ଫଟୋରେ ଫଟୋରେ ନୀଳାମ୍ବୁଚିଲିକା

ଚନ୍ଦ୍ରଶେଖରପୁର : କବି ଲେଖକଙ୍କ କଲମ ମୁନରେ ବର୍ଣ୍ଣିତ ନୀଳାମ୍ବୁ ଚିଲିକାର ଅପରୂପ ଶୋଭାରାଜିକୁ ଫଟୋ ଫ୍ରେମ୍‌ରେ ବାନ୍ଧି ରଖିବାର ସଫଳ ପ୍ରୟାସ କରିଛନ୍ତି ବରକୁଳ ଚିଲିକାସ୍ଥିତ ଓଡ଼ିଆର୍ଟ ସେଣ୍ଟର । ଚିଲିକା ସଂପର୍କିତ ବିଭିନ୍ନ ଫଟୋକୁ ନେଇ ଆୟୋଜିତ ଏକ ଫଟୋ ପ୍ରଦର୍ଶନୀ ‘ଇମେଜିଂ ଚିଲିକା’ ରବିବାର ସ୍ଥାନୀୟ ରିଜିଓନାଲ୍‌ ମ୍ୟୁଜିୟମ୍‌ ଅଫ୍‌ ନେଚୁରାଲ୍‌ ହିଷ୍ଟ୍ରି ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଚିଲିକାର ସୌନ୍ଦଯ୍ୟ ଓ ଆକର୍ଷଣୀୟ ପର୍ଯ୍ୟଟନ ବିବିଧତାକୁ ନେଇ ବିଭିନ୍ନ ଫଟୋଗ୍ରାଫର ଉଠାଇଥିବା ଫଟୋ ଏହି ନିଆରା ପ୍ରଦର୍ଶନୀରେ ସ୍ଥାନୀତ ହୋଇଛି। ଏହି ପ୍ରଦର୍ଶନୀ ଡିସେମ୍ବର ୩ ତାରିଖ ଯାଏଁ ଚାଲୁ ରହିବ।

ବରକୁଳ ଚିଲିକାସ୍ଥିତ ଓଡ଼ିଆର୍ଟ ସେଣ୍ଟର, ଇଣ୍ଡିଆନ୍‌ ଗ୍ରାମୀଣ ସର୍ଭିସେସ୍‌ ଏବଂ କେନ୍ଦ୍ର ଓ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ସାତ ଦିନିଆ ପ୍ରଦର୍ଶନୀକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଚିଲିକାର ବିରଳ ଜୈବବିବିଧତା, ବିଶ୍ୱର ପ୍ରମୁଖ ଏହି ପର୍ଯ୍ୟଟନ ସ୍ଥଳକୁ ଏକ ବିଶେଷ ପର୍ଯ୍ୟଟନ ଶିଳ୍ପକେନ୍ଦ୍ର ଭାବରେ ଗଢ଼ି ତୋଳିବା ଓ ରାଜ୍ୟର ସାହିତ୍ୟ ସଂସ୍କୃତି ସହିତ ଚିଲିକାର ନିବିଡ଼ତା ଆଦି ବିଷୟକୁ ନେଇ ଅଧିବେଶନମାନ ଆୟୋଜିତ ହୋଇଥିଲା। ଏହି ଅଧିବେଶନ ଗୁଡ଼ିକରେ ସିଦ୍ଧାର୍ଥ ପ୍ରଧାନ, ସରୋଜ ପଟ୍ଟନାୟକ, କାଶୀନାଥ ବେହେରା, ବିବେକ ପଟ୍ଟନାୟକ ଏବଂ ଡିକେ ରାୟ ପ୍ରମୁଖ ସଂଯୋଜନା କରିଥିଲେ। ଚିଲିକାରେ ପ୍ରସ୍ତାବିତ ସଂଗ୍ରହାଳୟ ଏହି ସ୍ଥାନକୁ ବୁଲି ଆସିବାକୁ ପର୍ଯ୍ୟଟକମାନଙ୍କୁ ବିଶେଷ ଭାବରେ ପ୍ରଭାବିତ କରିବା ନେଇ ପ୍ରସନ୍ନ କୁମାର ଦାଶ ମତ ଦେଇଥିଲେ। ସେହିପରି ଡିସେମ୍ବର ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଲୋକକଳାକୁ ନେଇ ଚିଲିକାରେ ହେବାକୁ ଥିବା ନିଆରା ସାଂସ୍କୃତିକ ମେଳା ଏକ ମନୋରମ ପରିବେଶ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଥିଲା।

ଚିଲିକା ଉନ୍ନୟନ ନିଗମର ପୂର୍ବତନ ସିଇଓ ଡ. ଅଜିତ୍‌ ପଟ୍ଟନାୟକ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ଡ. ସୁଦର୍ଶନ ପଣ୍ଡା, ପ୍ରଫେସର୍‌ ଯତୀନ ନାୟକ, ଅଭିରାମ ବିଶ୍ୱାଳ, ରାଜୀବ ସାହୁ, ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର, ଚିଲିକା ବିଧାୟକ ଡ. ବିଭୂତି ଭୂଷଣ ହରିଚନ୍ଦନ, ବିଶିଷ୍ଟ ଶିଳ୍ପୀ ସୁଦର୍ଶନ ସାହୁ, ସ୍ୱଦେଶ ସୁନ୍ଦର ପଟ୍ଟନାୟକ ପ୍ରମୁଖ ଚିଲିକା ସମ୍ପର୍କରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର