‘ମୋ ସ୍କୁଲ’ ଅଭିଯାନ ପରିଚାଳନା ପରିଷଦ ବୈଠକ: ଯୋଡ଼ି ହେଲେ ୫ଲକ୍ଷ ପୁରାତନ ଛାତ୍ରଛାତ୍ରୀ

୬ ମାସରେ ୫୦ ହଜାର ସ୍କୁଲରେ ପହଞ୍ଚିବ
ହଜାରେ କୋଟିରେ ପହଞ୍ଚିବ ମୋ ସ୍କୁଲ ପ୍ରକଳ୍ପ

ଭୁବନେଶ୍ବର : ‘ମୋ ସ୍କୁଲ୍’ ଅଭିଯାନକୁ ସଫଳତା ମିଳିଛି। ଏବେ ସୁଦ୍ଧା ରାଜ୍ୟର ୩୫ହଜାର ବିଦ୍ୟାଳୟରେ ‘ମୋ ସ୍କୁଲ’ ପହଞ୍ଚିଥିବା ବେଳେ ୫ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଅଭିଯାନରେ ଯୋଡ଼ି ହୋଇଛନ୍ତି। ଆଗାମୀ ଦିନରେ ଅଭିଯାନକୁ ଆହୁରି ବ୍ୟାପକ କରାଯାଇ ୬ ମାସ ମଧ୍ୟରେ ୫୦ ହଜାର ବିଦ୍ୟାଳୟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସମୟସୀମା ମଧ୍ୟରେ ୧୦ ଲକ୍ଷ ପୁରାତନ ଛାତ୍ରଛାତ୍ରୀଙ୍କୁ ଅଭିଯାନରେ ଯୋଡ଼ିବା ପାଇଁ ପ୍ରୟାସ ଜାରି ରହିଥିବା ‘ମୋ ସ୍କୁଲ୍‌’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ କହିଛନ୍ତି।

ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ମୋ ସ୍କୁଲ୍ ଅଭିଯାନର ୮ମ ପରିଚାଳନା ପରିଷଦ ବୈଠକରେ ଯୋଗଦେଇ ଶ୍ରୀମତୀ ବାଗ୍‌ଚୀ କହିଲେ, ‘ମୋ ସ୍କୁଲ୍‌’ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟାପକତାକୁ ଦୃଷ୍ଟିରେ ରଖି ସ୍କୁଲ୍‌ସ୍ତରରେ ମନିଟରିଂକୁ ପ୍ରାଥମିକତା ଦିଆଯିବ। କାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ ପାଇଁ ଜିଲ୍ଲା ଓ ରାଜ୍ୟସ୍ତରରେ ମଧ୍ୟ ମନିଟରିଂ ଡ୍ରାଇଭ୍‌କୁ ଗୁରୁତ୍ୱର ସହ ନିଆଯିବ। ‘ଆସେଟ୍ ରେଜିଷ୍ଟର୍‌’ ଓ ପ୍ରକଳ୍ପର ପବ୍ଲିକ୍ ଡିସ୍‌କ୍ଲୋଜର୍ ମାଧ୍ୟମରେ ଖର୍ଚ୍ଚ ହେଉଥିବା ପ୍ରତି ଟଙ୍କାର ହିସାବ ପୁରାତନ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଯିବ। ରାୟଗଡ଼ା, କନ୍ଧମାଳ ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୩୦ଟି ଜିଲ୍ଲାରେ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ଏହି ପ୍ରକ୍ରିୟାରେ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପ୍ରୟାସ ଜାରି ରହିଥିବା ସେ କହିଛନ୍ତି। ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ, ‘ମୋ ସ୍କୁଲ୍‌’ ପ୍ରକଳ୍ପ ଖୁବ୍‌ଶୀଘ୍ର ଏକ ହଜାର କୋଟିରେ ପହଞ୍ଚିବ। ସେଥିପାଇଁ ଏବେଠାରୁ ବିଦ୍ୟାଳୟସ୍ତରରେ ପ୍ରକଳ୍ପ କାର୍ଯ୍ୟକାରିତାକୁ ତଦାରଖ ଦିଗ‌ରେ ପଦକ୍ଷେପ ନିଆଯାଉ। ଅଧିକରୁ ଅଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ୍‌’କୁ ପହଞ୍ଚାଇବା ଉପରେ ସେ ଗୁରୁତ୍ବ ଦେଇଥିଲେ।

ପରିଚାଳନା ପରିଷଦ ବୈଠକରେ ମୋ ସ୍କୁଲ୍ ଅଭିଯାନର ସଫଳତା ଶ୍ରେୟ ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯାଇଥିଲା। ରାଜ୍ୟ ଓ ଦେଶ ବାହାରର ବିଭିନ୍ନ ସଂସ୍ଥା ସହ ମିଳିତ ଭାବେ ଶିକ୍ଷକ, ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ, ଡିଜିଟାଲ କ୍ଷେତ୍ରରେ ସେମାନଙ୍କୁ ସୁଦୃଢ଼ କରିବାକୁ ‘ମୋ ସ୍କୁଲ୍‌’ ହାତକୁ ନେଇଥିବା ଏକାଧିକ କାର୍ଯ୍ୟକ୍ରମକୁ ପରିଚାଳନା ପରିଷଦ ଅନୁମୋଦନ ପ୍ରଦାନ କରିଛି। ସେହିପରି ‘ମୋ ସ୍କୁଲ୍ ଅଭିଯାନ’ରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରତି ଜିଲ୍ଲାର ୩ଜଣ ଲେଖାଏଁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚୟନ କରି ପୁରସ୍କୃତ କରାଯିବା ସହ ‘ବିଦ୍ୟାଳୟ ପୋଷ୍ୟ ଗ୍ରହଣ କାର୍ଯ୍ୟକ୍ରମ’ ଅଧୀନରେ ମାସକୁ ଥରେ ଲେଖାଏଁ ମେଣ୍ଟର, ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନେଇ ବୈଠକ କରିବାକୁ ପରିଚାଳନା ପରିଷଦ ପରାମର୍ଶ ଦେଇଛି। ବୈଠକରେ ‘ମୋ ସ୍କୁଲ୍‌’ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ପ୍ରଦାନ କରିଥିଲେ। ‘ମୋ ସ୍କୁଲ୍‌’ ଅଭିଯାନର ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିଯାନର ଭାରପ୍ରାପ୍ତ ଅଧିକାରୀ ପ୍ରତିଭା ଦୋରା, ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର, ବିଭାଗୀୟ ଅର୍ଥ ପରାମର୍ଶଦାତା ରତିକାନ୍ତ ମହାପାତ୍ର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର