ପ୍ରେମ ଆଣିଲା କରୋନା : ଭୋଗରାଇରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ୩ ପଞ୍ଚାୟତରେ ସଟ୍‌ଡାଉନ୍‌

ବାଲେଶ୍ବର/ଭୋଗରାଇ : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକରୁ ଗତକାଲି ଚିହ୍ନଟ ହୋଇଥିଲେ ୧୫ ଜଣ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଯୁବକ, ଯିଏ ଏବେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛନ୍ତି। ନିକଟରେ ପ୍ରେମ ବିବାହ କରିଥିବା ଏହି ଯୁବକଜଣକ ମହାମାରୀ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣର ମୁଖ୍ୟବାହକ (ସୁପର ସ୍ପ୍ରେଡର୍‌) ସାଜିପାରନ୍ତି ବୋଲି ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ।

ସୂଚନା ମୁତାବକ, ଭୋଗରାଇ ବ୍ଲକ ସୁନାଧରବସାଣ ପଞ୍ଚାୟତର ଏହି ୨୭ ବର୍ଷୀୟ ଯୁବକ ପଶ୍ଚିମବଙ୍ଗ କଣ୍ଟେଇ ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଏପ୍ରିଲ ୧୭ ତାରିଖରେ ଯୁବକଜଣକ କଣ୍ଟେଇ ଯାଇ ଉକ୍ତ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ପରେ ନବଦମ୍ପତି ସାଙ୍ଗରେ ତାଙ୍କ ଶାଳୀଙ୍କୁ ଆଣି ନିଜ ଘରେ ରହିଥିଲେ। ଏ ସଂପର୍କରେ ସ୍ଥାନୀୟ ପଞ୍ଚାୟତ କିମ୍ବା ପ୍ରଶାସନ ନିକଟରେ କୌଣସି ସୂଚନା ନଥିଲା। ତେବେ କିଛି ଦିନ ପରେ ସେହି ଅଞ୍ଚଳର ଆଶାକର୍ମୀ କୌଣସି ସୂତ୍ରରୁ ଏ ଖବର ଜାଣି ପ୍ରଶାସନକୁ ଅବଗତ କରିଥିଲେ। ମେ ୬ ତାରିଖରେ ସମ୍ପୃକ୍ତ ଯୁବକଙ୍କ ସହ ତାଙ୍କ ପତ୍ନୀ ଓ ଶାଳୀଙ୍କଠାରୁ ରକ୍ତନମୁନା, ସ୍ୱାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଗତକାଲି ରିପୋର୍ଟ ଆସିବା ପରେ କେବଳ ସେହି ଯୁବକଜଣକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ମାତ୍ର ତାଙ୍କଠାରେ ଏ ନେଇ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ହେଲେ ଏହି ସମୟ ମଧ୍ୟରେ ସେ ନିଜ ସାଙ୍ଗସାଥୀ, ଗାଁ ଲୋକଙ୍କ ସହ ମିଶିବା ସହ ଭୋଜି ଖାଇବା ତଥା ବଜାରକୁ ଯାଇଥିବା ତାଙ୍କ ଯାତ୍ରା ବିବରଣୀରୁ ଜଣାପଡ଼ିଛି।

ଏ ନେଇ ପ୍ରଶାସନ ତଥା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଯିବା‌ ସହ ସଂପୃକ୍ତ ଯୁବକଙ୍କ ଦ୍ବାରା ଏକାଧିକ ଲୋକ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ସମ୍ପୃକ୍ତ ଯୁବକଙ୍କ ପରିବାର, ପଡ଼ୋଶୀ ଏବଂ ସାଙ୍ଗସାଥୀଙ୍କୁ ମିଶାଇ ୬୦ ଜଣଙ୍କଠାରୁ ସ୍ୱାବ ସଂଗ୍ରହ କରାଯାଇଥିବାବେଳେ ଆଜି ପୁଣି ସେହି ଗାଁରୁ ୭୦ ଜଣଙ୍କର ସ୍ୱାବ୍‌ ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଛି। ଆକ୍ରାନ୍ତ ଯୁବକଜଣକ ସୁନାଧରବସାଣ ପଞ୍ଚାୟତ ଓ ପାର୍ଶ୍ୱବର୍ତ୍ତୀ ଭୋଗରାଇ ପଞ୍ଚାୟତର ବିଭିନ୍ନ ଗାଁ ବୁଲାବୁଲି କରିଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଏଯାବତ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ସମ୍ପୃକ୍ତ ଦୁଇ ପଞ୍ଚାୟତର ସରପଞ୍ଚ ଆଜି ସେହି ଅଞ୍ଚଳକୁ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ‌ସେହିପରି ଏହି ବ୍ଲକର କାନ୍ଥିଭଉଁରୀ ପଞ୍ଚାୟତକୁ ମଧ୍ୟ ସେଠାକାର ସରପଞ୍ଚ ଏହି ଯୁବକଙ୍କ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଥିବା ସୂଚନନା ମିଳିଛି।

ସମ୍ବନ୍ଧିତ ଖବର