ଚାଷୀ ଏକାଠି ସଂକଳ୍ପ ନେଇ ଦୌଡ଼ିଲେ ଲକ୍ଷ୍ୟସ୍ଥଳରେ ଶୀଘ୍ର ପହଞ୍ଚି ପାରିବେ: ସୌମ୍ୟ

ଚାଷୀଙ୍କ ପାଇଁ ଅଭିନବ କାର୍ଯ୍ୟକ୍ରମ ‘ଗଣଦୌଡ଼’

ଭୁବନେଶ୍ବର: ଚାଷ ଓ ଚାଷୀଙ୍କ ମହତ୍ତ୍ବକୁ ନେଇ ସଚେତନତା ସୃ‌ଷ୍ଟି ଉଦ୍ଦେଶ୍ୟରେ ପ୍ରଥମଥର ପାଇଁ ରାଜଧାନୀରେ ଏକ ଅଭିନବ କାର୍ଯ୍ୟକ୍ରମ ‘ଚାଷୀ ପାଇଁ ଗଣଦୌଡ଼’ ଅନୁଷ୍ଠିତ ହୋଇଯାଇଛି। ‘କିଷାନ ମଜଦୁର ମହାସଂଘ ଓଡ଼ିଶା’ ଓ ‘ଛୋଟିସି ଆଶା’ ସଂଗଠନର ମିଳିତ ଆନୁକୂଲ୍ୟରେ ଜନତା ମଇଦାନ ନିକଟରେ ରବିବାର ଭୋର୍‌ ସମୟରେ ଆୟୋଜିତ ଏହି ଗଣଦୌଡ଼ରେ ୧୫ ଶହରୁ ଅଧିକ ବ୍ୟକ୍ତି ଓ ଅନୁଷ୍ଠାନ ସାମିଲ୍‌ ହୋଇଥିଲେ। ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ପତାକା ଦେଖାଇ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥି‌ଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ, ଉଭୟ ସଂଗଠନର ମିଳିତ ଉଦ୍ୟମରେ ଆଜି ଯେଉଁ ଅଭିନବ ଗଣଦୌଡ଼ର ଆୟୋଜନ କରାଯାଇଛି, ତାହା କୃଷି କର୍ମ କରି ଖାଦ୍ୟ ଯୋଗାଉଥିବା ପରିବାରଗୁଡ଼ିକର ସମସ୍ୟା ସଂପର୍କରେ ଭୁବନେଶ୍ବରରେ ରହୁଥିବା ବନ୍ଧୁମାନଙ୍କୁ ସଚେତନ କରାଇବ ବୋଲି ଆଶା। ଆଜିଠାରୁ କୃଷକ ଭାଇଙ୍କ ସମସ୍ୟା ସଂପର୍କରେ ଆମେ ପ୍ରତିଦିନ ଯଦି ୨ ମିନିଟ୍‌ ଚିନ୍ତା କରିପାରିବା, ଆଜିର ଏହି ଗଣଦୌଡ଼ ସାର୍ଥକ ହେବ। ଗଣଦୌଡ଼ ଆମ ଗାଣତାନ୍ତ୍ରିକ ବ୍ୟବସ୍ଥାର ଏକ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ। ଚାଷୀ ଏକାଠି ହୋଇ ସଂକଳ୍ପ ନେଇ ଦୌଡ଼ିଲେ ଲକ୍ଷ୍ୟସ୍ଥଳରେ ଶୀଘ୍ର ପହଞ୍ଚି ପାରିବେ। ଚାଷୀ ନେତା ଶୁଭେନ୍ଦୁ ମଲ୍ଲିକ କହିଲେ, ଚାଷୀର ସମସ୍ୟାକୁ ସମସ୍ତେ ହୃଦୟଙ୍ଗମ କରିବା ସହ ଏଥିପ୍ରତି ଯତ୍ନବାନ ହେଲେ ଦରବୃଦ୍ଧି ଭଳି ସମସ୍ୟା ସୃଷ୍ଟି ହେବ ନାହିଁ। ଏହି ଦୌଡ଼ରେ ଚାଷୀଙ୍କ ସମେତ ବହୁ ସଂଖ୍ୟାରେ ଯୁବବର୍ଗ ସାମିଲ୍‌ ହୋଇ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ଯାଇ ପୁଣି ସେଠାରୁ ଜନତା ମଇଦାନ ନିକଟକୁ ପ୍ରତ୍ୟାବର୍ତନ କରିଥିଲେ। ଏହି ଅବସରରେ ୩୦ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଗୋଟିଏ ଲେଖାଏ ଚାଷୀ ପରିବାରକୁ ପୋଷ୍ୟ ପରିବାର ଭାବେ ଗ୍ରହଣ କରିଥିଲେ।

ଗଣଦୌଡ଼ ପରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ସମାଜସେବୀ ମୀରା ପରିଡ଼ା, ଲୋରା ମହାପାତ୍ର, ମ‌ନମୋହନ ସାମଲ, ମନସ୍ମିତା ଖୁଣ୍ଟିଆ ପ୍ରମୁଖ ଏହି ସଭାରେ ଚାଷୀ ଓ ଚାଷ ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋକପାତ କରିଥିଲେ। ଆଜିର କାର୍ଯ୍ୟକ୍ରମର ସଫଳତା ପରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ସମ୍ପାଦକ ସଚିନ ମହାପାତ୍ର କହିଛନ୍ତି ଯେ ଆଗାମୀ ଦିନରେ ଚାଷୀର ସମସ୍ୟାର ସମାଧାନ ନିମନ୍ତେ ପୁଣି ବିସ୍ତୃତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଚାଷୀ ନେତା ସଂଗ୍ରାମ କିଶୋର ବକ୍ତବ୍ୟ ରଖି ଚାଷ ଓ ଚାଷୀର ଉନ୍ନତି ପାଇଁ ସଭିଏଁ ସହଭାଗୀ ହେବାକୁ କହିଥିଲେ। ରବୀନ୍ଦ୍ର ସାହୁ, ସନାତନ ପ୍ରଧାନ, ଦୁର୍ଗା ପ୍ରସାଦ ପରିଡ଼ା, ଶୁଭାଙ୍ଗୀ ମଧୁସ୍ମିତା, ଅଭିଜିତ, ସତ୍ୟଜିତ, ରଶ୍ମିରଂଜନ, କମଲ ମିଶ୍ର, ଅସିତ ଓ ସୁଜିତା ବ୍ରହ୍ମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର