ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା! ଗାଡ଼ି ଭିତରୁ ଚାଳକଙ୍କ ମୃତଦେହ ଉଦ୍ଧାର

ଷ୍ଟେସନ ବଜାର ଅଞ୍ଚଳରେ ଚାଞ୍ଚଲ୍ୟ

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ସଂଧ୍ୟାରେ ଷ୍ଟେସନ୍‌ ବଜାର ଅଞ୍ଚଳରୁ ଏକ ମାଲବାହୀ ଡାଲା ଅଟୋରୁ ଜଣେ ଯୁବକଙ୍କ ମୃତଦେହକୁ ଜବତ କରିଛି। ମୃତକ ହେଲେ, ଲକ୍ଷ୍ମୀସାଗର ଚମ୍ପାପୋଖରୀ ଅଞ୍ଚଳର କୃଷ୍ଣଚନ୍ଦ୍ର ପ୍ରଧାନ। ସେ ସେହି ଗାଡ଼ିର ମାଲିକ ଓ ଚାଳକ ବୋଲି ଜଣାଯାଇଛି। ପୁଲିସ ତାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ଜଣାଯାଇଛି। ପାରିପାର୍ଶ୍ବିକ ସ୍ଥିତି ଓ ପରିବାରଲୋକଙ୍କ ବୟାନରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍‌ ସନ୍ଦେହ କରୁଛି। କୃଷ୍ଣଚନ୍ଦ୍ରଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ, ଦୁଇ ଦିନ ତଳେ ସ୍ଥାନୀୟ କିଛି ଯୁବକ ତାଙ୍କୁ ମାରପିଟ୍‌ କରିବା ଓ ଗତକାଲି ପୂର୍ବାହ୍ନ ୧୦ଟାରୁ ତାଙ୍କର କୌଣସି ଖୋଜ୍‌ ଖବର ନ ମିଳିବା ଯୋଜନାବଦ୍ଧ ହତ୍ୟା ଆଡ଼କୁ ଇସାରା କରୁଛି ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସି‌ଲେ, ଘଟଣା ଆହୁରି ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ୍‌ କହିଛି। ପୁଲିସ୍‌ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଘଟଣାସ୍ଥଳର ଆଖପାଖରେ ଲାଗିଥିବା ସିସିଟିଭିର ଫୁଟେଜ୍‌ ଯାଞ୍ଚ କରୁଛି। ସେହିପରି ମୃତକଙ୍କ ପକେଟ୍‌ରୁ ମିଳିଥିବା ମୋବାଇଲ୍‌ର କଲ୍‌ ରେକର୍ଡ ମଧ୍ୟ ଯାଞ୍ଚ କରୁଛି। ତାଙ୍କ ମୃତ୍ୟୁ ପୂର୍ବରୁ କିଏ କିଏ ତାଙ୍କୁ କଲ୍ କରିଥିଲେ, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଅପରପକ୍ଷେ ଏହି ଘଟଣା ପ୍ରଚାରିତ ହେବା ପରେ ଷ୍ଟେସନ୍‌ ବଜାର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ପୁଲିସ ସୂଚନା ଅନୁଯାୟୀ, କୃଷ୍ଣଚନ୍ଦ୍ରଙ୍କ ନିଜ ଘର ବ୍ରହ୍ମପୁରରେ। ଏଠାରେ ଚମ୍ପାପୋଖରୀ ଅଞ୍ଚଳରେ ସେ ପରିବାର ସହ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି। କୃଷ୍ଣଚନ୍ଦ୍ର ମାଲବାହୀ ଅଟୋ ଚଲାଇ ପରିବାର ପ୍ରତିପୋଷଣ କରନ୍ତି। ତେବେ ପରିବାରଲୋକଙ୍କ କହିବା କଥା, ଦୁଇ ଦିନ ତଳେ ଚିନ୍ତାମଣିଶ୍ବର ଅଞ୍ଚଳର କିଛି ଯୁବକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଯୁବକମାନେ ତାଙ୍କୁ ଧମକଚମକ ଦେଇଥିଲେ। ସେହିପରି ଗତକାଲି ସକାଳେ ମଧ୍ୟ ଚିନ୍ତାମଣିଶ୍ବର ଅଞ୍ଚଳର କିଛି ଯୁବକ ତାଙ୍କୁ ମାରପିଟ୍ କରିଥିଲେ। ଏଥିରେ ତାଙ୍କର ମୁହଁ ଫାଟି ଯାଇଥିଲା ବୋଲି କୃଷ୍ଣଚନ୍ଦ୍ର ପରିବାରଲୋକଙ୍କୁ ଜଣାଇଥିଲେ। ଏହା ପରଠାରୁ ଅର୍ଥାତ୍‌ ପୂର୍ବାହ୍ନ ୧୦ଟାରୁ ତାଙ୍କର ଆଉ ପତ୍ତା ମିଳିନଥିଲା। ପରିବାରଲୋକେ ତାଙ୍କୁ ବାରମ୍ବାର କଲ୍‌ କରିଥିଲେ ହେଁ କିଛି ଉତ୍ତର ମିଳି ନଥିଲା। ତେବେ କୃଷ୍ଣଚନ୍ଦ୍ର ଷ୍ଟେସନ୍‌ ବଜାର ଅଞ୍ଚଳରେ ଗାଡ଼ି ଲଗାଉଥିବାରୁ ତାଙ୍କ ଭାଇ ଆଜି ଅପରାହ୍‌ଣ ପ୍ରାୟ ୫ଟାରେ ସେଠାକୁ ଯାଇ ଖୋଜାଖୋଜି କରିଥିଲେ। ଦୁର୍ଗା ମଣ୍ଡପ ନିକଟ ଗଳିରେ ତାଙ୍କ ଗାଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଡ୍ରାଇଭରପଟ ଡୋର୍ ସାମାନ୍ୟ ଖୋଲା ଥିବା ବେଳେ ଷ୍ଟିୟରିଂ ତଳେ କୃଷ୍ଣଚନ୍ଦ୍ରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଦୁର୍ଗନ୍ଧ ବାହାରୁ ଥିବାରୁ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ତାଙ୍କଠାରୁ ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ, ଜୋନ୍-୪ ଏସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଗାଡ଼ିରୁ ବ୍ୟାଟେରି ଚୋରି ହୋଇଥିବା ବେଳେ ମୁଣ୍ଡ ପଛ ପାଖ ଓ ହାତରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା। ଏହା ଏକ ହତ୍ୟାକାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରୁଛି। ଯେଉଁମାନଙ୍କ ସହ କୃଷ୍ଣଚନ୍ଦ୍ରଙ୍କର ପାଟିତୁଣ୍ଡ ହୋଇଥିଲା, ସେମାନଙ୍କୁ ପୁଲିସ ଖୋଜୁଛି। ଗଣ୍ଡଗୋଳର କାରଣ ଜଣା ପଡ଼ି ନଥିଲେ ବି ଗାଡ଼ି ବ୍ୟବସାୟ କିମ୍ବା ପୂର୍ବ ଶତ୍ରୁତାକୁ ନେଇ ହୋଇଥିବା ଅନୁମାନ କରାଯାଉଛି। ଅପରପକ୍ଷେ ଆଜି ଗାଡ଼ି ନିକଟରେ ଜଣେ ଯୁବକ ଓ ଜଣେ ବୟସ୍କ ଲୋକ ବୁଲିବା ସହ ଡୋର୍ ଖୋଲୁଥିବା ସ୍ଥାନୀୟ ଲୋକ ଦେଖିଛନ୍ତି। ତେଣୁ ସେମାନେ କିଏ, କାହିଁକି ଡୋର୍ ଖୋଲୁଥିଲେ, ଘଟଣା ସହ ତାଙ୍କର ସମ୍ପର୍କ କ’ଣ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସିସିଟିଭି ଫୁଟେଜ୍‌, କଲ୍ ଡିଟେଲ୍ସ ରେକର୍ଡ, ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଯେଉଁମାନଙ୍କ ସହ ପାଟିତୁଣ୍ଡ ହୋଇଥିଲା, ସେମାନଙ୍କୁ ପଚରାଉଚରା ପରେ ମୃତ୍ୟୁ ରହସ୍ୟ ଉନ୍ମୋଚନ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର