ପରୀକ୍ଷା ଦେଲେ ୧୭ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱରରେ ଓଜେଇଇ

ଭୁବନେଶ୍ୱର: ରାଜ୍ୟର ୨୦ଟି ସହରର ୮୧ଟି ପରୀକ୍ଷା କେନ୍ଦ୍ରରେ ଓଜେଇଇ ପରୀକ୍ଷା ହୋଇଯାଇଛି। ଦୁଇଟି ସିଟିଂରେ ଅନୁଷ୍ଠିତ ପରୀକ୍ଷାରେ ଭୁବନେଶ୍ୱରରେ ସର୍ବାଧିକ ୨୦ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଏଠାରେ ପ୍ରାୟ ୧୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। କେତେକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ବିଳମ୍ବରେ ଅସିବାରୁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ଆଉ କିଛି ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସି ନ ଥିଲେ। ପରୀକ୍ଷା କେନ୍ଦ୍ରକୁ ବିଳମ୍ବରେ ଆସିଥିବାରୁ ବହୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ଭିତରକୁ ଯାଇପାରି ନ ପାରି ନିରାଶ ହୋଇ ଫେରିଛନ୍ତି। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ୩ଟି ସେସନ୍‌ରେ ପ୍ରଥମ ସିଟିଂ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଆଗରେ ଭିଡ଼ ଜମାଇଥିଲେ। ଫାଟକ ଖୋଲା ହେବା କ୍ଷଣି ପରୀକ୍ଷାର୍ଥୀଙ୍କୁ ହଲ୍‌ ଭିତରକୁ ପ୍ରବେଶ ଲାଗି ସୁଯୋଗ ଦିଆଯାଇଥିଲା। କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଏବଂ ଇନ୍‌ଭିଜିଲେଟର୍‌ମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା ସୁପରିଚାଳିତ ହୋଇଛି। ବିଜେବି କଲେଜ ସମେତ କଳେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି), ସହରରେ ଥିବା ୪ଟି ଡିଏଭି ସ୍କୁଲ, ରାଜଧାନୀ କଲେଜ, ମହର୍ଷି କଲେଜ, ଓଡିଏମ୍‌ ପବ୍ଲିକ ସ୍କୁଲ ଆଦି ଶିକ୍ଷାନୁଷ୍ଠାନରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସମସ୍ତ କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କମିସନରେଟ୍‌ ପୁଲିସ ପକ୍ଷରୁ ପୁଲିସ ମଧ୍ୟ ନିୟୋଜିତ ହୋଇଥିଲେ। ଓଜେଇଇ ପକ୍ଷରୁ ସ୍ୱତନ୍ତ୍ର ଅବଜରଭର୍‌ ପ୍ରତି କେନ୍ଦ୍ରରେ ରହିଥିଲେ।

ପରୀକ୍ଷାର୍ଥୀଙ୍କ ମୁହଁରୁ…
ପରୀକ୍ଷା ଲାଗି ଯେଉଁଭଳି ଭାବେ ପ୍ରସ୍ତୁତ ହୋଇଥିଲି ସେହି ଅନୁଯାୟୀ ପ୍ରଶ୍ନ ଆସିଥିଲା। ତେଣୁ କୌଣସି ଅସୁବିଧା ହେଲା ନାହିଁ। ଦ୍ୱିତୀୟ ଥର ଓଜେଇଇ ଦେଇଥିବାରୁ ମୋ ପାଇଁ ସହଜ ଥିଲା। ଆଶା କରୁଛି ଭଲ ର‍୍ୟାଙ୍କ ମିଳିବ। ର‍୍ୟାଙ୍କ ଅନୁଯାୟୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବି।
-ଅବିନାଶ ବେହେରା, ପରିକ୍ଷାର୍ଥୀ

ପ୍ରଶ୍ନଗୁଡ଼ିକ ବହୁତ ଭଲ ଥିଲା। ତେଣୁ ଉତ୍ତର ଭଲ ହୋଇଛି। ପରୀକ୍ଷା ଲାଗି ବହୁ ପୂର୍ବରୁ ନିଜକୁ ପ୍ରସ୍ତୁତି କରିଥିଲି। ଦିନକୁ ୮ରୁ ୯ଘଣ୍ଟା ପରିଶ୍ରମ କରୁଥିଲି। ବାରମ୍ବାର ଅଭ୍ୟାସ କରିବା ଦ୍ୱାରା ସମସ୍ତ ପ୍ରଶ୍ନର ଉତ୍ତର ଲେଖିପାରିଛି।
-ସୁଚରିିତା ସାହୁ,ପରିକ୍ଷାର୍ଥୀ

ପ୍ରଶ୍ନଗୁଡ଼ିକ ସହଜ ଥିଲା। ନିର୍ଧାରିତ ସମୟ ମଧ୍ୟରେ ସମସ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିଛି। ଓଜେଇ ପରୀକ୍ଷା ପାଇଁ କୋଚିଂ ନେଇଥିଲି। ପ୍ରଥମ ଥର ପାଇଁ ଏହି ପରୀକ୍ଷା ଦେଇଛି। ସେଥିପାଇଁ ମନରେ ଟିକେ ଡର ଥିଲା। ଭଲ ର‍୍ୟାଙ୍କ ମିଳିବ ବୋଲି ଆଶା।
-କୌଶଲ ରାଜ,ପରିକ୍ଷାର୍ଥୀ

ଏହି ପରୀକ୍ଷା ପ୍ରଥମ ଥର ପାଇଁ ଦେଇଛି। ପ୍ରଶ୍ନଗୁଡ଼ିକ ସହଜ ଥିବାରୁ ସମସ୍ତ ପ୍ରଶ୍ନର ଉତ୍ତର ଲେଖିଛି। ୯୦% ପ୍ରଶ୍ନର ଉତ୍ତର କରିଛି। ଏବେ ନର୍ଭସ ଲାଗୁଛି। ଭଲ ର‍୍ୟାଙ୍କ ମିଳିଲେ ସରକାରୀ କଲେଜରେ ନାମଲେଖାଇବାକୁ ସୁଯୋଗ ମିଳିବ।
-ସାରଦା ଅନୁସ୍କା,ପରିକ୍ଷାର୍ଥୀ

ସମ୍ବନ୍ଧିତ ଖବର