ଏମ୍‌ସରେ କେବଳ ୩୫% କର୍ମଚାରୀ ଟିକା ନେଇଛନ୍ତି

ଭୁବନେଶ୍ବର : ଖୋର୍ଧା ସମେତ ରାଜ୍ୟର ୯ଟି ଜିଲ୍ଲାରେ କରୋନା ଟିକାକରଣ ଆଶାନୁରୂପ ହୋଇ ନ ଥିବାରୁ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ଏସବୁ ଜିଲ୍ଲାରେ ଆସନ୍ତା ୧୦ତାରିଖ ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ଶେଷ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ମାତ୍ର ରାଜଧାନୀର ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟ ଟିକାକରଣ ଉତ୍ସାହଜନକ ନ ଥିବା ଦେଖିବାକୁ ମିଳିଛି।

ଏମ୍‌ସରେ ଆଜି ଯାଏ ମାତ୍ର ୩୫ ପ୍ରତିଶତ କର୍ମଚାରୀ ଟିକା ନେଇଛନ୍ତି। ଡାକ୍ତର ଓ ଷ୍ଟାଫ ନର୍ସଙ୍କ ମଧ୍ୟରେ ଟିକା ନେବା ଲାଗି ଆଗ୍ରହ ପ୍ରକାଶ ପାଉ ନ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏମ୍‌ସରେ ମୋଟ ୪ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀ ଟିକା ନେବା ପାଇଁ ପଞ୍ଜୀକୃତ ହୋଇଥିବାବେଳେ ଗତକାଲି ସୁଦ୍ଧା ୧୪୨୬ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ମେଡିକାଲ ଶିକ୍ଷାଦାନ କରୁଥିବା ଫାକଲଟି ୫୭ ପ୍ରତିଶତ, ସୁରକ୍ଷା କର୍ମଚାରୀ ୭୯ ପ୍ରତିଶତ, ଆଇଟି ୬୭ ପ୍ରତିଶତ ଓ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ୪୭ ପ୍ରତିଶତ ଟିକା ନେଇଛନ୍ତି। ତେବେ ଷ୍ଟାଫ ନର୍ସ ୨୭ ପ୍ରତିଶତ, ରେସିଡେଣ୍ଟ ଡାକ୍ତର ୨୨ ପ୍ରତିଶତ, ଇନ୍‌ଟର୍ଣ୍ଣ ୩୬ ପ୍ରତିଶତ, ହାଉସକିପିଂ ୩୧ ପ୍ରତିଶତ ଓ ବିଆଇଏସ୍‌ କର୍ମଚାରୀ ୨୮ ପ୍ରତିଶତ ଟିକା ନେଇଛନ୍ତି। ଯାହାକି ବେଶ୍ ନୈରାଶ୍ୟଜନକ ବୋଲି ଏମ୍‌ସ କର୍ତୃପକ୍ଷ କହିଛନ୍ତି। ତେଣୁ ଯେଉଁମାନେ କ୍ଲାସ୍ ଓ ଅନ୍ୟ କାମ ପାଇଁ ଟିକା ନେଇ ନାହାନ୍ତି ଆସନ୍ତା ୩୦ତାରିଖ ଅପରାହ୍‌ଣରେ ଟିକା ନେଇପାରିବେ ବୋଲି କୁହାଯାଇଛି।

ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ସମୁଦାୟ ୧୫ଶହ କର୍ମଚାରୀଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ହସ୍ପିଟାଲର ୪୬ଜଣ କର୍ମଚାରୀ ଟିକା ନେଇଛନ୍ତି। ଏ ପର୍ଯ୍ୟନ୍ତ ୫୦ ପ୍ରତିଶତ କର୍ମଚାରୀ ଟିକା ନେଇ ସାରିଛନ୍ତି। ତେବେ ତହିଁରୁ କିଛି କର୍ମଚାରୀ ଟିକାକରଣ ପୂର୍ବରୁ ଅନ୍ୟ ଟିକା ନେଇଥିବାରୁ କିଛିଦିନ ପରେ ସେମାନଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି। ସେହିପରି ୟୁନିଟ୍‌-୪ ସିଏଚ୍‌ସିରେ ୪୦ଜଣ କର୍ମଚାରୀ ଟିକା ନେବେ। ହସ୍ପିଟାଲରେ ପ୍ରାୟ ଶତ ପ୍ରତିଶତ କର୍ମଚାରୀ ଟିକା ନେଇ ସାରିଥିବା ସୂଚନା ମିଳିଛି। କଳ୍ପନା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମୋଟ ୧୫ଜଣ କର୍ମଚାରୀ ଟିକା ନେବାକୁ ଧାର୍ଯ୍ୟ ହୋଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଟିକା ନେଇ ସାରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର