ପିପିଲିକୁ ଗଡ଼ିବ ମୋ ବସ୍‌, ପ୍ରତିଦିନ ୪ଟି ବସ୍‌ ଚାଲିବ

ଭୁବନେଶ୍ବର : ଭୁବନେଶ୍ବର-କଟକ-ଖୋର୍ଦ୍ଧା ମଧ୍ୟରେ ଚଳାଚଳ କରୁଥିବା ମୋ ବସ୍‌ ଏଣିକି ଭୁବନେଶ୍ବରରୁ ପିପିଲି ଚାଲିବ। ଜୁନ୍‌ ୨୩ ତାରିଖରୁ ରୁଟ୍‌ ନଂ-୩୩ରେ ଏହି ବସ୍‌ ସେବା ଆରମ୍ଭ ହେବ। ଭୁବନେଶ୍ବର ରେଳ ଷ୍ଟେସନରୁ ପିପିଲିକୁ ବସ୍‌ ଚଳାଚଳ କରିବ। ପିପିଲିକୁ ମୋ ବସ୍‌ ଚଳାଚଳ କରିବାକୁ ସ୍ଥାନୀୟ ବାସିନ୍ଦା ବହୁ ଦିନ ହେଲା ଅନୁରୋଧ କରୁଥିବାରୁ କ୍ରୁଟ୍‌ ପକ୍ଷରୁ ଏହି ନିଷ୍ପତ୍ତି ‌ନିଆଯାଇଛି ବୋଲି କ୍ରୁଟ୍‌ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି। ଏହି ବସ୍‌ ଚଳାଚଳ କଲେ ବହୁ ପର୍ଯ୍ୟଟକ ଚାନ୍ଦୁଆ ସହର ପିପିଲିକୁ ଯାଇପାରିବେ ବୋଲି ସେ କହିଛନ୍ତି।

କ୍ରୁଟ୍‌ ପକ୍ଷରୁ କୁହାଯାଇଛି ଯେ ଏହି ରୁଟ୍‌ରେ ଏବେ ୪ଟି ବସ୍‌ ପ୍ରତ୍ୟେକ ଦିନ ୩୩ଟି ବସ୍‌ଷ୍ଟପ୍‌ ମଧ୍ୟରେ ଯାତ୍ରା କରିବ। ପ୍ରଥମ ବସ୍‌ ଭୁବନେଶ୍ବର ରେଳ ଷ୍ଟେସନରୁ ସକାଳ ୭ଟାରେ ବାହାରିବ। ଶେଷ ବସ୍‌ ସଂଧ୍ୟା ୫ଟା ୫୦ରେ ପିପିଲି ଅଭିମୁଖେ ଯିବ। ସେହିପରି ପିପିଲିରୁ ପ୍ରତିଦିନ ସକାଳ ୭ଟା ୪୫ରେ ବସ୍‌ ବାହାରିବ ଏବଂ ଶେଷ ବସ୍‌ ସଂଧ୍ୟା ୭ଟାରେ ବାହାରିବ। ୨୩ତାରିଖରେ ମାତ୍ର ଗୋଟିଏ ବସ୍‌ ଚାଲିବ। ଏହି ରୁଟ୍‌ରେ ବସ୍‌ ଟିକେଟ ମୂଲ୍ୟ ୩୦ଟଙ୍କା ରହିବ। ଏବେ ଯାତ୍ରୀମାନେ ଟିକେଟ୍‌ ମୂଲ୍ୟ ଅନୁଯାୟୀ ଖୁଚୁରା ଦେବା ସହ କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ଟିକେଟ୍‌ ‌କରିବାକୁ କ୍ରୁଟ୍‌ ପକ୍ଷରୁ କୁହାଯାଇଛି। ଏବେ କରୋନା କଟକଣା ଥିବାରୁ ବିନା ମାସ୍କରେ କୌଣସି ଲୋକ ଯାତ୍ରା ନ କରିବାକୁ କୁହାଯାଇଛି। ଏହାସହ ବସ୍‌ରେ କେହି ଛିଡ଼ା ହୋଇ ଯାତ୍ରା କରିପାରିବେନି ବୋଲି କ୍ରୁଟ୍‌ ପକ୍ଷରୁ ନିୟମ ହୋଇଛି।

ସମ୍ବନ୍ଧିତ ଖବର