ମାତିଛନ୍ତି ମଦ ମାଫିଆ, ଗୋଟିଏ ମାସରେ ୨ ଭାଟି ଠାବ

ଖଣ୍ଡଗିରି: ରାଜଧାନୀରେ ମାତିଛନ୍ତି ମଦ ମାଫିଆ। ଗୋଟିଏ ମାସ ଅନ୍ତରରେ ଦୁଇ ଦୁଇଟି ବଡ଼ ଦେଶୀ ମଦ ଭାଟି ଜବତ ହେବା ଘଟଣା ଏହା ସ୍ପଷ୍ଟ କରୁଛି। ଗୋଟିଏ ଭାଟି ଅବକାରୀ ବିଭାଗ ହାତରେ ଲାଗିଥିବାବେଳେ ଅନ୍ୟଟି କମିସନରେଟ୍‌ ପୁଲିସ ଠାବ କରିଛି। ଏହି କାରବାରରେ ଲିପ୍ତ ୫ ଶ୍ରମିକଙ୍କୁ ପୁଲିସ ଗିରଫ କରିଛି। ତେବେ ପ୍ରକୃତ ମାଫିଆମାନେ ଫେରାର୍‌ ହୋଇଯାଇଛନ୍ତି। ଏଥିସହିତ ଭାଟିରୁ ବହୁ ପରିମାଣର ଉପକରଣ ଓ ବିପୁଳ ପରିମାଣର ରନ୍ଧା ମଦ, ପୋଚ, ମହୁଲ ଆଦି ଜବତ କରିଛି। ଏହି ଧରପଗଡ଼ ପୁଲିସ ବା ଅବକାରୀ ବିଭାଗ ପାଇଁ ଏକ ସଫଳତା ବୋଲି କୁହାଯାଉଥିଲେ ବି ରାଜଧାନୀରେ ଏଭଳି ବେଆଇନ୍‌ କାରବାର କିଭଳି ଚାଲୁଥିଲା, ତାହାକୁ ନେଇ ବୁଦ୍ଧିଜୀବୀମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଭାଟିର ପ୍ରକୃତ ମାଲିକମାନେ ଫେରାର୍‌ ହୋଇ ଯାଉଥିବାରୁ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଗତ ଜୁଲାଇ ୨୭ ତାରିଖରେ ଅବକାରୀ ବିଭାଗ ହାତରେ ସବୁଠାରୁ ବଡ଼ ଭାଟିଟି ଲାଗିଥିଲା। ସାଲିଆସାହି ନୀଳଚକ୍ରନଗରରେ ଏହି ମଦ ଭାଟି ଚାଲିଥିଲା। ଅବକାରୀ ବିଭାଗ ସେଠାରୁ ୩ ଜଣଙ୍କୁ ଗିରଫ କରିବା ସହ ୮୨୦ ଲିଟର ରନ୍ଧାମଦ ଓ ୭୬୦୦ ଲିଟର ପୋଚ ଜବତ କରିଥିଲା। ଏଥିସହିତ ସେଠାରୁ ମଦ ରନ୍ଧା ଓ ପୋଚ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ୩୦ଟି ବଡ଼ ବଡ଼ ଆଲୁମିନିୟମ୍‌ ଡେକ୍‌ଚି ଓ ଚୁଲା ଆଦି ଜବତ ହୋଇଥିଲା। ତେବେ ସେଠାରୁ ମାଫିଆ ଜଡ଼ା ପୁଲିସ ହାବୁଡ଼ରୁ ଖସି ପଳାଇଥିଲା। ସେହିଭଳି ଗତ ୩୧ ତାରିଖରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସ୍ଥାନୀୟ ମୈତ୍ରୀବିହାର ନିକଟ ବୀରବିର୍ସା ବସ୍ତିରେ ଚଢ଼ାଉ କରି ଅନ୍ୟଏକ ଭାଟି ଜବତ କରିଥିଲା। ଏଠାରୁ ଏକ ହଜାର ଲିଟର ମହୁଲି, ପୋଚ ଆଦି ଜବତ କରାଯାଇଥିଲା ଓ ୨ ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଅସଲି ମାଲିକ ଖସି ଯାଇଥିଲା। ପୁଲିସ କେବଳ ଭାଟିର ଶ୍ରମିକମାନଙ୍କୁ ଗିରଫ କରିଥିଲା। ବଡ଼ କଥା ହେଉଛି ଏହି ଭାଟି ଦୁଇଟି ଦୀର୍ଘ ଦିନ ଧରି ଚାଲିଥିଲା। ରାଜଧାନୀରେ ମଦ ବିରୋଧୀ ଆନ୍ଦୋଳନ ପାଇଁ ବହୁ ସଂଗଠନ ରହିଛି। ମଦ ବିରୋଧରେ ବ୍ୟାପକ ଆନ୍ଦୋଳନ କରାଯାଉଛି। ବସ୍ତି ବସ୍ତିରେ ବୁଲୁଛନ୍ତି ମାଳ ମାଳ ସାମାଜିକ କର୍ମୀ। ବସ୍ତିବାସିନ୍ଦାମାନଙ୍କ ଉନ୍ନତି ପାଇଁ ସେମାନେ ଅହରହ ସଂଗ୍ରାମ କରୁଛନ୍ତି। ସ୍ଥାନୀୟ ଲୋକପ୍ରତିନିଧିମାନେ ସିଧାସଳଖ ଲୋକଙ୍କ ସହ ଯୋଡ଼ି ହୋଇ ରହୁଛନ୍ତି। ତଥାପି ମାଫିଆମାନେ କିପରି ଏହି କାର୍ଯ୍ୟ ବେଧଡ଼କ ଭାବେ କରୁଛନ୍ତି ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଭାଟିକୁ ମୟୂରଭଂଜ ଓ କେନ୍ଦୁଝରରୁ ମହୁଲ ଏବଂ ପିଡ଼ିଆ ଭଳି କଞ୍ଚାମାଲ୍‌ ଆସୁଛି। ମଦ ରନ୍ଧା ହେବା ଓ ପୁଣି ବିଭିନ୍ନ ବସ୍ତିକୁ ଅଟୋ ଯୋଗେ ଚାଲାଣ ହେବା ପର୍ଯ୍ୟନ୍ତ ଲମ୍ବା ପ୍ରକ୍ରିୟା ଚାଲୁ ରହୁଛି। ଏସବୁ କ’ଣ କାହା ଅଗୋଚରରେ ହେବା ସମ୍ଭବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଉଲ୍ଲେଖଯୋଗ୍ୟ ଯେ ସରକାରୀ ଆସ୍କା ଫଟିଠାରୁ କମ୍‌ ଦରରେ ଏହି ରନ୍ଧା ମାଲ୍‌ ବିକ୍ରି ହେଉଛି। ଏହି ମଦରେ ନିଶାବଟିକା ମିଶାଯାଉଥିବାରୁ ଅଧିକ ନିଶା ହେଉଛି। ଶସ୍ତା କାରଣରୁ ଏହାକୁ ଅଧିକ ଲୋକେ ପିଉଛନ୍ତି। ଏପରି ହେଲେ ରାଜଧାନୀରେ ମଦ ମୃତ୍ୟୁର ବିଭୀଷିକାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର