ସରକାରୀ ମହାବିଦ୍ୟାଳୟ ମିନିଷ୍ଟ୍ରିଆଲ ଅଫିସର୍‌ ଆସୋସିଏସନ୍‌ର ବୈଠକ

ଭୁବନେଶ୍ବର,: ଓଡ଼ିଶା ସରକାରୀ ମହାବିଦ୍ୟାଳୟ ମିନିଷ୍ଟ୍ରିଆଲ ଅଫିସର୍‌ ଆସୋସିଏସନର ଆହ୍ବାନକ୍ରମେ ଆଜି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟରୁ ଅନୁଭାଗ ଅଧିକାରୀ, ବରିଷ୍ଠ ଓ କନିଷ୍ଠ ସହାୟକମାନେ ଯୋଗଦେଇ ସେମାନଙ୍କ ସମସ୍ୟା ସଂପର୍କ‌ରେ ଆଲୋଚନା କରିଥିଲେ। କର୍ମଚାରୀଙ୍କ ଗ୍ରେଡ୍‌-ପେ’ ପରିବର୍ତ୍ତନ କରିବା, ସପ୍ତମ ବେତନ କମିସନ୍‌ ଅନୁଯାୟୀ ଘରଭଡ଼ା ଓ ଠିକ୍‌ ସମୟ‌ରେ ପଦୋନ୍ନତି ଦିଆନଯିବା ଆଦି ସମସ୍ୟାକୁ ନେଇ କ୍ଷୋଭ ପ୍ରକାଶ ପାଇଥିଲା।

ଏହି ଅବସରରେ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୌରୀଶଙ୍କର ପଣ୍ଡା ସଭାପତି, ପ୍ରଦୀପ କୁମାର ଦାଶ ଉପସଭାପତି ଓ ପ୍ରଦୀପ କୁମାର ବହିଦାର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ନୃସିଂହ ବେହେରା, ସ୍ନେହଲତା ବେହେରା, ମାନସ ସ୍ୱାଇଁ, ନକୁଳ ମାଝୀ, ବଳରାମ ନାୟକ, ଦୀପକ ନାୟକ ପ୍ରମୁଖ ସଂପାଦକ, ଏମ୍‌. ଗୋପାଲ କୋଷାଧ୍ୟକ୍ଷ ଏବଂ ଶ୍ରୀମତୀ ନମିତାରାଣୀ ପଟ୍ଟନାୟକ ମିଡିଆ ସେଲ୍‌ ଆବାହକ ଭାବେ ନିର୍ବାଚିତ ହୋଇଥିଲେ। ସୁପ୍ରଭା ମହାପାତ୍ରଙ୍କୁ ହିସାବ ନିରୀକ୍ଷକ ଭାବେ ଚୟନ କରାଯାଇଥିଲା। ନିର୍ବାଚନ ପରେ ନବନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ପାଠ କରିଥିଲେ। ଆରମ୍ଭରେ ଭଦ୍ରସେନ ଭୋଇନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ମତ ରଖିଥିବା ବେଳେ ନମିତାରାଣୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର