ପଡ଼ିଆରୁ ଓଏମ୍‌ସି କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଧଉଳି : ଧଉଳି ଥାନା ପୁଲିସ ସୋମବାର ଅପରାହ୍‌ଣ ପ୍ରାୟ ୩ଟା ବେଳେ ଭୁବନେଶ୍ବର-କଟକ ବାଇପାସ୍‌ ଜାତୀୟ ରାଜପଥ ସଂଲଗ୍ନ ଶିଶୁପାଳଗଡ଼ ଦଶହରା ପଡ଼ିଆ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧର କରିଛି। ମୃତକ ହେଲେ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନ ବେରୁହାଁଶାସନ ଗ୍ରାମର ଭାସ୍କର ସ୍ବାଇଁ(୪୯)। ସେ ବଡ଼ଗଡ଼ ବ୍ରିଟ୍‌ କଲୋନିରେ ଏକ ଭଡ଼ା ଘରେ ରହୁଥିଲେ। ସେ ଭୁବନେଶ୍ବର ଓଏମ୍‌ସି କାର୍ଯ୍ୟାଳୟରେ ପିଅନ ବୋଲି ଜଣାପଡ଼ିଛି। ପୁଲିସ ଭାସ୍କରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ( ନଂ ୧୩/୨୧)ରୁଜୁ କରି ତଦନ୍ତ ଚଳାଇଛି। ଏହାସହ ପୁଲିସ ଘଟଣାସ୍ଥଳରୁ ଭାସ୍କରଙ୍କ ସାଇକେଲ, ଏକ ବ୍ୟାଗ ଭିତରେ ଥିବା ଗୋଟିଏ ଛତା, ଖାଦ୍ୟଭର୍ତ୍ତି ଟିଫିନ୍‌ ଏବଂ ୫ଟି ଛୋଟବଡ଼ ଡାଏରି ସମେତ ତାଙ୍କର ମୋବାଇଲ ଫୋନ ଜବତ କରିଛି।

ପଡ଼ିଆରୁ ଶବ ଜବତ ହେବା ଓ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଭାସ୍କରଙ୍କ ପତ୍ନୀ ଶାନ୍ତିଲତା ସ୍ବାଇଁ ଅଭିଯୋଗ କରିଛନ୍ତି ଯେ ଟଙ୍କା ପଇସା କିମ୍ବା ପୂର୍ବଶତ୍ରୁତାକୁ କେନ୍ଦ୍ର କରି କେହି ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଭାସ୍କରଙ୍କ ଶାଳୀ ଶକୁନ୍ତଳାଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ବିବାହ ପ୍ରସ୍ତାବ ମଧ୍ୟସ୍ଥତାକୁ କେନ୍ଦ୍ର କରି ଭୁବନେଶ୍ବରରେ ତାଙ୍କୁ କିଛି ଲୋକ ମାଡ଼ ମାରିଥିଲେ। କିନ୍ତୁ ଶରୀରରେ କୌଣସି କ୍ଷତଚିହ୍ନ ନ ଥିବାରୁ ଶାରୀରିକ ଅସୁସ୍ଥତା ଯୋଗୁଁ ଭାସ୍କରଙ୍କ ମୃତ୍ୟୁ ଘଟିଥିବା ପୁଲିସ ଅନୁମାନ କରୁଛି। ତେବେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଏହାବ୍ୟତୀତ ପୁଲିସ ଭାସ୍କରଙ୍କ କଲ୍‌-ଡିଟେଲ୍ସ ରିପୋର୍ଟ ଆଧାରରେ ଭାସ୍କର ମୃତ୍ୟୁ ପୂର୍ବରୁ ଯେଉଁମାନଙ୍କ ସହ କଥା ହୋଇଥିଲେ, ସେମାନଙ୍କୁ ଥାନାକୁ ଡକାଇ ପଚରାଉଚରା କରିବାକୁ ଯୋଜନା କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଭାସ୍କର ବଡ଼ଗଡ଼ ବ୍ରିଟ୍‌ କଲୋନି ଅଞ୍ଚଳରେ ଘରଭଡ଼ା ନେଇ ଏକାକୀ ରହୁଥିଲେ। ଓଏମ୍‌ସିରେ ପିଅନ ଭାବେ କାମ କରିବା ସହିତ ବିବାହ ମଧ୍ୟସ୍ଥି ଓ ପିଲାଙ୍କ ଘରକୁ ଯାଇ ଟ୍ୟୁସନ୍‌ କରୁଥିଲେ। ସେ ଗତ ଶନିବାର ଗାଁକୁ ଯାଇଥିବା ବେଳେ ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ଭୁବନେଶ୍ବର-କଟକ ବାଇପାସ୍‌ ରାସ୍ତା ଦେଇ ବଡ଼ଗଡ଼ସ୍ଥିତ ଭଡ଼ାଘରକୁ ଫେରୁଥିଲେ। ସେଠାରୁ ଅଫିସ ଯାଇଥାନ୍ତେ। କିନ୍ତୁ ପୂର୍ବାହ୍ନ ପ୍ରାୟ ୯ଟା ବେଳକୁ ଶିଶୁପାଳଗଡ଼ ଦଶହରା ପଡ଼ିଆ ନିକଟରେ ଥିବା ଏକ ନିମ୍ବ ଗଛ ତଳେ ତାଙ୍କ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କିନ୍ତୁ କେହି ନିଶାଡ଼ି ମଦନିଶାରେ ଗଛ ତଳେ ଶୋଇଥିବା ଭାବି ପୁଲିସ ପ୍ରଥମେ ଏହାକୁ ଗୁରୁତ୍ବ ଦେଇନଥିଲା। ପରେ ଅପରାହ୍‌ଣରେ ପୁଣିଥରେ ଅଭିଯୋଗ ହେବାରୁ ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରିଥିଲା। ପୁଲିସର ଏହି ଖାମଖିଆଲି ନୀତି ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର