ଫ୍ଲାଏ ଓଭର୍‌ ତଳେ ପାର୍କିଂ ମନା, ମାଲିକଙ୍କୁ ହେବ ନୋଟିସ୍‌, ନଶୁଣିଲେ ଗାଡ଼ି ଜବତ

ଭୁବନେଶ୍ବର: ଫ୍ଲାଏ ଓଭର କିମ୍ବା ରେଲୱେ ଓଭର ବ୍ରିଜ୍‌ ତଳେ ପାର୍କିଂ ମନା। ଏଭଳି ଘୋଷଣା କରିଛି କମିସନରେଟ୍‌ ପୁଲିସ। ଏଠାରେ ଗାଡ଼ି ରଖିଲେ ହେବ ଜରିମାନା। ବାରମ୍ବାର ଅମାନ୍ୟ କଲେ ଗାଡ଼ି ଜବତ ହେବ। ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ବ୍ୟବସ୍ଥା ହୋଇଥିବା କହିଛନ୍ତି ପୁଲିସ କମିସନର ସତ୍ୟଜିତ ମହାନ୍ତି। ଏ ନେଇ ଟ୍ରାଫିକ୍‌ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ଗାଡ଼ି ମାଲିକ ନ ମିଳିଲେ ଗାଡ଼ି ଉପରେ ନୋଟିସ୍‌ ଲଗାଯିବ। ଏଭଳି କାମ ଲଗାତାର ଚାଲିବ। କୌଣସି ପରିସ୍ଥିତିରେ ଏଠାରେ ପାର୍କିଂ ହେବ ନାହିଁ ବୋଲି ନିୟମ କଡ଼ା କଡ଼ି କରାଯାଇଛି।

ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ମୁଖ୍ୟ ରାସ୍ତାଗୁଡ଼ିକ ତଥା ତତ୍‌ସଂଲଗ୍ନ ଫ୍ଲାଏ ଓଭର ତଳ ପାର୍କିଂ ଜୋନ୍‌ ନୁହେଁ। ଏଣୁ ଏଠାରେ ପାର୍କିଂ ହେବ ନାହିଁ। ଏଠାରେ ପାର୍କିଂ କରୁଥିବା ଗାଡ଼ିମାଲିକମାନଙ୍କୁ ଏହା ମହଙ୍ଗା ପଡ଼ିବ। ମାଲିକଙ୍କୁ ମୋଟା ଅଙ୍କର ଜରିମାନା ଭରିବାକୁ ପଡ଼ିବ। ନୋଟିସ୍‌ର ୩ ଦିନ ମଧ୍ୟରେ ଗାଡ଼ି ମାଲିକ ସେଠାରୁ ଗାଡ଼ି ଖାଲି ନ କଲେ ଉକ୍ତ ଗାଡ଼ିକୁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଜବତ କରାଯିବ। ମାଲିକ ଗାଡ଼ି ମୁକୁଳାଇବାକୁ ଚାହିଁଲେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଗାଡ଼ି ଜବତ ପାଇଁ କରାଯାଇଥିବା ଖର୍ଚ୍ଚ ସହ ନିର୍ଦ୍ଧାରିତ ଜରିମାନା ଭରିବାକୁ ପଡ଼ିବ। ଗତ ୨୪ ତାରିଖରେ ‘ସମ୍ବାଦ’ରେ ଏନେଇ ବିସ୍ତୃତ ବିବରଣୀ ପ୍ରକାଶ ପାଇବା ପରେ ଏଭଳି ଆକ୍ସନ ମୋଡ୍‌କୁ ଆସିଛି କମିସନରେଟ୍‌ ପୁଲିସ।

ଅନ୍ୟ ପୋଲଗୁଡ଼ିକ ଅପେକ୍ଷା କଟକ ରୋଡ୍‌ର ଲକ୍ଷ୍ମୀସାଗର ଓ ରସୁଲଗଡ଼ ଫ୍ଲାଏ ଓଭର୍ ଅବସ୍ଥା ସାଂଘାତିକ। ରସୁଲଗଡ଼ ଫ୍ଲାଏ ଓଭର୍‌ ତଳେ ଟ୍ରକ ଓ କ୍ରେନ୍‌ ବେଧଡ଼କ ଭାବେ ପାର୍କିଂ ହେଉଛି। ଏଠାରେ ଗୋଟିଏ ପଟେ ନିଆରା କଳାକୃତି ଦ୍ବାରା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁଥିବା ବେଳେ ଏହି ବେଆଇନ ପାର୍କିଂ ଏକ ଅଭାବନୀୟ ପରିବେଶ ସୃଷ୍ଟି କରିଛି। କିଛି ଅବ୍ୟବହୃତ ଗାଡ଼ି ମଧ୍ୟ ମାସ ମାସ ଧରି ପଡ଼ି ରହିଛି। ସେହିଭଳି ଲକ୍ଷ୍ମୀସାଗର ଫ୍ଲାଏ ଓଭର୍ ତଳ ପୁରୁଣା ଭଙ୍ଗା ଗାଡ଼ି ଓ ଭଙ୍ଗା କେବିନ୍‌ର ଗ୍ୟାରେଜ ପାଲଟିଛି। ବାକି ଜାଗାରେ ଟ୍ରକ୍ ପାର୍କିଂ ହେଉଛି। ଜାଗା ବଳିଲେ ଲୋକମାନେ ନିଜ ଗାଡ଼ି ପାର୍କିଂ କରି ମାର୍କେଟିଂ କରିବା ପାଇଁ ଯାଉଛନ୍ତି। ଫଳରେ ରାସ୍ତାର ଅପରପାର୍ଶ୍ବ ଆଦୌ ଦେଖାଯାଉନାହିଁ। ସେହିଭଳି ନୂଆ କରି ନିର୍ମାଣ ହୋଇଥିବା ବମିଖାଲ ଫ୍ଲାଏ ଓଭର୍ ତଳ ଅବସ୍ଥା ବି ତଦ୍ରୂପ। ଦିନତମାମ ଶତାଧିକ ମୋଟର୍ ସାଇକେଲ୍‌ ଓ କାର୍ ସେଠାରେ ପାର୍କିଂ ହେଉଛି। ଏନେଇ ପୁଲିସ କମିସନର୍‌ ଶ୍ରୀ ମହାନ୍ତି କହିଛନ୍ତି, କୌଣସି ପରିସ୍ଥିତିରେ ଫ୍ଲାଏ ଓଭର କିମ୍ବା ରେଲ୍‌ୱେ ଓଭରବ୍ରିଜ ତଳେ ପାର୍କିଂ କରିବାକୁ ଦିଆଯିବ ନାହିଁ। ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସବୁ ଜାଗା ଚିହ୍ନଟ କରିବା ସହ ଗାଡ଼ିମାଲିକଙ୍କୁ ନୋଟିସ୍‌ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗାଡ଼ି ମାଲିକମାନେ ଏହି ଚେତାବନୀକୁ ନ ମାନିଲେ ଗାଡ଼ିକୁ କ୍ରେନ୍‌ ଦ୍ବାରା ଉଠାଇ ନିଆଯିବ। ନିୟମିତ ଭାବେ କମିସରେଟ୍‌ ପୁଲିସ୍‌ ପକ୍ଷରୁ ଏଭଳି ଚଢ଼ଉ ଜାରି ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର