୨୦୨୫ ସୁଦ୍ଧା ଶିଶୁ ଶ୍ରମମୁକ୍ତ ହେବ ଓଡ଼ିଶା

ଭୁବନେଶ୍ୱର: କରୋନା ସମୟରେ ଆର୍ଥିକ ଅନଟନରେ ଥିବା ପରିବାର ଯେପରି ନିଜ ପିଲାଙ୍କୁ ଶ୍ରମକ୍ଷେତ୍ରରେ ନିୟୋଜିତ ନ କରିବେ, ସେଥିପାଇଁ ପରିବାରର ମୁରବିମାନଙ୍କ ମାନସିକ ଚିନ୍ତାଧାରାରେ ପରିବର୍ତ୍ତନ କରାଯିବା ଦରକାର। ମିଳିତ ପ୍ରୟାସରେ ଏନେଇ ପଦକ୍ଷେପ ନେବା ସହ ଶିଶୁଙ୍କୁ ଶିକ୍ଷା କ୍ଷେତ୍ରରେ ନିୟୋଜିତ କରିପାରିଲେ ଶିଶୁ ଶ୍ରମ ବନ୍ଦ ହୋଇପାରିବ। ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ପିପୁଲ୍ସ କଲ୍‌ଚରାଲ୍ ସେଣ୍ଟର୍ (ପିକକ) ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ ପାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଡିଭିଜନାଲ ଶ୍ରମ କମିସନର ପ୍ରଦୀପ ମହାପାତ୍ର ଯୋଗଦେଇ କହିଥିଲେ, ୨୦୨୫ ସୁଦ୍ଧା ଓଡ଼ିଶାକୁ ଶିଶୁ ଶ୍ରମ ମୁକ୍ତ କରିବା ହେଉଛି ଆମ ଲକ୍ଷ୍ୟ। ଶିଶୁ ଶ୍ରମ ବ୍ୟବସ୍ଥା ରୋକିବାକୁ ଶ୍ରମ ବିଭାଗ, ଶିକ୍ଷା ଓ ଅନ୍ୟାନ୍ୟ ବିଭାଗ ସହଯୋଗରେ ଏକ ମିଳିତ ଖସଡ଼ା ପ୍ରସ୍ତୁତିର ଆବଶ୍ୟକତା ରହିଛି। ଶିଶୁମାନଙ୍କ ପାଇଁ ଏକ ପେନସିଲ୍ ପୋର୍ଟାଲ କରାଯାଇଛି। ଏହାକୁ ବ୍ୟବହାର ପାଇଁ ସଚେତନ କରାଯିବା ସହିତ ଜିଲ୍ଲାସ୍ତରରେ ଅଭିଯୋଗ ପଞ୍ଜୀକରଣ ଜରିଆରେ ଆବଶ୍ୟକ ପଦକ୍ଷେପ ନିଆଯିବ।

ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଦୀପ ବିଶ୍ୱାଳ କହିଥିଲେ ଯେ ଶିଶୁ ଶ୍ରମ ନିୟନ୍ତ୍ରଣ ପାଇଁ ପିଲାଙ୍କୁ ବିଦ୍ୟାଳୟକୁ ଆଣିବା ଦରକାର। ଏଥିନିମନ୍ତେ ମିଳିତ ପ୍ରୟାସ ଦରକାର। ଶିକ୍ଷା ସନ୍ଧାନର ଅନିଲ ପ୍ରଧାନ, ସ୍ବେଚ୍ଛାସେବୀ ମଧୁମିତା ଦାସ, କବିତା କାନୁନ୍‌ଗୋ, ସାମ୍ବାଦିକ ଯତୀନ ଦାଶ ପ୍ରମୁଖ ଶିଶୁ ଶ୍ରମ କିପରି ବନ୍ଦ ହେବ ସେନେଇ ମତ ରଖିଥିଲେ। ପିକକ୍‌ ସଂପାଦକ ରଞ୍ଜନ କୁମାର ମହାନ୍ତି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ମିଳିତ ଉଦ୍ୟମରେ କିପରି ଶିଶୁ ଶ୍ରମ ରୋକି ହେବ କହିଥିଲେ। ପିକକ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର