ବର୍ତି ଯାଇଛି ଟଙ୍କା, ସର୍ଭର ସମେତ ସବୁ ରେକର୍ଡପତ୍ର ପାଉଁଶ

ଓରିଏଣ୍ଟାଲ୍‌ ବ୍ୟାଙ୍କ୍‌ ଅଫ୍ କମର୍ସରେ ଅଗ୍ନିକା‌ଣ୍ଡ ମାମଲା

ଖଣ୍ଡଗିରି: ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଗଣ୍ଡମୁଣ୍ଡାସ୍ଥିତ ଓରିଏଣ୍ଟାଲ୍ ବ୍ୟାଙ୍କ୍‌ ଅଫ୍ କମର୍ସରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ପୂରା ଦ୍ବିତୀୟ ମହଲା ଜଳି ପୋଡ଼ି ଛାରଖାର ହୋଇଯାଇଥିଲେ ବି ବ୍ୟାଙ୍କରେ ଗଚ୍ଛିତ ରହୁଥିବା ଟଙ୍କା ବର୍ତି ଯାଇଛି। ଏହି ମହଲାରେ ଆଇରନ୍ ଚାମ୍ବର ନଥିବାରୁ ନିଆଁ ଦାଉରୁ ଟଙ୍କା ବଞ୍ଚିଯାଇଛି। କିନ୍ତୁ ଏହି ମହଲାଟିରେ ଅଫିସିଆଲ୍ ଚାମ୍ବର ଚାଲୁଥିବାରୁ ସମସ୍ତ ଗୁରୁତ୍ବପୂର୍ଣ୍ଣ ରେକର୍ଡପତ୍ର, ଏସି, କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ସର୍ଭର ଜଳି ଯାଇଛି। ଆଜି ଏ ନେଇ ବ୍ୟାଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏକ ଏତଲା ଦିଆଯାଇଥିଲେ ମଧ୍ୟ ନଷ୍ଟ ହୋଇଥିବା ଜିନିଷର ସମ୍ପୂର୍ଣ୍ଣ ତାଲିକା ଦିଆଯାଇନାହିଁ। ସେହିଭଳି ଏହି ଅଗ୍ନିକାଣ୍ଡର କାରଣ ବିଦ୍ୟୁତ୍ ସର୍ଟ ସର୍କିଟ୍‌ ବୋଲି ଆପାତତଃ ସ୍ପଷ୍ଟ ହୋଇଛି। କିନ୍ତୁ ସର୍ଟ ସର୍କିଟ୍‌ କେଉଁ ପରିସ୍ଥିତିରେ ହେଲା, ସେ ନେଇ ଖୋଳତାଡ଼ ଜାରି ରହିଛି।

ସୂଚନାନୁସାରେ ବ୍ୟାଙ୍କର ଏହି ଫ୍ଲୋର୍‌ରେ ଅଧିକାରୀମାନଙ୍କ କ୍ୟାବିନ୍‌ ସବୁ ଥିଲା। କ୍ୟାବିନ୍‌ଗୁଡ଼ିକ ପ୍ଲାଇରେ ନିର୍ମିତ ହୋଇଥିବାରୁ ନିଆଁ ଖୁବ୍‌ ଶୀଘ୍ର ପୂରା ଘରକୁ ଗ୍ରାସ କରି ଦେଇଥିଲା। ସେହିଭଳି ଅଧିକାରୀମାନଙ୍କ ଚେୟାର୍‌ ଟେବୁଲ୍ ଓ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ସୋଫା ଆଦି ତ୍ବରିତ୍ ବେଗରେ ହୁତ୍‌ହୁତ୍‌ ହୋଇ ଜଳିବାକୁ ଲାଗିଥିଲା। କମ୍ପ୍ୟୁଟର ବ୍ୟାଟେରିଗୁଡ଼ିକ ବିସ୍ଫୋରଣ ହେବାରୁ ଅଗ୍ନିଶମ ବାହିନୀ ଭିତରକୁ ପଶି ପାରିଲା ନାହିଁ। ତେଣୁ କେବଳ ବାହାରୁ ପାଣି ପକାଇ ନିଆଁକୁ ଆୟତ୍ତ କରାଯାଇଥିଲା। ପର୍ଯ୍ୟାୟକ୍ରମେ ୮ଟି ଦମକଳର ପାଣି ବ୍ୟବହୃତ ହୋଇଥିଲା ଓ ୮ଟି ୟୁନିଟ୍‌ର ପ୍ରାୟ ୪୦ଜଣ ଅଗ୍ନିଶମ କର୍ମଚାରୀଙ୍କ ୫ ଘଣ୍ଟାର ପରିଶ୍ରମ ପରେ ନିଆଁ ଲିଭିଥିଲା ଓ ଏହି ନିଆଁ ଅନ୍ୟ ମହଲାକୁ ବ୍ୟାପି ପାରି ନଥିଲା। କିନ୍ତୁ ସେତେବେଳକୁ ସବୁ ପାଉଁଶ ହୋଇଯାଇଥିଲା। ଏମିତିକି ଆଲ୍‌ମିରା ଭିତରେ ଥିବା ବହୁ ରେକର୍ଡପତ୍ର ମଧ୍ୟ ପ‌ୋଡ଼ି ଯାଇଥିଲା। ଜଳି ଯାଇଥିବା ରେକର୍ଡପତ୍ର ତାଲିକା କରିବାକୁ କିଛି ସମୟ ଲାଗିବ ବୋଲି ଜଣେ ବ୍ୟାଙ୍କ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର