ମାଷ୍ଟରକ୍ୟାଣ୍ଟିନ୍‌ ଛକ ଗ୍ରିନ୍‌ ଚିଲି ସିଲ୍‌

ଭୁବନେଶ୍ବର: ପରିମଳ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ଓ ସ୍ବଚ୍ଛତା ରକ୍ଷା ପାଇଁ ଅବହେଳା କରୁଥିବା ଅଭିଯୋଗରେ ଆଜି ବିଏମ୍‌ସି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକସ୍ଥିତ ଗ୍ରିନ୍‌ ଚିଲିକୁ ୭ ଦିନ ପାଇଁ ସିଲ୍‌ କରାଯାଇଛି। ଏହାର ପରିସର ଓ ରୋଷଶାଳାର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ନେଇ ଅଭିଯୋଗ ଆସିବା ପରେ ଆଜି କମିସନର ବିଜୟ ଅମୃତା କୁଲାଙ୍ଗେ ସଦଳବଳେ ଚଢ଼ଉ କରିଥିଲେ। ଆବର୍ଜନାମୟ ପରିବେଶ ଦେଖି କମିସନର ଏହାକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଉଚିତ୍‌ ପରିମାଣର ଜରିମାନା ପଇଠ କରି ୭ ଦିନ ପରେ ଏହା ଖୋଲିପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ତେବେ ବିଏମ୍‌ସିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି।

କେବଳ ମାଷ୍ଟରକ୍ୟାଣ୍ଟିନ୍‌ ଗ୍ରିନ୍‌ ଚିଲି କାହିଁକି? ଏହି ଗୋଟିଏ ଦୋକାନ କଣ ସ୍ବଚ୍ଛତା ନିୟମ ମାନିନଥିଲା? ସହରରେ ଶହ ଶହ ଦୋକାନ ଏହି ନିୟମକୁ ମାନୁ ନାହାନ୍ତି। ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶ୍ନ ଉଠିଛି। ଉଲ୍ଲେଖଯୋଗ୍ୟ, ସ୍ବଚ୍ଛତା ପାଇଁ ବିଏମ୍‌ସି ପକ୍ଷରୁ ଏକ ଏସ୍‌ଓପି ଜାରି ହୋଇଛି। ଏହି ଏସ୍‌ଓପି ଅନୁଯାୟୀ କ୍ଷୁଦ୍ର କିମ୍ବା ମଧ୍ୟମ ବର୍ଗର ବ୍ୟବସାୟୀ ନିଜ ପରିସର ତଥା ଆଖପାଖର ୫ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ସ୍ୱଚ୍ଛ ରଖିବେ। ବିଶେଷକରି ଖାଦ୍ୟ ଦ୍ରବ୍ୟ ବ୍ୟବସାୟୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି କରାଯାଇଥିଲା। କିନ୍ତୁ ଗ୍ରିନ୍‌ଚିଲି ଏହାକୁ ମାନୁ ନଥିବା ଅଭିଯୋଗ ହୋଇଥିଲା। ଖୁବ୍‌ ଶୀଘ୍ର ବିଏମ୍‌ସି ପକ୍ଷରୁ କ୍ଷୁଦ୍ର, ମଧ୍ୟମ ତଥା ବଡ଼ ବ୍ୟବସାୟୀମାନଙ୍କ ପାଇଁ ଆଉ ଏକ ଏସ୍‌ଓପି ଜାରି କରାଯିବ ବୋଲି କୁହାଯାଇଛି। ବ୍ୟବସାୟ ପ୍ରତିଷ୍ଠାନରେ ଡଷ୍ଟବିନ୍‌ ରଖିବା ଠାରୁ ଆରମ୍ଭ କରି ଅଳିଆ ନିଷ୍କାସନ ପର୍ଯ୍ୟନ୍ତ ସମସ୍ତ ବିଷୟ ଉପରେ ଏସ୍‌ଓପିରେ ସୂଚନା ଦିଆଯିବ। ସେହିପରି ଗ୍ରାହକମାନଙ୍କୁ ସଚେତନ କରାଇବା ତଥା ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଜରିମାନା ଆଦି ବିଷୟରେ ଏସ୍‌ଓପିରେ ସ୍ପଷ୍ଟ କରାଯିବ।

ସମ୍ବନ୍ଧିତ ଖବର