ରାସ୍ତା ଖୋଳି ଦେଇ ପଳାଇଲେ, ଠିକାଦାରଙ୍କ ଆଗେ ଯନ୍ତ୍ରୀ ନାଚାର

ଖଣ୍ଡଗିରି: ସ୍ବେରେଜ୍‌ ବ୍ୟବସ୍ଥା କରିବାକୁ ରାସ୍ତା ଖୋଳିଲେ। କାମ ସାରି ୪ ମାସରେ ରାସ୍ତା ସଜାଡ଼ି ଦେବାକୁ ଅଞ୍ଚଳବାସୀଙ୍କୁ ଆଶ୍ବାସନା ବି ଦେଲେ। ଅଥଚ ୨ ବର୍ଷ ବିତି ସାରିଥିଲେ ସୁଦ୍ଧା ରାସ୍ତା ସଜାଡ଼ିବା ନାଁ ଧରୁନାହାନ୍ତି। କେବେ ବର୍ଷା ଋତୁର ବାହାନା ଦେଖାଉଛନ୍ତି, ଆଉ କେବେ ପିଚୁ ମିଳୁନି କହି କାମ ଗଡ଼ାଉଛନ୍ତି। ଫଳରେ କଳିଙ୍ଗନଗର କେ-୩ ଏ ଅଞ୍ଚଳର ବାସିନ୍ଦା କଚ୍ଚା ରାସ୍ତା ଯୋଗୁଁ ଯା-ଆସ ବେଳେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ବିଡ଼ମ୍ବନା ଏହି ଯେ ଯନ୍ତ୍ରୀଙ୍କ ପାଖକୁ ଅଞ୍ଚଳବାସୀ ବାରମ୍ବାର ଦୌଡ଼ୁଥିଲେ ହେଁ ଯନ୍ତ୍ରୀ ଅଞ୍ଚଳବାସୀଙ୍କୁ କହୁଛନ୍ତି ଠିକାଦାର ଆମ କଥା ଶୁଣୁନାହିଁ। ତେ‌ବେ ଠିକାଦାର-ସ୍ବେରେଜ ବୋର୍ଡ କେଁ ରେ ଫସି କଲବଲ ହେଉଛନ୍ତି ଅଞ୍ଚଳବାସୀ।

କଳିଙ୍ଗ ନଗର କେ-୩ ଏ ଅଞ୍ଚଳର ରାସ୍ତା ପୂର୍ବରୁ ପିଚୁରେ ନିର୍ମିତ ହୋଇଥିଲା। ତେବେ ୨୦୧୮ ଅଗଷ୍ଟ ୧ ତାରିଖରେ ଏହି ଅଞ୍ଚଳରେ ୪୮ କୋଟି ଟଙ୍କା ବ୍ୟୟରେ ସ୍ବେରେଜ ପ୍ରକଳ୍ପ ଆରମ୍ଭ ହୋଇଥିଲା। ସ୍ବେରେଜ ସହ ରାସ୍ତା ନିର୍ମାଣ ପ୍ରକଳ୍ପର ଶୁଭାରମ୍ଭ କରିଥିଲା ସ୍ବେରେଜ ବୋର୍ଡ। କଳିଙ୍ଗ ନଗର କେ-୩-ଏ ୱେଲ୍‌ଫେୟାର ସୋସାଇଟିର ସମ୍ପାଦକ ସୁଧାଂଶୁ ଶେଖର ସ୍ବାଇଁଙ୍କ ଅଭିଯୋଗ ମୁତାବକ, ୬ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଖୋଳି କାମ ଆରମ୍ଭ କରିଥିଲା ସ୍ବେରେଜ ବୋର୍ଡ। ଏହା ୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ କର୍ତୃପକ୍ଷ ଆଶ୍ବାସନା ଦେଇଥିଲେ। ମାତ୍ର ରାସ୍ତା ନିର୍ମାଣକୁ ଦୀର୍ଘଦିନ ଧରି ଝୁଲାଇ ରଖିଛନ୍ତି। ବିଭିନ୍ନ ଆଳ ଦେଖାଇ ରାସ୍ତା ନିର୍ମାଣ କରୁନାହାନ୍ତି। ଏହି ଅଧାପନ୍ତରିଆ କାମ ଯୋଗୁଁ ଅଞ୍ଚଳବାସୀ ଉପାନ୍ତ ଅଞ୍ଚଳରେ ଯାତାୟତ କରିବା ଭଳି ସମସ୍ୟା ଭୋଗୁଛନ୍ତି। ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ପାଖକୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ ସେମାନେ ହାତ ଟେକି ଦେଉଛନ୍ତି ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

ଦୀର୍ଘଦିନ ଧରି କାମକୁ ଝୁଲାଇ ରଖିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଯଦି ତୁରନ୍ତ ରାସ୍ତା କାମ ଶେଷ କରାନଯାଏ ଏବଂ ସମସ୍ୟାର ସମାଧାନ କରିବାକୁ ତୁରନ୍ତ କର୍ତୃପକ୍ଷ ଆଗେଇ ନଆସନ୍ତି ତେବେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୋସାଇଟିର ସଭାପତି ପ୍ରଭାକର ବେଉରା କହିଛନ୍ତି। ନିକଟରେ ଆୟୋଜିତ ଏକ ବୈଠକରେ ସଭାପତି ଓ ସମ୍ପାଦକଙ୍କ ବ୍ୟତୀତ ବିନୟାନନ୍ଦ ଝା, ଡ.କାଳୀଶଙ୍କର ସେନାପତି, ଇଂ ଲକ୍ଷ୍ମୀଧର ମଲ୍ଲିକ, ସନାତନ ଜେନା, ଉପେନ୍ଦ୍ର ମହାରଣା, ମୋନା ହରିଚନ୍ଦନ, ପ୍ରଫୁଲ୍ଲ କୁମାର ପଣ୍ଡା, ଦଣ୍ଡପାଣି ସାହୁ, ମନୋଜ ନାୟକ, ସତ୍ୟାନନ୍ଦ ସାହୁ, ଦୀପ୍ତି ପଟ୍ଟନାୟକ ଓ ଇଂ ଅଶୋକ କୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର