ମେଘା ଉପରେ ତୀକ୍ଷ୍‌ଣ ନଜର

ବାରଙ୍ଗ :  ଶନିବାର ଖୁଆଡ଼ର ତାରଜାଲି ପାଚେରି ଡେଇଁଥିବା ନନ୍ଦନକାନନର ବାଘୁଣୀ  ମେଘା ଆଜି ମଧ୍ୟ ଅସ୍ଥିର, ବିଚଳିତ ଓ ଉନ୍ମାଦିତ ଅବସ୍ଥାରେ ଥିବା ଲକ୍ଷ୍ୟ କରାଯାଇଛି। ଏଥିପାଇଁ ମେଘାକୁ ଆଜି ଖୁଆଡ଼ ମଧ୍ୟକୁ ଛଡ଼ା ନଯାଇ ଖାଦ୍ୟ ଗ୍ରହଣ କକ୍ଷରେ ଛଡ଼ାଯାଇଛି। ତାର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଅନ୍ୟପକ୍ଷରେ ଆହତ ହୋଇଥିବା ଆଦ୍ୟାଶା ଓ ସାହିଲଙ୍କୁ ପ୍ରତିଷେଧକ ଟିକା ଦିଆଯିବା ପରେ ପର୍ଯ୍ୟଟକଙ୍କ ସମ୍ମୁଖକୁ ଛଡ଼ାଯାଇଛି।

ଗତକାଲି ନନ୍ଦନକାନନର ବାଘୁଣୀ ମେଘା(୯) ସେ ରହୁଥିବା ଏନ୍‌କ୍ଲୋଜର୍‌ ନମ୍ବର ୩୧(କ)ର ତାରଜାଲି ପାଚେରିକୁ ଡେଇଁ ୩୨(ଖ) ରେ ରହୁଥିବା ବିଜୟା ବାଘୁଣୀର ବର୍ଷକର ଛୁଆ ଆଦ୍ୟାଶା ଓ ସାହିଲଙ୍କ ପାଖକୁ ମାଡ଼ି ଯାଇଥିଲା। ୩୨(ଖ)ରେ ଅନୁପ୍ରବେଶ ପରେ ମେଘା ସହିତ ଆଦ୍ୟାଶା ଓ ସାହିଲର ସଂଘର୍ଷ ହୋଇଥିଲା। ଲଢ଼େଇ ଯୋଗୁଁ ସେମାନଙ୍କ ଆଗ ଗୋଡ଼ରେ ସାମାନ୍ୟ ରାମ୍ପୁଡ଼ା ଦାଗ ସୃଷ୍ଟି ହୋଇଥିଲା।  ନନ୍ଦନକାନନ କର୍ତୃପକ୍ଷ  ଘଟଣାସ୍ଥଳରେ ପହଞ୍ଚି ବାଘ ୩ଟିଙ୍କୁ ଅଲଗା କରିଥିଲେ। ସେମାନଙ୍କୁ ନିଜ ନିଜ ଖୁଆଡ଼ ମଧ୍ୟରେ ରଖାଯିବା ପରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପ୍ରତିଷେଧକ ଟିକା ମଧ୍ୟ ଦିଆଯାଇଥିଲା।

ଅନ୍ୟପକ୍ଷରେ ଆଜି ମଧ୍ୟ ନନ୍ଦନକାନନ କର୍ତୃପକ୍ଷ ମେଘାର ପାଚେରି ଡେଇଁବାର କାରଣ ଖୋଜିବାରେ ଲାଗିଛନ୍ତି। ମିଳନ ପାଇଁ ମେଘା ଉନ୍ମାଦିତ ହୋଇଥିବା ଅନୁମାନ କରାଯାଉଥିଲେ ମଧ୍ୟ ଏହା ପଛରେ ଅନ୍ୟ କିଛି କାରଣ ରହିଛି କି ବୋଲି ଅନୁଧ୍ୟାନ କରାଯାଉଛି। ସେହିପରି ଦୁର୍ବଳ ହୋଇପଡ଼ିଥିବା ତାରଜାଲିକୁ ସଜଡ଼ା ଯିବାକୁ ଉଦ୍ୟମ ଆରମ୍ଭ ହୋଇଛି। ମେଘା ତାର ଜାଲି ଉପରେ ଚଢ଼ିବା ବେଳେ କିଛି ସ୍ଥାନରେ ଭାଙ୍ଗି ଯାଇଥିବା ଜାଲିକୁ ତତ୍କାଳ ମରାମତି କରାଯାଇଛି।  ସେହିପରି ଅନ୍ୟ ବାଘ ରହୁଥିବା ଖୁଆଡ଼ ଓ ତାରି ଜାଲିକୁ ମଧ୍ୟ ଯାଞ୍ଚ କରାଯାଇଛି।  ଆଜି ବାଘ ୩ଟିଙ୍କ ଅବସ୍ଥା ସଂପୂର୍ଣ୍ଣ ସୁସ୍ଥ ଥିବା ଜାଣିବା ପରେ ନନ୍ଦନକାନନ କର୍ତୃପକ୍ଷ ଆଦ୍ୟାଶା ଓ ସାହିଲଙ୍କୁ ପର୍ଯ୍ୟଟକଙ୍କ ସମ୍ମୁଖକୁ ଛାଡ଼ିଛନ୍ତି। ହେଲେ ମେଘା ଅସ୍ଥିର ଥିବାରୁ ତାକୁ ଖୁଆଡ଼ ମଧ୍ୟକୁ ଛଡ଼ାଯାଇନି।

ସମ୍ବନ୍ଧିତ ଖବର