ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘର ଧାରଣା

ଭୁବନେଶ୍ୱର : ୨ ଦଫା ଦାବି ନେଇ ଆଜି ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂପାଦକ ପ୍ରକାଶ କୁମାର ସାମନ୍ତରାୟ ଓ ରବୀନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ବିକ୍ଷୋଭକାରୀ ଲୋୟର ପିଏମ୍‌ଜିରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ସଂଘର ଦାବି ଅନୁଯାୟୀ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ପିଅନ, ଝାଡ଼ୁଦାର ଓ ରାତ୍ର ଜାଗୁଆଳଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ସହିତ ନିୟମିତ ଦରମା ପ୍ରଦାନ କରାଯାଉ। ପଞ୍ଚାୟତରାଜ ବିଭାଗର ଅଧିନିୟମ ୧୯୬୪ ଓ ଧାରା ୧୯ ଓ ୨୧ ଅନୁଯାୟୀ ରାଜ୍ୟର ସମସ୍ତ ପଞ୍ଚାୟତରେ ପିଅନ ଓ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ସମାନ ଧାରାରେ ନିଯୁକ୍ତି ପାଇଥିବା ପଞ୍ଚାୟତ ସଂପାଦକମାନେ ପଦୋନ୍ନତି ପାଇ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଭାବେ ଅବସ୍ଥାପିତ ହୋଇଛନ୍ତି। ସେମାନଙ୍କୁ ସରକାରୀ ହାରରେ ଦରମା ସହିତ ଆନୁସାଙ୍ଗିକ ସୁବିଧା ପ୍ରଦାନ କରାଯାଉଛି। ମାତ୍ର ପିଅନ, ରାତ୍ର ଜାଗୁଆଳି ଓ ଝାଡ଼ୁଦାରମାନେ ଦୀର୍ଘଦିନ ଧରି ସରକାରୀ ଉଦାସୀନତା ଓ ପ୍ରଶାସନିକ ଅବହେଳାର ଶିକାର ହୋଇଛନ୍ତି। କର୍ମଚାରୀମାନେ ମାସିକ ୫୦, ୧୦୦ ଓ ୨୦୦ଟଙ୍କା ପାରିଶ୍ରମିକ ପାଉଛନ୍ତି। ଏହା ପୂର୍ବରୁ ବହୁବାର ସଂଘ ଧାରଣା ଦେଇଥିଲେ ହେଁ, କୌଣସି ସୁଫଳ ମିଳିପାରି ନାହିଁ। ତେଣୁ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର