ଓୟୁଏଟି: ଯୋଜନାର ଦେଢ଼ ବର୍ଷ ପରେ କାର୍ଯ୍ୟକାରୀ, ଫିଲିପାଇନ୍ସ ଯିବେ ୫ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ଛାତ୍ରଛାତ୍ରୀ ଫିଲିପାଇନସ୍‌ସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଇରି) ଓ ବିଦେଶରେ ଥିବା ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଜ୍ଞାନ ଆହରଣ କରିବେ। ଏଥିପାଇଁ ୨୦୧୭-୧୮ ଶିକ୍ଷା ବର୍ଷରେ ରାଷ୍ଟ୍ରୀୟ ଉଚ୍ଚତର କୃଷି ଶିକ୍ଷା ପ୍ରକଳ୍ପ ଆରମ୍ଭ ହୋଇଥିଲା। ତେବେ ଦେଢ଼ ବର୍ଷ ହେଲା ନାଲିଫିତା ତଳେ ରହିଥିବା ପ୍ରକଳ୍ପ ଭାଗ୍ୟ ଏବେ ଫିଟିଛି। ଓୟୁଏଟି ଇତିହାସରେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ଉଚ୍ଚତର ଶିକ୍ଷା ପାଇଁ ବିଦେଶ ଗସ୍ତରେ ଯିବାକୁ ମନୋନୀତ ହୋଇଛନ୍ତି। ଚଳିତ ମାସ ୧୨ ତାରିଖଠାରୁ ୫ଜଣ ଛାତ୍ରଛାତ୍ରୀ ୧୫ଦିନ ପାଇଁ ଫିଲିପାଇନ୍ସସ୍ଥିତ ଇରିକୁ ଗସ୍ତ କରିବେ।

ଏନେଇ ଆଜି ଓୟୁଏଟି ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ରାଷ୍ଟ୍ରୀୟ ଉଚ୍ଚତର କୃଷି ଶିକ୍ଷା ପ୍ରକଳ୍ପ ଅଧୀନରେ ବିଶ୍ବବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ ତାଲିମ ଓ ଶିକ୍ଷା ପାଇଁ ବିଦେଶ ପଠାଯିବାର ବ୍ୟବସ୍ଥା ହୋଇଛି। ଏହି ପ୍ରକଳ୍ପ ଅଧୀନରେ ପ୍ରତିବର୍ଷ ୨୫ଜଣ ଲେଖାଏଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ବିଦେଶ ପଠାଯିବ। ଏଥିପାଇଁ କେନ୍ଦ୍ର ସରକାର ଓ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଭାରତର ୮ଟି କୃଷି ବିଶ୍ୱବିଦ୍ୟାଳୟକୁ ସାହାଯ୍ୟ ଯୋଗାଇ ଦିଆଯାଇଛି, ଯେଉଁଥିରେ ଓୟୁଏଟି ସ୍ଥାନ ପାଇଛି। ଏହି ପ୍ରକଳ୍ପ ମାଧ୍ୟମରେ ଛାତ୍ର ଓ ଶିକ୍ଷକମାନଙ୍କ ଅତ୍ୟାଧୁନିକ ଶିକ୍ଷା ଓ ତାଲିମ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେଥିମଧ୍ୟରୁ ୫ କୋଟି ୪୨ ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ। ପ୍ରଥମ ପର୍ଯ୍ୟାୟରେ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ୫ଜଣ ଛାତ୍ରଛାତ୍ରୀ ଗସ୍ତ କରୁଛନ୍ତି। ପରବର୍ତୀ ପର୍ଯ୍ୟାୟରେ ବାକି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସାମିଲ କରାଯିବ। ଏହାଦ୍ବାରା ଓୟୁଏଟିରେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିବା ସହ ବିଶ୍ୱବିଦ୍ୟାଳୟର ଗବେଷଣା ମାନରେ ଉନ୍ନତି ଘଟିବ ବୋଲି ସେ କହିଥିଲେ।

ବିଶ୍ୱବିଦ୍ୟାଳୟର କୁଳପତି ଡ. ପୱନ କୁମାର ଅଗ୍ରୱାଲ ଉତ୍ସବରେ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟରେ ଶିକ୍ଷା ଓ ଗବେଷଣାର ଉନ୍ନତି ପାଇଁ ଆଗାମୀ ଦିନରେ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଉତ୍ସବରେ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସଞ୍ଜୟ କୁମାର ଦାଶ ସ୍ୱାଗତ ଭାଷଣ ଦେବା ସହ ଛାତ୍ରଛାତ୍ରୀମାନଙ୍କର ବିଦେଶରେ ଶିକ୍ଷା ଲାଭ କରିବାର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ରାଷ୍ଟ୍ରୀୟ ଉଚ୍ଚତର କୃଷି ଶିକ୍ଷା ପ୍ରକଳ୍ପର ନୋଡାଲ ଅଫିସର ଡ. ରାମଚନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର