ଭୁବନେଶ୍ୱର : ନାଁରେ କାର୍ଡ ଅଛି, ରାସନ୍‌ ମିଳୁନି

ଭୁବନେଶ୍ବର : ଯେବେଠୁ କରୋନା ଦାଉ ସାଧିଛି, ଚଳିବା ମୁସ୍କିଲ୍‌ ହେଇଗଲାଣି। ୨ ମାସ ହେଲା ଘରେ ବସିଲୁଣି। ଯାହା ଯେମିତି ବଦାନ୍ୟ ବ୍ୟକ୍ତିଙ୍କଠାରୁ ମିଳିଥିଲା ସବୁ ସରିଗଲାଣି। ତାହା ଯେତିକି ବାଧୁନି, ନାଁରେ ରାସନ କାର୍ଡ ଥାଇ ମଧ୍ୟ ଏ ଅସମୟରେ ଚାଉଳ ଗଣ୍ଡେ ନ ମିଳିବା ଭାରି ଯନ୍ତ୍ରଣା ଦେଉଛି ବୋଲି କହିଛନ୍ତି ବରବାରି ତପୋବନ ବସ୍ତିର ପ୍ରଗତି ବେହେରା।

ଦୀର୍ଘ ଦିନ ହେଲା ସ୍ବାମୀ ଛାଡ଼ି ଚାଲି ଯାଇଥିବାରୁ ନିଜେ କାମଧନ୍ଦା କ‌ରି ଦୁଃଖେସୁ‌ଖେ ଚଳି ଯାଉଥିଲେ। ହେଲେ ଲକ୍‌ଡାଉନ୍‌ କାମଧନ୍ଦା ଛଡ଼େଇ ନେବା ପରେ ଦହଗଞ୍ଜ ହେଉଛନ୍ତି। ରାସନ୍‌ କାର୍ଡ ପାଇଁ ଆବେଦନ କରିବା ପରେ ତାଙ୍କ ନାଁରେ କାର୍ଡ ହୋଇଯାଇଛି। ସ୍ଥାନୀୟ କର୍ପୋରେଟର୍‌ଙ୍କ ପରାମର୍ଶ ପରେ କାର୍ଡର ଏକ କପି ଇଣ୍ଟରନେଟ୍‌ରୁ କାଢ଼ି କଣ୍ଟ୍ରୋଲ୍‌ ଡିଲର ବାସନ୍ତୀ ପାତ୍ରଙ୍କ ପାଖକୁ ମଧ୍ୟ ଯାଇଥିଲେ। ମାତ୍ର ଶ୍ରୀମତୀ ପାତ୍ର କହିଥିଲେ, ତୁମ ନାଁ ଯଦିଓ ଇଣ୍ଟରନେଟ୍‌ରେ ଦେଖାଉଛି କିନ୍ତୁ ତୁମେ ଏବେ ରାସନ୍‌ ପାଇପାରିବ ନାହିଁ। ତୁମେ ଯାଇ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଭେଟ। ଫଳରେ ଚାଉଳ ପାଇବାକୁ ପ୍ରଗତିଙ୍କୁ ଏ ଦୁଆରରୁ ସେ ଦୁଆର ହେବାକୁ ପଡ଼ୁଛି। ଡିଲର ଓ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ପାଖକୁ ଦୌଡ଼ୁଥିଲେ ବି ଏପର୍ଯ୍ୟନ୍ତ ନିଜ ପାଇଁ ଉଦ୍ଦିଷ୍ଟ ଚାଉଳ ଗଣ୍ଡେ ପାଇ ପାରୁନାହାନ୍ତି। ପ୍ରଗତି କହିଛନ୍ତି, ମୁଁ ଦୀର୍ଘଦିନ ହେଲା କାମ କରିବାକୁ ଯାଇନାହିଁ। କାର୍ଡ ନଥିବାରୁ ପ୍ରଶାସନ ପକ୍ଷରୁ ଯୋଉ ସବୁ ସୁବିଧା କରାଗଲା, ତାହା ବି ଏ ଅସମୟରେ ପାଇପାରିନାହିଁ। ତେଣୁ କାର୍ଡ ହେଇ କି ଲାଭ ବୋଲି କହିଛନ୍ତି ପ୍ରଗତି।

ଖାଲି ପ୍ରଗତି ନୁହେଁ, ସମ୍ପୃକ୍ତ ତପୋବନ ବସ୍ତିର ବୃଦ୍ଧ ନକୁଳ ସାହୁ ଓ ସୁଲୋଚନା ଦାସଙ୍କ ମଧ୍ୟ ସମାନ ସମସ୍ୟା। ସେମାନେ କହିଛନ୍ତି, ନାଁରେ କାର୍ଡ ଆସି ଯାଇଥିବାରୁ ଚାଉଳ ମିଳିଯିବ ବୋଲି ଭାବିଥିଲୁ। କିନ୍ତୁ ମିଳିଲା ନାହିଁ। ଏ ଅସମୟରେ ବାହାରକୁ ବାହାରିବାକୁ ଦିଆଯାଉନଥିବା ବେଳେ ଆମକୁ ଡିଲରଙ୍କଠୁ ନେଇ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ପାଖକୁ ବାରମ୍ବାର ଦୌଡ଼ିବାକ ପଡ଼ୁଛି। ଏ ଅସମୟରେ କ’ଣ ଏମିତି ଦହଗଞ୍ଜ କରିବା କଥା।

୬୩ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର୍‌ ରଘୁନାଥ ମହାନ୍ତି କହିଛନ୍ତି, ଯଦି ନାଁ’ରେ କାର୍ଡ ହୋଇସାରିଛି, ଏ ବାବଦରେ ସରକାର ନିଷ୍ପତ୍ତିଟିଏ ନେବାକୁ କାହିଁକି ଏତେ ଦିନ ଲଗାଉଛନ୍ତି? ପୁଣି ଯଦି ସେମାନଙ୍କ ନାଁରେ କାର୍ଡ ହୋଇସାରିଛି, ତେବେ ଏହାକୁ କାହିଁକି ତୁରନ୍ତ ବିଚାରକୁ ନିଆଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର