ସିଆର୍‌ପିଏଫ୍‌ କ୍ୟାମ୍ପସ୍‌ରେ ୧୦୦ରୁ ଅଧିକ ଆକ୍ରାନ୍ତ, ଦିନକରେ ୩୮ଜଣ ବାହାରିଲେ

ଭୁବନେଶ୍ୱର : ସିଆରପିଏଫ୍‌ କ୍ୟାମ୍ପସରେ ଏବେ କରୋନା ଆକ୍ରାନ୍ତ ଛାଇଗଲେଣି। ଏଠାରେ ଯବାନଙ୍କଠାରୁ ଆରମ୍ଭ କରି ଅଧିକାରୀଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଏହି କ୍ୟାମ୍ପସରୁ ବାହାରିଲେଣି ବୋଲି ବିଏମ୍‌ସି ସୂତ୍ରରୁ ଜଣାପଡ଼ିଛି। ଆଜି ଗୋଟିଏ ଦିନରେ ୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦ଜଣ ସଙ୍ଗରୋଧରେ ଥିଲେ ଏବଂ ୧୮ଜଣ ସ୍ଥାନୀୟ ସଂକ୍ରମଣ। ଅର୍ଥାତ୍‌ ଏମାନେ କାହା ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି, ଜଣାପଡ଼ିନି। ଏହି ୩୮ଜଣ ଯାକ ପୁରୁଷ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ତଳେ ପ୍ରାୟ ୨୦ଜଣ କରୋନା ଆକ୍ରାନ୍ତ ଥିଲେ। କିନ୍ତୁ ନିକଟରେ ନିଯୁକ୍ତି ରାଲି ହୋଇଥିଲା। ଏଥିରେ ନୂଆ ଯବାନମାନଙ୍କୁ ଭର୍ତ୍ତି କରାଯାଇଥିଲା। ଏହି ରାଲିରୁ କରୋନା ବ୍ୟାପିଛି। ବହୁ ଯବାନ କରୋନା ଆକ୍ରାନ୍ତ ହୋଇଥିବା ବେଳେ ରାଲିରେ ଯୋଗ ଦେଇଥିବା କିଛି ଅଧିକାରୀଙ୍କୁ ମଧ୍ୟ କରୋନା ହୋଇଛି। ସମସ୍ତେ ଏବେ କ୍ୟାମ୍ପସ ପରିସରରେ ଥିବା ଆଇସୋଲେସନ୍‌ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ସିଆରପିଏଫ୍‌ ଯବାନ କରୋନା ଆକ୍ରାନ୍ତ ହେବା ପରେ ଏଠାକୁ ଆସି ଚିକିତ୍ସିତ ହେଉଛନ୍ତି। ଆଇଆରସି ଭିଲେଜ, ଭିଆଇପି କଲୋନି ପରେ ସିଆରପିଏଫ୍ କ୍ୟାମ୍ପସରେ ବହୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଲୋକ ଭୟଭୀତ ହୋଇଯାଇଛନ୍ତି। ଏହି ଅଞ୍ଚଳ ରାଜଧାନୀର ହଟ୍‌ସ୍ପଟ୍‌ ପାଲଟି ଯାଇଛି।

ସମ୍ବନ୍ଧିତ ଖବର