ପପୁ ଜେନା ହତ୍ୟାକାଣ୍ଡ : ପୁରୀରୁ ପାରାଦୀପ ବୁଲୁଛି ପୁଲିସ

ଏଥର ଖସିପାରିବନି ବାପି

ଖଣ୍ଡଗିରି : ସରକନ୍ତରା ପପୁ ଜେନା ହତ୍ୟାକାଣ୍ଡର ୩ ଅଭିଯୁକ୍ତ ବାପି, ହାପି ଓ ଆଲୋକକୁ ଧରିବା ପାଇଁ କମିସନରେଟ୍‌ ପୁଲିସ ଟିମ୍‌ ବୁଲୁଛି। ଦୁଇ ଦିନ ହେଲା ପୁରୀରୁ ପାରାଦୀପ ଓ ଖୋର୍ଧାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ବୁଲି ବୁଲି ପୁଲିସ କେବଳ ଅନ୍ଧାରରେ ବାଡ଼ି ବୁଲାଇବା ସାର ହୋଇଛି। ସେହିଭଳି ଏକ ସ୍ବତନ୍ତ୍ର ଟିମ୍‌ ଝାରପଡ଼ା ଜେଲ୍‌ ରେକର୍ଡରୁ କିଛି ସୁରାକ୍ ପାଇବା ପାଇଁ ଲାଗି ପଡ଼ିଛନ୍ତି। ତେବେ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିଲେ ମଧ୍ୟ ପୁଲିସକୁ ସାମାନ୍ୟତମ ସଫଳତା ମିଳି ନାହିଁ।

ଗତ ମଙ୍ଗଳବାର ବାପି ଓ ପପୁ ପରସ୍ପରକୁ ଟକ୍କର୍‌ ଦେବା ପରେ ବାପି ବୁଧବାର ନିଜ ଜନ୍ମଦିନ ପାଳନ କରିବା ପାଇଁ ସାଙ୍ଗମାନଙ୍କୁ ଧରି ପୁରୀ ଯାଇଥିଲା। ସେହିଠାରେ ହିଁ ସେ ପପୁକୁ ରାସ୍ତାରୁ ହଟାଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଯୋଜନାନୁସାରେ ଗୁରୁବାର ପୁରୀରୁ ‌ଗାଁକୁ ଫେରି ସେ ସନ୍ଧ୍ୟାରେ ପପୁକୁ ଗୁଳି କରି ହତ୍ୟା କରିଥିଲା। ତେଣୁ ଫେରାର୍ ହେବା ପୂର୍ବରୁ ବାପି ପୁଣି ପୁରୀ ଯାଇଥିବା ଅନୁମାନ କରି ପୁଲିସ ସେହିଦିନ ରାତିରେ ପୁରୀରେ ଡେରା ପକାଇ ବିଫଳ ହୋଇଥିଲା। ସେହିଭଳି ବାପିର ଜେଲ୍‌ରେ ଥିବା ବେଳର କଏଦୀ ସହଯୋଗୀମାନଙ୍କ ତାଲିକା ଛାନ୍‌ଭିନ୍ କରି ପୁଲିସ ଟିମ୍‌ ପାରାଦୀପ, ଜଗତସିଂହପୁର, ଖୋର୍ଧା, ଚଣ୍ଡିଖୋଲ ଓ ଜଳେଶ୍ବର ଆଦି ବୁଲି ବୁଲି ନିରାଶ ହୋଇଥିବା ଜଣାପଡ଼ିଛି। ଖୋର୍ଧା ତାପଙ୍ଗ ଅଞ୍ଚଳରେ ଗ୍ରାନାଇଟ୍‌ ଖଣି ମାଫିଆଙ୍କ ଶରଣ ନେଇଥିବା ସନ୍ଦେହ କରି ପୁଲିସ ସେ ଅଞ୍ଚଳରେ ଚଢ଼ଉ କରିଥିବା ବେଳେ ବ୍ରାଉନ୍‌ସୁଗାର ବେପାରୀଙ୍କ ନିକଟରେ ଥିବା ଅନୁମାନ କରି ପୁଲିସ ଜଳେଶ୍ବର ପର୍ଯ୍ୟନ୍ତ ଯାଇ ଫେଲ୍ ମାରିଛି।

ଏଥର ଖସିପାରିବନି ବାପି
ସୋନୁ ପରିଜା ହତ୍ୟାକାଣ୍ଡରେ ବାପିକୁ ଜାମିନ୍ ମିଳି ଯାଇଥିଲା ଓ ମାମଲା ମଧ୍ୟ ହାଲୁକା ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏଥର ପପୁ ହତ୍ୟାକାଣ୍ଡରେ ବାପିକୁ ନିସ୍ତାର ମିଳିବ ନାହିଁ ବୋଲି କୁହାଯାଉଛି। ପ୍ରଥମତଃ ମୃତ ପପୁଙ୍କ ବାପା ଅଭିମନ୍ୟୁ ଗୁଳି ଖାଇ ସୌଭାଗ୍ୟକୁ ବଞ୍ଚି ଯାଇଛନ୍ତି। ତେଣୁ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ରହିଛି। ଦ୍ବିତୀୟ କଥା ହେଉଛି ଗାଁରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଭିଆଇବା ପରେ ବାପି ଉପରେ ଲୋକଙ୍କ ରାଗ ବହୁଗୁଣିତ ହୋଇଛି। ପପୁଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇ ଗାଁକୁ ଆସିବା ପରେ ଉତ୍ତ୍ୟକ୍ତ ଲୋକେ ବାପି ଘର ଉପରେ ଆକ୍ରମଣ କରିଥିଲେ। ପୁଲିସ ଉପସ୍ଥିତି ସତ୍ତ୍ବେ ବାପିର ଘର କବାଟ ଭାଙ୍ଗି ଏକ ବାଇକ୍‌ ସହ ବହୁ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ସେହିଭଳି କୋର୍ଟରେ ଗ୍ରାମବାସୀମାନେ ବଳିଷ୍ଠ ସାକ୍ଷୀ ଦେବେ ବୋଲି ଶପଥ ନେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର