ରାସ୍ତା ଉପରେ ପଡ଼ିଛି ଭ୍ରାମ୍ୟମାଣ ଶୌଚାଳୟ

ଭୁବନେଶ୍ବର: ରାଜଧାନୀକୁ ବାହ୍ୟ ମଳମୁକ୍ତ ଅଞ୍ଚଳ କରିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ଶୌଚାଳୟ(ମୋବାଇଲ୍‌ ଟଏଲେଟ୍‌) ପ୍ରତିଷ୍ଠା କରାଯାଇଥିଲା। ମାତ୍ର ଏବେ ସେଗୁଡ଼ିକ ରାଜରାସ୍ତାରେ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ଜାଗମରା-ବରମୁଣ୍ଡା ରାସ୍ତା ଉପରେ ଏଭଳି ଏକ ଭ୍ରାମ୍ୟମାଣ ଶୌଚାଳୟ ଦୀର୍ଘ ଦିନ ହେବ ତାଲା ବନ୍ଦ ଅବସ୍ଥାରେ ପଡ଼ିରହିଛି। ଏହି ଶୌଚାଳୟ ଟି ରାସ୍ତାର ବେଶ୍ କିଛି ଅଂଶ ସମ୍ପୂର୍ଣ୍ଣ ଅବରୋଧ କରି ରଖିଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଶେଷକରି ସୁଲଭ ଶୌଚାଳୟ ନଥିବା ସ୍ଥାନରେ ଲୋକେ ଏଭଳି ଭ୍ରାମ୍ୟମାଣ ପାଇଖାନାର ଆବଶ୍ୟକ କରନ୍ତି। ବରମୁଣ୍ଡା ଜାଗମରା ରାସ୍ତା ଏବେ ରାଜଧାନୀର ଏକ ପ୍ରମୁଖ ଜନଗହଳିପୂର୍ଣ୍ଣ ଅଞ୍ଚଳ। ତେଣୁ ଦିନ ରାତି ଏଠାରେ ଏକ ଏଭଳି ପାଇଖାନା ଜରୁରୀ ବୋଲି ବିଏମ୍‌ସି ଅନୁଭବ କରିବା ପରେ ଏହି ପାଇଖାନା ପ୍ରତିଷ୍ଠା କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ପ୍ରତିଷ୍ଠା ହେବାର ମାତ୍ର କିଛି ଦିନ ଭିତରେ ଏହା ଅଚଳ ହୋଇପଡ଼ିଲା। ଏବେ ଏହା ରାସ୍ତା ଉପରେ ସେମିତି ପଡ଼ି ରହିଛି ଓ ରାସ୍ତା ଅବରୋଧ କରିଛି। ଫଳରେ ଲୋକେ ରାତିରେ ଏହି ରାସ୍ତାରେ ଯାତାୟାତ କଲାବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। କେବଳ ଏହି ଭ୍ରାମ୍ୟମାଣ ପାଇଖାନା ନୁହେଁ, ରାଜଧାନୀର ବହୁ ମୋବାଇଲ୍‌ ଟଏଲେଟ୍‌ ଅବସ୍ଥା ସେହିଭଳି। କେଉଁଠି ପାଣି ବ୍ୟବସ୍ଥା ନାହିଁ ତ କେଉଁଠି ଟ୍ୟାପ୍‌ କାମ କରୁନି। ବିଭିନ୍ନ ଯନ୍ତ୍ରାଂଶ କାମ କରୁ ନ ଥିବାରୁ କେଉଁଠି ପାଇଖାନାକୁ ବନ୍ଦ କରି ପକାଇ ଦିଆଯାଇଛି। ଫଳରେ ସେଠାରେ ଦୀର୍ଘ ଦିନ ହେବ ତାଲା ଝୁଲୁଛି। କେତେକ ଶୌଚାଳୟ ରାସ୍ତା କିମ୍ବା ଦୋକାନ ସମ୍ମୁଖରେ ପଡ଼ି ରହି ରାସ୍ତା ଅବରୋଧ କରୁଥିବା ସ୍ଥାନୀୟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ବରମୁଣ୍ଡା ଅଞ୍ଚଳର ଅଧିବାସୀ ସୁବ୍ରତ ରାଉତଙ୍କ କହିବା ଅନୁସାରେ ଆଠ ମାସ ପୂର୍ବେ ବିଏମ୍‌ସି ଏହି ଶୌଚାଳୟଟି ଆଣି ରାସ୍ତା ଉପରେ ରଖିଥିଲା। କିନ୍ତୁ ଆସିବା ଦିନଠାରୁ ଏହାକୁ କେହି ବ୍ୟବହାର କରିଥିବା ଦେଖା ଯାଇନାହିଁ। ବହୁ ଦିନ ହେଲା ଅବ୍ୟବହୃତ ହୋଇ ପଡ଼ିଥିଲେ ବି ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ଉଠାଇ ନେଉନାହାନ୍ତି କି କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନେଉନାହାନ୍ତି।

ସମ୍ବନ୍ଧିତ ଖବର