ମୃତ୍ୟୁ ପରେ ଶରୀର ଦାନ କରିବେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ

ଭୁବନେଶ୍ୱର: ମୃତ୍ୟୁ ପରେ ଏସସିବି ମେଡିକାଲ କଲେଜକୁ ଶରୀର ଦାନ କରିବେ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ। ୯୯ତମ ଜନ୍ମ ଦିବସ ଅବସରରେ ଶ୍ରୀ ପଟ୍ଟନାୟକ ଆଜି ଏଭଳି ଇଚ୍ଛା ବ୍ୟକ୍ତ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସକାଳେ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ମନ୍ତ୍ରୀଙ୍କୁ ତାଙ୍କର ଏହି ଇଚ୍ଛା ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ପଦ୍ମଶ୍ରୀ ପଟ୍ଟନାୟକ ୧୯୨୨ ମସିହା ମେ’ ୧୧ରେ ପୁରୀ ଜିଲ୍ଲାର ନିମାପଡ଼ାରେ ଜନ୍ମଗ୍ରହଣ କରିଥିଲେ। ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଶ୍ରୀ ପଟ୍ଟନାୟକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜଣେ ଅନ୍ତରଙ୍ଗ ସହଯୋଗୀ ଭାବେ ସେ କାର୍ଯ୍ୟ କରିଛନ୍ତି। ୧୯୬୧, ୧୯୬୬ ଓ ୧୯୭୮ ମସିହାରେ ୩ ଥର ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ, ତାଙ୍କର ଦେହାନ୍ତ ପରେ ଶରୀର ଦାନ କରିବାକୁ ନିଷ୍ପତ୍ତି ତାଙ୍କ ନିଃସ୍ୱାର୍ଥପର ମାନବୀୟ ମୂଲ୍ୟବୋଧର ପରିଚାୟକ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି। ଶ୍ରୀ ପଟ୍ଟନାୟକଙ୍କର ଏହି ନିଷ୍ପତ୍ତି ସମୟରେ ନିମାପଡ଼ା ଶହୀଦ ସଂସଦର ସମ୍ପାଦକ ବେଣୁଧର ସେନାପତି ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର