କିଣି ବ୍ୟବସାୟ କରୁଥିଲେ, ସେ ସବୁଦିନ ଟଙ୍କା ପାଇଁ ଦୁଆରେ ବସୁଛନ୍ତି। ତେଣୁ ବ୍ୟବସାୟୀମାନଙ୍କ ତୁରନ୍ତ ଥଇଥାନ କରିବା ପାଇଁ ବିଏମ୍‌ସିର ପଦାଧିକାରୀ, ମେୟର ଏବଂ ଜନ ପ୍ରତିନିଧିଙ୍କ ନିକଟରେ କ୍ଷୋଭର ସହ ନିବେଦନ କରିଛନ୍ତି ବ୍ୟବସାୟୀ।

ସମ୍ବନ୍ଧିତ ଖବର