ଓମ୍‌ବାଡସିରେ କେନ୍ଦୁଝରକୁ ଅବହେଳା, ସିଇସିକୁ ଅଭିଯୋଗ କଲା ନାଗରିକ ମଞ୍ଚ

କେନ୍ଦୁଝର : ଓମ୍‌ବାଡସି ପାଇଁ କେନ୍ଦୁଝର ଜିଲ୍ଲାରୁ ଜରିମାନା ଆଦାୟ ହେବ ଏବଂ କେନ୍ଦୁଝର ଜିଲ୍ଲାରେ ଅର୍ଥ ଖର୍ଚ୍ଚ ହେବ। ଅଥଚ ଓମ୍‌ବାଡସି ବୋର୍ଡରେ କେନ୍ଦୁଝର ଜିଲ୍ଲାର ଜଣେ ବି କେହି ସାମିଲ ନାହାନ୍ତି। ଜମା ହୋଇଥିବା ହଜାରହଜାର କୋଟି ଟଙ୍କା ଠିକ୍‌ ଢଙ୍ଗରେ ଖର୍ଚ୍ଚ ହେଉନାହିଁ ବୋଲି ଆଶଙ୍କା କରିଛି କେନ୍ଦୁଝର ନାଗରିକ ମଞ୍ଚ। ଆଜି ଖୋଦ୍‌ ଏଇ ପ୍ରସଙ୍ଗକୁ ନେଇ ନାଗରିକ ମଞ୍ଚ ସିଇସିଙ୍କୁ ଭେଟିଛି ଏବଂ ଓମ୍‌ବାଡସିର ଅବ୍ୟବସ୍ଥିତ ଅର୍ଥ ବ୍ୟୟ ନେଇ ଆଲୋଚନା କରିଛି।

କେନ୍ଦୁଝର, ସୁନ୍ଦରଗଡ଼ ଭଳି ମୋଟ ୮ଟି ଖଣିଭିତ୍ତିକ ଜିଲ୍ଲା ପାଇଁ ଗଠିତ ହୋଇଛି ଓଡ଼ିଶା ମିନେରାଲ ବିୟରିଙ୍ଗ ଏରିଆଜ୍‌ ଡେଭଲପମେଣ୍ଟ କର୍ପୋରେସନ ବା ଓମ୍‌ବାଡସି। ଏହି କର୍ପୋରେସନରେ ୧୧ ଜଣ ବୋର୍ଡ ଅଫ୍‌ ଡାଇରେକ୍ଟର ଥିଲେ ବି କେନ୍ଦୁଝର ଜିଲ୍ଲାରୁ ଜଣେ ବି ନାହାନ୍ତି। ଫଳରେ ସେମାନେ କେନ୍ଦୁଝର ଜିଲ୍ଲାର ବାସ୍ତବ ସମସ୍ୟା ସଂପର୍କରେ ଅବଗତ ହୋଇ ପାରୁନାହାନ୍ତି। ଯଦି କେନ୍ଦୁଝର ଜିଲ୍ଲାର ସଦସ୍ୟ ଏଥିରେ ସାମିଲ ଥାନ୍ତେ, ତେବେ କେନ୍ଦୁଝର ବିକାଶ ନେଇ ବାସ୍ତବ ଆଲୋଚନା ହୋଇ ପାରିଥାନ୍ତା ବୋଲି ମଞ୍ଚ ଅଭି‌ଯୋଗ କରିଛି। ଦ୍ବିତୀୟରେ ଏହି ଓମ୍‌ବାଡିସିରେ ମୋଟ ୧୩,୯୩୩ କୋଟି ଟଙ୍କା ଗତବର୍ଷ ନଭେମ୍ବର ମାସ ସୁଦ୍ଧା ବିଭିନ୍ନ ଖଣି କମ୍ପାନିରୁ ଆଦାୟ ହୋଇଛି। କେନ୍ଦୁଝର ଜିଲ୍ଲାରୁ କେବଳ ୭୬.୪୯ ପ୍ରତିଶତ ଅର୍ଥାତ ୧୦,୬୬୦ କୋଟି ଟଙ୍କା ଆଦାୟ ହୋଇଛି। ଓମ୍‌ବାଡସିରେ ୮ଟି ଜିଲ୍ଲା ଅନ୍ତର୍ଭୁକ୍ତ ଥିଲେ ବି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲା‌ରେ ପ୍ରାଥମିକତା ଭିତ୍ତିରେ ଖର୍ଚ୍ଚ କରିବାକୁ ସୁପ୍ରିମକୋର୍ଟ ୨୯.୧୦.୨୦୧୮ରେ ନିର୍ଦେଶ ଦେଇଛନ୍ତି। ଏହି ଅର୍ଥରୁ ଗତବର୍ଷ ଅକ୍ଟୋବର ସୁଦ୍ଧା ମାତ୍ର ୫୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହାକି ବେଶ୍‌ ନଗଣ୍ୟ।ଅପରପକ୍ଷରେ ଯେତିକି ବି ଅର୍ଥ ଖର୍ଚ୍ଚ ହୋଇଛି, ସେଥିରୁ ଅଧିକାଂଶ ଠିକ୍‌ ଭାବେ ଖର୍ଚ୍ଚ ହୋଇନାହିଁ। ମଞ୍ଚର କହିବା କଥା ହେଉଛି, ଆବାସ ଯୋଜନାରେ ଓମ୍‌ବାଡସି ଅର୍ଥ ଖର୍ଚ୍ଚ ନକରିବାକୁ ଗାଇଡଲାଇନ୍‌ରେ ସ୍ପଷ୍ଟ ନିର୍ଦେଶ ଥିବା ସତ୍ତ୍ବେ ରାଜ୍ୟ ସରକାର ଏହି ଅର୍ଥରେ ହାଟଡିହି ବ୍ଲକରେ ବିଭିନ୍ନ ହିତାଧିକାରୀଙ୍କୁ ଆବାସ ବାଣ୍ଟି ଦେଇଛନ୍ତି। ଏହା ନିୟମ ଉଲ୍ଲଂଘନ କରୁଛି। ତୃତୀୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଯେଉଁସବୁ ଯୋଜନା କାର୍ଯ୍ୟକାରୀ ହେଉଛି, ରାଜ୍ୟ ସରକାର ଉଦ୍ଦେଶ୍ୟମୂଳକ ଭାବେ ଓମ୍‌ବାଡସି ଅର୍ଥକୁ ସେଇ ଯୋଜନାରେ ଖର୍ଚ୍ଚ କରି ଅର୍ଥ ହରିଲୁଟ୍‌ କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛି ନାଗରିକ ମଞ୍ଚ।

ନାଗରିକ ମଞ୍ଚର ଏହି ପ୍ରତିନିଧି ମଣ୍ଡଳୀରେ ସଭାପତି ୱିଙ୍ଗ୍‌ କମାଣ୍ଡର କିରଣ ଶଙ୍କର ସାହୁ, ଅଜୟ ସାହୁ, ରଘୁନାଥ ମିଶ୍ର, ଲାଲମୋହନ ରାଉତ, ପ୍ରସନ୍ନ ଦାସ, ଦୁର୍ଯ୍ୟଧନ ବେହେରା ଉପସ୍ଥିତ ରହି ସୁପ୍ରିମକୋର୍ଟ ଦ୍ବାରା ସ୍ଥାପିତ‌ ସେଣ୍ଟ୍ରାଲ ଏମପାୱାର୍ଡ କମିଟି(ସିଇସି)ର ଅଧ୍ୟକ୍ଷ ପିଭି ଜୟକ୍ରିଷ୍ଣନ, ଓମ୍‌ବାଡସିର ସିଇଓ ଉମା ନୁନ୍ଦୁରୀଙ୍କୁ ଅଭିଯୋଗ ପତ୍ର ଦେବା ସହିତ ଆଲୋଚନା କରିଥିଲେ। ଏହି ସମୟରେ ଜିଲ୍ଲାପାଳ ଆଶିଷ୍‌ ଠାକ୍‌ରେ ଏବଂ ଡିଏଫ୍‌ଓ ସଂଜୀବ ଯୋଶୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର