ରାଜ୍ୟସ୍ତରୀୟ ବନ ମହୋତ୍ସବରେ ସାଂସଦଙ୍କୁ ନିମନ୍ତ୍ରଣ ନାହିଁ, ତଥାପି ଯିବି: ଅପରାଜିତା

ଭୁବନେଶ୍ୱର: ଆସନ୍ତାକାଲି ବରମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି ୭୩ତମ ବନ ମହୋତ୍ସବ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏହି ମହୋତ୍ସବ ଆୟୋଜନ କରୁଛି। ମୁଖ୍ୟମନ୍ତ୍ରୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଉଛନ୍ତି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସମେତ ସ୍ଥାନୀୟ ବିଧାୟକ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଭୁବନେଶ୍ବରର ଅନ୍ୟ ଦୁଇ ବିଧାୟକଙ୍କୁ ବି ଏଥିରେ ଅତିଥି ଭାବେ ଡକା ଯାଇଛି। ମେୟର୍‌ ସୁଲୋଚନା ଦାସ ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମଧ୍ୟ ଅତିଥି ତାଲିକାରେ ଅଛନ୍ତି। କିନ୍ତୁ ଭୁବନେଶ୍ବର ସାଂସଦଙ୍କୁ ଡକା ଯାଇନାହିଁ।

ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନିଜେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ପୂର୍ବରୁ ରାଜଧାନୀ ପ୍ରତିଷ୍ଠା ଦିବସରେ ମଧ୍ୟ ତାଙ୍କୁ ଡକା ଯାଇନଥିଲା। ସରକାରୀ କାର୍ଯ୍ୟକ୍ରମରେ ସାମିଲ ନ କରିବା ପାଇଁ ଏହା ବିଧିବଦ୍ଧ ଯୋଜନା ନା ସରକାରଙ୍କ ସଂକୀର୍ଣ୍ଣ ମାନସିକତା? ସରକାର ଏତେ ଭୟଭୀତ କାହିଁକି? ନିମନ୍ତ୍ରଣ ନଥିଲେ ବି ମୁଁ କାର୍ଯ୍ୟକ୍ରମକୁ ଯିବି ବୋଲି କହିଛନ୍ତି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ। ଏ ନେଇ ଆଜି ସନ୍ଧ୍ୟାରେ ସେ ଟ୍ବିଟ୍‌ କରି ସୂଚନା ଦେବା ପରେ ରାଜନୈତିକ ମହଲରେ ହଟଚମଟ ହୋଇଛି।

ଅନ୍ୟପଟେ ଏହି ସ୍କୁଲ ୫୦ ନମ୍ବର ୱାର୍ଡ ଅଧୀନରେ ରହିଛି। ଏହି ୱାର୍ଡର କର୍ପୋ‌ରେଟର୍‌ ଅଛନ୍ତି ରାମଚନ୍ଦ୍ର ରଣସିଂହ। ‌ତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନଥିବା ସେ କହିଛନ୍ତି। ସେ ବିଜେପିର କର୍ପୋରେଟର ହୋଇଥିବାରୁ ତାଙ୍କୁ ନିମନ୍ତ୍ରଣ କରାଯାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। କେବଳ କର୍ପୋରେଟର ନୁହେଁ, ବରଂ ସମ୍ପୃକ୍ତ ସ୍କୁଲର ପରିଚାଳନା କମିଟି ସଦସ୍ୟ ଭାବରେ ତାଙ୍କୁ ନିମନ୍ତ୍ରଣ କରାଯିବା କଥା। ତାହା ମଧ୍ୟ କରାଯାଇନାହିଁ। ଏହି ମହୋତ୍ସବ ପାଇଁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ କରିଛନ୍ତି। କାହା ପ୍ରରୋଚନାରେ ସରକାରୀ ଅଧିକାରୀ ଏଭଳି କାମ କରିଛନ୍ତି? ସାଂସଦ ଯଦି ବିନା ନିମନ୍ତ୍ରଣରେ ଯାଉଛନ୍ତି, ତେବେ ଆମେ ବି ଯିବୁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆସୁଥିବାରୁ ସେଠାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିବ। ସାଂସଦ କିମ୍ବା କର୍ପୋରେଟରଙ୍କୁ ପ୍ରବେଶ ଅନୁମତି ନ ମିଳିଲେ ସେଠାରେ ଏକ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିବା ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର