ଅପରେସନ୍‌ ‘ହ୍ବାଇଟ୍ ସ୍ପାଇଡର୍’ ୯ ବେପାରୀଙ୍କଠାରୁ ଅଧ କିଲୋ ଧଳାଜହର ଜବତ

ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ରାଜଧାନୀକୁ ବ୍ରାଉନ୍‌ସୁଗାର ବେପାରୀଙ୍କ କବଳରୁ ମୁକ୍ତ କରିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ୍‌ ‘ହ୍ବାଇଟ୍‌ ସ୍ପାଇଡର୍‌’। ଏହି ଅପରେସନ୍‌ର ପ୍ରଥମ ପର୍ଯ୍ୟାୟରେ ପୁଲିସକୁ ବଡ଼ ସଫଳତା ମିଳିଛି। ୩ଟି ଥାନା ଅଞ୍ଚଳରୁ ୯ ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଅଧ କିଲୋରୁ ଅଧିକ ଧଳାଜହର ଜବତ କରାଯାଇଛି। ଜବତ ମାଲ୍‌ର ବଜାର ଦର ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଖାରବେଳନଗର ଥାନା ଅଞ୍ଚଳରୁ ୨ ଜଣଙ୍କଠାରୁ ୨୫୫ ଗ୍ରାମ୍‌ ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ୬ ଜଣଙ୍କଠାରୁ ୨୫୩ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରାଯାଇଛି।

ଚନ୍ଦ୍ରଶେଖରପୁର ଥାନା ପକ୍ଷରୁ ମଳିଥିବା ସୂଚନାନୁସାରେ ଗିରଫ ବ୍ରାଉନ୍‌ସୁଗାର ବେପାରୀମାନେ ହେଲେ କଟକ ଜିଲ୍ଲା ନରସିଂହପୁରର ସୁଶାନ୍ତ କୁମାର ସାହୁ(୨୯), ନୟାଗଡ଼ର ସାଗର‌ ଜେନା(୨୯), ଶିଶିର ବେହେରା(୩୨), କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ପ୍ରଶାନ୍ତ କୁମାର ମହନ୍ତ(୩୫), କେନ୍ଦ୍ରାପଡ଼ାର ଗୌତମ ତରାଇ(୨୯) ଓ କଳାସ ଅଞ୍ଚଳର ରାଜେନ୍ଦ୍ର ମହାପାତ୍ର(୨୩)। ଏମାନେ ଗତକାଲି ରାତିରେ ଏକ କାର୍‌(ଓଡି୦୫ଜେଡ୍‌-୬୮୩୯) ଯୋଗେ ପଟିଆ ରେଳ ଷ୍ଟେସନ ଆଡ଼କୁ ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ଏସ୍‌ଆଇ ଅଶ୍ବିନୀ କୁମାର ଜେନା ସନ୍ଦେହ କରି ସେମାନଙ୍କୁ ଅଟକାଇଥିଲେ। ମାତ୍ର ଏମାନେ କାର୍‌କୁ ନ ଅଟକାଇ ଦ୍ରୁତବେଗରେ ଗାଡ଼ି ନେଇ ଫେରାର୍ ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏସ୍‌ଆଇ ଶ୍ରୀ ଜେନା ସେମାନଙ୍କୁ ପିଛା କରି ରେଳ ଷ୍ଟେସନ୍ ନିକଟରେ ଅଟକାଇ ଥିଲେ। ଯାଞ୍ଚ କଲା ବେଳେ ସେମାନଙ୍କ ନିକଟରୁ ୨୫୩ ଗ୍ରାମ୍‌ ବ୍ରାଉନ୍‌ ସୁଗାର ମିଳିଥିଲା। ଥାନାକୁ ନେଇ ପଚରାଉଚରା କରିବା ପରେ ସେମାନେ ଚନ୍ଦ୍ରଶେଖରପୁର, ପଟିଆ, ଇନ୍‌ଫୋସିଟି ଥାନା ଓ କିଟ୍ ଅଞ୍ଚଳରେ ବିଭିନ୍ନ ଛୋଟ ଦୋକାନୀ ବା ବେପାରୀଙ୍କୁ ମାଲ୍‌ ବିକ୍ରି କରୁଥିବା ମାନି ଯାଇଥିଲେ।

ଖାରବେଳନଗର ଥାନା ପୁଲିସ ହାବୁଡ଼ରେ ପଡ଼ିଥିବା ବ୍ରାଉନ୍‌ସୁଗାର ବେପାରୀ ହେଲେ ଶାନ୍ତିନଗର ବସ୍ତିର ରାଜୁ ରେଡ୍ଡି(୩୯) ଓ ୟୁନିଟ୍-୩ ତାରିଣୀ ବସ୍ତିର ବିଜୟ କୁମାର ସାହୁ(୨୨)। ସେମାନଙ୍କ ନିକଟରୁ ୨୫୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏମାନେ ରୀତିମତ ଏହି ଅଞ୍ଚଳରେ ଏହି ଧଳାଜହର କାରବାର କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ସେହିଭଳି ଭରତପୁର ଥାନା ପୁଲିସ ଦ୍ବାରା ଗିରଫ ହୋଇଥିବା ବେପାରୀ ହେଲା ଗଂଜାମ ଗୋଳନ୍ଥରାର ପ୍ରକାଶ ଦାସ ଓରଫ୍‌ ସୁରେଶ। ଗତକାଲି ଶୁକୁରୁ ପାତ୍ରକୁ ଗିରଫ କଲା ବେଳେ ସହଯୋଗୀ ସୁରେଶ ଚମ୍ପଟ ମାରିଥିଲା। ଶୁକୁରୁ ଠାରୁ ୨୮୦ ଗ୍ରାମ୍‌ ମାଲ୍ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର