ଆର୍ତତ୍ରାଣ ଶତପଥୀଙ୍କୁ ‘ପଣ୍ଡିତ ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ’

ଓଡ଼ିଶୀ ସଙ୍ଗୀତ ଓ ଲଘୁ ସଙ୍ଗୀତ ସମାରୋହର ପ୍ରଥମ ସନ୍ଧ୍ୟା

ଭୁବନେଶ୍ବର: ‘ଶ୍ରୁତି’ ପକ୍ଷରୁ ‘ଚତୁର୍ଦ୍ଦଶ ଓଡ଼ିଶୀ ସଙ୍ଗୀତ ଓ ଲଘୁ ସଙ୍ଗୀତ ସମାରୋହ-୨୦୧୯’ ଆଜି ଜୟଦେବ ଭବନରେ ଉଦ୍‌ଘା‌ଟିତ ହୋଇଯାଇଛି। ଏହି ଦୁଇଦିନିଆ ଉତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ଅତିଥି ଭାବେ କଟକ ରାଜସ୍ବ ପରିଷଦର ପୂର୍ବତନ ସଭ୍ୟ ଅଶୋକ କୁମାର ତ୍ରିପାଠୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଭାପତି ରାମକୃଷ୍ଣ ସାହୁ, ପର୍ଯ୍ୟଟନ ବିଭାଗ ଉପନିର୍ଦ୍ଦେଶକ ଉତ୍ପଳ ପତି, ଶତାବ୍ଦୀର କଳାକାରର ସାଧାରଣ ସମ୍ପାଦକ ଧୀରେନ୍ଦ୍ର ନାଥ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଜୀବନବ୍ୟାପୀ କଳା କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ବିଶିଷ୍ଟ ବେହେଲା ବାଦକ ତଥା ଗବେଷକ ଆର୍ତତ୍ରାଣ ଶତପଥୀଙ୍କୁ ‘ପଣ୍ଡିତ ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହାସହ ସାମ୍ବାଦିକ ମନୋରଞ୍ଜନ ମହାନ୍ତି, ‘ରାଜ୍ୟ ପାଲା ଗାୟକ ପରିଷଦ’ର ସଭାପତି ମଦନ ମୋହନ ଜେନା ଏବଂ ବିଶିଷ୍ଟ କଳାପ୍ରେମୀ ଶଶିଭୂଷଣ ସ୍ବାଇଁଙ୍କୁ ‘ଶ୍ରୁତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପ୍ରଥମେ ହିମାଂଶୁ ଶେଖର ସ୍ବାଇଁ ଏବଂ ମାତୃପ୍ରସାଦ ଦାସ ଯୁଗ୍ମ ଓଡ଼ିଶୀ ଗାୟନ ପରିବେଷଣ କରିଥିଲେ। ପରେପରେ ଅଗ୍ନିମିତ୍ର ବେହେରା, ଶ୍ରୀନିବାସ ଶତପଥୀ, ବିଶ୍ୱରଞ୍ଜନ ନନ୍ଦ, ବୈଭବ ଦାଶ ପ୍ରମୁଖ ବୃନ୍ଦ ଗାୟନ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ସମ୍ବନ୍ଧିତ ଖବର