ଓଡ଼ିଶା ବନସେବା ସଂଘର ସାଧାରଣ ଅଧିବେଶନ : ଏଣିକି ବନ ବିଭାଗରେ ପ୍ରତିବର୍ଷ ନିଯୁକ୍ତି

ଭୁବନେଶ୍ବର : ପ୍ରାକୃତିକ ବିପର୍ଯ୍ୟୟ, ଜୈବ ବିବିଧତା ନଷ୍ଟ, ବିଶ୍ବ ତାପାୟାନ(ଗ୍ଲୋବାଲ ୱାର୍ମିଂ) ପରି ସମସ୍ୟା ଏବେ ବିଶ୍ବ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା ପାଇଁ ସବୁଜ ବଳୟ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଏକ୍ଷେତ୍ରରେ ବନ ବିଭାଗ ଅଧିକାରୀଙ୍କର ପ୍ରମୁଖ ଭୂମିକା ରହିଛି। ବୃକ୍ଷରୋପଣ ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା କ୍ଷେତ୍ରରେ ଏମାନେ କାର୍ଯ୍ୟ ଜାରି ରଖିଛନ୍ତି। ଯେଉଁଥିପାଇଁ ଓଡ଼ିଶାରେ ଜଙ୍ଗଲ ପରିମାଣ ବୃଦ୍ଧି ପାଇଛି। ତାହାକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ବନ ବିଭାଗରେ ଖାଲିଥିବା ପଦବିଗୁଡ଼ିକ ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି। ଗତ ୫ରୁ ୬ ବର୍ଷ ମଧ୍ୟରେ ୭ ହଜାର ପଦବି ପୂରଣ ହୋଇଛି। ଏଣିକି ପ୍ରତିବର୍ଷ ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଓଡ଼ିଶା ବନସେବା ସଂଘର ସାଧାରଣ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର କହିଛନ୍ତି।

ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟରେ ଅନୁଷ୍ଠିତ ଅଧିବେଶନରେ ପିସିସିଏଫ୍‌(ବନ ବିଭାଗ) ଦେବବ୍ରତ ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ୮୮୫ ବର୍ଗ କିମି ଜଙ୍ଗଲ ବୃଦ୍ଧି ପାଇଛି। ଏକ୍ଷେତ୍ରରେ ବନ ବିଭାଗ କର୍ମଚାରୀଙ୍କ ସହ ବନ ସୁରକ୍ଷା ସମିତିଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବାକୁ ସେ ଅଧିକାରୀମାନଙ୍କୁ ଆହ୍ବାନ ଦେଇଥିଲେ। କେନ୍ଦୁପତ୍ର ବିଭାଗର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଅଜୟ କୁମାର ମହାପାତ୍ର ଅନ୍ୟତମ ଅତିଥି ଭା‌ବେ ଯୋଗଦେଇ ଜଙ୍ଗଲ ବୃଦ୍ଧିରେ ବନ ବିଭାଗ ଅଧିକାରୀଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଶା ବନ ସେବା ସଂଘର ସମ୍ପାଦକ ଶୁଭେନ୍ଦୁ ଭୂୟାଁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର