ଦୁଇଦିନିଆ ରିମାଣ୍ଡରେ ଟିଟୋର ଘନିଷ୍ଠ ସହଯୋଗୀ ମହମ୍ମଦ ତବ୍ରିଜ୍‌

ଭୁବନେଶ୍ୱର : କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଥିବା ଟିଟୋର ଘନିଷ୍ଠ ସହଯୋଗୀ ମହମ୍ମଦ ତବ୍ରିଜ୍‌ ଦୁଇଦିନିଆ ରିମାଣ୍ଡରେ ଆସିଛି। ମଙ୍ଗଳବାର ଖୋର୍ଦ୍ଧା ଏସ୍‌ଡିଜେଏମ୍‌ ରିମାଣ୍ଡ ମଞ୍ଜୁର କରିବା ପରେ ତାକୁ ବୁଧବାର ଏସ୍‌ଟିଏଫ୍‌ କାର୍ଯ୍ୟ‌ାଳୟକୁ ଅଣାଯାଇ ପଚରା ଉଚରା ଆରମ୍ଭ ହୋଇଛି। ମାମଲାର ତଦନ୍ତକାରୀ ଅଧିକାରୀଙ୍କ ସମେତ ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଜେରା ଜାରି ରଖିଛନ୍ତି। ଗୋଟିଏ ଦିନର ଜେରାରେ ଏସ୍‌ଟିଏଫ୍ ଅନେକ ତଥ୍ୟ ପାଇଛି। ତେବେ ଭୁବନେଶ୍ବର ବାହାରେ ତା’ର ଆଉ ଏକ ବିଳାସପୂର୍ଣ୍ଣ ପ୍ରାସାଦ ଥିବା ଜଣାପଡ଼ିଛି। ଆସନ୍ତାକାଲି ତାକୁ ସମ୍ପୃକ୍ତ ଜାଗାକୁ ନିଆଯାଇ ସେହି ଘର ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତା’ ସହ ଟିଟୋ ଓ ଅନ୍ୟ ଗ୍ୟାଙ୍ଗଷ୍ଟର୍‌ଙ୍କ ଲିଙ୍କ୍‌ ଏବଂ ଆପରାଧିକ କାର୍ଯ୍ୟକଳାପ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯିବ‌। ଆବଶ୍ୟକ ପଡ଼ିଲେ ରିମାଣ୍ଡ ଅବଧି ବଢ଼ାଇବାକୁ ଆବେଦନ କରାଯାଇ ପାରେ ବୋଲି ଜଣାପଡ଼ିଛି।

ଅପରପକ୍ଷେ ପ୍ରଥମ ଦିନର ଜେରାରେ ଆଉ ଏକ ଘର ସମ୍ବନ୍ଧରେ ସୂଚନା ମିଳିଲାଣି। ଆହୁରି ଗୋଟିଏ ଦିନ ରିମାଣ୍ଡ ଅବଧି ରହିଛି। ଏଣୁ ଅନେକ ସମ୍ପତ୍ତି ସମ୍ବନ୍ଧରେ ସୂଚନା ମିଳିପାରେ ବୋଲି ଆଶା କରାଯାଉଛି। ସେହିଭଳି ତା’ର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା କରାଯାଉଛି। ବେଆଇନ ଖଣି ବେପାରର ଲେଡି ଡନ୍‌ କୁହାଯାଉଥିବା ମହିଳାଙ୍କ ମଧ୍ୟ ସେ ସହଯୋଗୀ ବୋଲି ଚର୍ଚ୍ଚା ଥିବାରୁ ଜେରା ସମୟରେ ସେ ସମ୍ବନ୍ଧରେ ଏସ୍‌ଟିଏଫ୍‌ ତାକୁ ପଚରାଉଚରା କରିବ। ସେହିଭଳି କଟକ କିଶନନଗର ଥାନାରେ ତା’ ନାମରେ ଥିବା ଏକ ମାମଲାରେ କମିସନରେଟ୍‌ ପୁଲିସ ମଧ୍ୟ ତାକୁ ଜେରା କରିପାରେ ବୋଲି ସୂଚନା ମିଳିଛି। ବର୍ତ୍ତମାନ ମିଳିଥିବା ସମ୍ପତ୍ତିକୁ ହିସାବକୁ ନେଲେ ମୂଲ୍ୟ ୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର ହେବ ବୋଲି ଏସ୍‌ଟିଏଫ୍‌ ଅନୁମାନ କରୁଛି।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ କ୍ରିଷ୍ଣାନନ୍ଦପୁର ଗ୍ରାମର ତବ୍ରିଜ୍‌ ପତ୍ନୀଙ୍କ ସହ ଥାଇଲାଣ୍ଡ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରୁ ଧରା ପଡ଼ିଥିଲା।

ସମ୍ବନ୍ଧିତ ଖବର