ଅପସରି ଗଲେଣି ଅପସରା

ଭୁବନେଶ୍ବର: ସେମାନେ ଅଛନ୍ତି, ଅଥଚ ତାଙ୍କୁ ଚିହ୍ନି ହେଉ ନାହିଁ। ଗଣ୍ଡି ଯାଏଁ ଗୋଟାପଣେ ସୁରକ୍ଷିତ ଅଛି, ହେଲେ ମୁଣ୍ଡ ନାହିଁ। ନୃତ୍ୟ ମୁଦ୍ରାରେ ଅପସରାଙ୍କୁ ଦେଖି ମନ ସିନା ଅଟକି ଯାଉଛି, ହେଲେ ଛିନ୍ନମସ୍ତା ନର୍ତ୍ତକୀଜଣକ ଯେ ଅପସରା, ତାହା ବୁଝା ପଡ଼ୁନାହିଁ। ସେମାନଙ୍କ ଲାସ୍ୟମୟୀ ଚେହେରା କାଳର କରାଳ ଗତିରେ ଦୀର୍ଘ ଦିନରୁ ଭାଙ୍ଗି ଯାଇଥିଲେ ସୁଦ୍ଧା ଏଥିପ୍ରତି କାହାର ନଜର ପଡ଼ିନାହିଁ। ସତେ ଯେମିତି ଅଭିଶପ୍ତ ପାଲଟି ଯାଇଛନ୍ତି ଏମାନେ। ‘କଳିଙ୍ଗ ଐତିହ୍ୟର ରତ୍ନ’ ବୋଲାଉଥିବା ମୁକ୍ତେଶ୍ବର ମନ୍ଦିରର ଅନେକ ଅପସରା ଏବେ ଯେମିତି ମୁକ୍ତି ପାଇଁ ଗୁମୁରି କାନ୍ଦୁଛନ୍ତି। ଦଶମ ଖ୍ରୀଷ୍ଟାବ୍ଦର ଏହି ମନ୍ଦିରର ପ୍ରତିଟି ଇଞ୍ଚ ଗୋଟେଗୋଟେ କାହାଣୀ ବୟାନ କରୁଛି। ଅପସରା ହୁଅନ୍ତୁ ଅବା ନାଗରାଜ। ନାଗରାଣୀ ହୁଅନ୍ତୁ ଅବା ନବଗୁଞ୍ଜର। ମନ୍ଦିର କାନ୍ଥରେ ଥିବା ପ୍ରତିଟି ମୂର୍ତିର ଅଙ୍ଗଭଙ୍ଗୀ ଓ ବେଶଭୂଷା ନକହି ନକହି ଅନେକ କିଛି ବ୍ୟକ୍ତ କରିଦେଉଛି। ଅଥଚ ମନ୍ଦିର ଗାତ୍ରରେ ଥିବା ଅଧିକାଂଶ ମୂର୍ତିର ମୁଣ୍ଡ ନାହିଁ। କେଉଁଠି ପୂରା ମୁଣ୍ଡ ନାହିଁ ତ କେଉଁଠି ଅଧା ମୁଣ୍ଡ ଭାଙ୍ଗିଯାଇଛି। ପୁଣି କେଉଁଠି ହାତ ନାହିଁ ତ କେଉଁଠି ଗୋଡ଼ ନାହିଁ। ଯେମିତି ଅକର୍ମଣ୍ୟ ହୋଇଯାଇଛନ୍ତି ଅପସରା ଓ ଅନ୍ୟ ଦେବଦେବୀ। ମାତ୍ର ଭାଙ୍ଗି ଯାଉଥିବା ମୂର୍ତିକୁ ସଜଡ଼ା ଯାଇ ପାରିବ ନାହିଁ ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ଶୁଣାଇ ଦେଇଛି। ନିଜ ପୁରୁଣା ନିୟମକୁ ଜାବୁଡ଼ି ଧରିଛି। ଜ୍ୟାମିତିକ ଚିତ୍ର ଅବା ମୂର୍ତି ନିର୍ମାଣ କରିବା ପ୍ରତ୍ନତତ୍ତ୍ବ ଆଇନରେ ନାହିଁ ବୋଲି ପ୍ରତ୍ନତତ୍ତ୍ବ ଅଧିକାରୀ କହିଛନ୍ତି। ଅର୍ଥାତ ଭାଙ୍ଗି ଯାଉଥିବା ଐତିହ୍ୟକୁ କେବଳ ପଥର‌ ଦେଇ ଯୋଡ଼ିବା ସହ କେମିକାଲ୍‌ ଟ୍ରିଟ୍‌ମେଣ୍ଟ୍‌ କରିବା ଏଏସ୍‌ଆଇର କାମ। ଗୋଟିଏ ଜାତିର ଐତିହ୍ୟ ଆସନ୍ନ ମୃତ୍ୟୁ ଆଡ଼କୁ ଆଗଉଥିବା ବେଳେ ଏଏସ୍‌ଆଇର ଇଏ କିଭଳ ନିୟମ, ସେନେଇ ଓଡ଼ିଆ ଶିଳ୍ପୀମାନେ ପ୍ରଶ୍ନ କରିଛନ୍ତି।

କିଛି ବିଶେଷଜ୍ଞଙ୍କ କହିବା ମୁତାବକ, ଯେଉଁ ଓଡ଼ିଆ ଶିଳ୍ପୀକୁଳ କୋଣାର୍କ ଓ ମନ୍ଦିର ମାଳିନୀ ସହର ଗଢ଼ି ଦେଇ ପାରନ୍ତି, ସେମାନଙ୍କ ଦାୟାଦମାନଙ୍କ ପାଇଁ ଯେ ଏହା ଅସମ୍ମାନ, ଏକଥା ଏଏସ୍‌ଆଇ ଭୁଲିଯିବା ଉଚିତ୍‌ ନୁହେଁ। ସୋମବଂଶୀ ରାଜତ୍ବ ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ସୂଚନା ମିଳେ। ରାଜାମାନେ ନିଜର ମନୋରଂଜନ ପାଇଁ ସୁନ୍ଦରୀ ନର୍ତ୍ତକୀମାନଙ୍କୁ ରଖୁଥିଲେ। ତା’ର ପ୍ରତୀକାତ୍ମକ ସୂଚନା ଦିଏ ଏହି ମନ୍ଦିର ସମ୍ମୁଖ କାନ୍ଥରେ ନୃତ୍ୟ ମୁଦ୍ରାରେ ଥିବା ଅପସରା ନର୍ତ୍ତକୀ। ଧୁରୀଣ କାରିଗରମାନେ ମନଇଚ୍ଛା ନୁହେଁ ବରଂ ପୁରାଣର ବହୁ ଚରିତ୍ରକୁ ଏହି କାନ୍ଥରେ ସ୍ପଷ୍ଟ ଚିତ୍ରିତ କରିଥିବା ଲକ୍ଷ୍ୟ କରାଯାଏ। ମାତ୍ର ଏଗୁଡ଼ିକୁ ସଜାଡ଼ିବା ସେତିକି ଗୁରୁତ୍ବ ବୋଲି ଏପର୍ଯ୍ୟନ୍ତ ଏଏସ୍‌ଆଇ ଉପଲବ୍ଧି କରୁନାହିଁ। ସମଗ୍ର ବିଶ୍ବରେ ଏହି ମନ୍ଦିରର କାରୁକାର୍ଯ୍ୟ ଦେଶ ବାହାରୁ ଲୋକଙ୍କୁ ଓଡ଼ିଶାକୁ ଟାଣି ଆଣେ। ଅଥଚ ଏହି ମନ୍ଦିରରୁ ଯେବେ ବି କିଛି ଭାଙ୍ଗିଛି, ତାହାକୁ ସଜାଡ଼ିବା ପାଇଁ ଆଉ ଉଦ୍ୟମ ହୋଇନାହିଁ। ମଗର ତୋରଣର ଆକର୍ଷଣ ସର୍ବବିଦିତ ହୋଇଥିଲେ ହେଁ ଏହି ତୋରଣ ବି କ୍ଷତାକ୍ତ ହେବା ପରେ ତାକୁ ଆଉ ଯୋଡ଼ିବାକୁ ଉଦ୍ୟମ କରାଯାଇନାହିଁ। ଏଇ କିଛି ବର୍ଷ ତଳେ ଏଏସ୍‌ଆଇ ଏଠାରେ ‌କାନ୍ଥମାନଙ୍କରେ ଗାତ କରି କେମିକାଲ୍‌ ଟ୍ରିଟ୍‌ମେଣ୍ଟ୍‌ କରିଛି କିନ୍ତୁ ଏତିକିରେ କାମ ସାରିଦେବା ନିଶ୍ଚିତ ହାସ୍ୟାସ୍ପଦ ବୋଲି ‌ଅନେକ ବିଶେଷଜ୍ଞ କହିଛନ୍ତି। ଯେଉଁ ମନ୍ଦିରର କାରୁକାର୍ଯ୍ୟ ଦେଖିବା ପାଇଁ ଲୋକେ ଏଠାକୁ ଚାଲି ଆସନ୍ତି‌ ସେଇ ମନ୍ଦିରର ଭଗ୍ନ ମୂର୍ତିଗୁଡ଼ିକ କ’ଣ ଏଏସ୍‌ଆଇର ରକ୍ଷଣାବେକ୍ଷଣ ତାଲିକାଭୁକ୍ତ ନୁହେଁ ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର