ମିଟର ରିଡରଙ୍କ ତ୍ରୁଟି: ୫୮ ଲକ୍ଷ ଟଙ୍କା ବିଦ୍ୟୁତ୍ ବିଲ୍‌, ୭ ଶହ ଟଙ୍କାକୁ ଖସିଲା

ପୁରୁଣା ଭୁବନେଶ୍ୱର: ମିଟର ରିଡରଙ୍କ ତ୍ରୁଟି ପାଇଁ ଜଣେ ଗରିବ ଦିବ୍ୟାଙ୍ଗଙ୍କ ଘରକୁ ଆସିଥିବା ୫୮ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍‌କୁ ସଂଶୋଧନ କରାଯାଇଛି। ଆଜି ବିଭାଗୀୟ ଅଧିକାରୀମାନେ ଉକ୍ତ ଭୁଲ୍‌ ବିଲ୍‌କୁ ସୁଧାରିବା ପରେ ଉପଭୋକ୍ତାଙ୍କୁ ୭୩୫ ଟଙ୍କାର ବିଲ୍‌ ଦେଇଛନ୍ତି। ଫଳରେ ଘୋର୍‌ ମାନସିକ ଚିନ୍ତାରେ ପଡ଼ିଥିବା ଦିବ୍ୟାଙ୍ଗ ଉପଭୋକ୍ତାଙ୍କୁ ଆଶ୍ବସ୍ତି ମିଳିଛି ଓ ରାଜଧାନୀରେ ଚର୍ଚ୍ଚିତ ଏହି ମାମଲାର ଅନ୍ତ ଘଟିଛି।

ପାଞ୍ଚଗାଁରେ ରହୁଥିବା ପ୍ରସନ୍ନ କୁମାର ନାୟକ ଓ ତାଙ୍କ ପତ୍ନୀ ଉଭୟ ଦିବ୍ୟାଙ୍ଗ। ତାଙ୍କ ସହ ସାନ ଭାଇ ଅଜୟ ନାୟକ ରୁହନ୍ତି। ଘରେ ମାତ୍ର ୪ଟି ଏଲ୍‌ଇଡି ବଲ୍‌ବ ଓ ୨ଟି ପଙ୍ଖା ଲାଗିଛି। ଗତବର୍ଷ ସେପ୍ଟମ୍ବର ମାସରେ ତାଙ୍କୁ ୧୮ହଜାର ୮୪୫ଟଙ୍କାର ବିଦ୍ୟୁତ୍ ବିଲ୍‌ ଦିଆଯାଇଥିଲା। ସେ ପ୍ରତିବାଦ କରିବାରୁ ବୁଝାମଣା ହୋଇଥିଲା ଓ ତାଙ୍କୁ ସେତେବେଳେ ୯ହଜାର ୭୧୦ ଟଙ୍କା ଦେବାକୁ ପଡ଼ିଥିଲା। ମିଟର ଖରାପ ଥିବାରୁ ଏହି ସମସ୍ୟା ହୋଇଥିଲା ବୋଲି ତାଙ୍କୁ ଡିସେମ୍ବରରେ ଏକ ନୂଆ ମିଟର ଯୋଗାଇ ଦିଆଯାଇଥିଲା। ମାତ୍ର ୭ମାସ ପର୍ଯ୍ୟନ୍ତ ତାଙ୍କୁ ନୂଆ ବିଲ୍‌ ଦିଆଗଲା ନାହିଁ। ୭ ମାସ ପରେ ଗତ ୨୪ ତାରିଖରେ ତାଙ୍କୁ ୫୮ଲକ୍ଷ ୮୫ହଜାର ଟଙ୍କାର ବିଲ୍‌ ଦିଆଗଲା। ଏହି ତ୍ରୁଟିପୂର୍ଣ ବିଲ୍‌ ଦେଖି ଦିବ୍ୟାଙ୍ଗ ଦମ୍ପତି ପୁଣି ଅଡ଼ୁଆରେ ପଡ଼ି ଯାଇଥିଲେ। ଗତ ‌ବର୍ଷର ଭୁଲ୍‌ ବିଲ୍‌ ଓ ୯ ହଜାର ଟଙ୍କା କଥା ମନେ ପକାଇ ସେମାନେ ବ୍ୟସ୍ତ ହୋଇପଡ଼ିଲେ। ତେବେ ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀମାନେ ତାଙ୍କ ଘରକୁ ଯାଇ ତଦନ୍ତ କରିଥିଲେ। ଭୁଲ୍‌ ବିଲ୍‌ ପାଇଁ ଦିବ୍ୟାଙ୍ଗ ଦମ୍ପତିଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ତାଙ୍କୁ ୭୩୫ ଟଙ୍କାର ଠିକ୍‌ ବିଲ୍ ଦେଇଥିଲେ ଓ ସେମାନେ ମଧ୍ୟ ସଙ୍ଗେ ସଙ୍ଗେ ବିଲ୍‌ ଦେୟ ପଇଠ କରିଥିଲେ।

ସମ୍ବନ୍ଧିତ ଖବର