ପେସାଦାର ଅପରାଧୀକୁ ପାସ୍‌ପୋର୍ଟ

ଗୋଟିଏ ଦିନରେ ଯାଞ୍ଚ ସାରି ରିପୋର୍ଟ ଦେଇଥିଲା ପୁଲିସ
ପାସ୍‌ପୋର୍ଟ ଧରି ବିଦେଶ ବୁଲିଥିଲା ଯୁବକ
ସନ୍ଦେହଘେରରେ ଚନ୍ଦ୍ରଶେଖରପୁର ଥାନା କର୍ମଚାରୀ

ଭୁବନେଶ୍ବର : ପେସାଦାର ଅପରାଧୀଙ୍କ ହାତରେ ପାସ୍‌ପୋର୍ଟ। ତାହା ପୁଣି ମାସେ ନୁହେଁ କି ୧୫ ଦିନ ନୁହେଁ, ଗୋଟିଏ ଦିନରେ ଯାଞ୍ଚ ଶେଷ କରି ଦେଇଥିଲା ପୁଲିସ। ମାଳ ମାଳ ଅପରାଧ ମାମଲା ଥାଇ ବି କୌଶଳକ୍ରମେ ପାସ୍‌ପୋର୍ଟ ହାତେଇ ନେଇଥିଲା ପେସାଦାର ଅପରାଧୀ। କେବଳ ପାସ୍‌ପୋର୍ଟ ହାତେଇ ନାହିଁ ଗତବର୍ଷ ବିଦେଶ ବୁଲି ମଧ୍ୟ ଫେରିଛି। ଏ ସବୁ ପଛରେ ପୁଲିସର କାରନାମା ରହିଥିବା ସନ୍ଦେହ ପରିସରକୁ ଆସିଛି। ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ଯୁବକର ପାସ୍‌ପୋର୍ଟ ବାତିଲ କରିବା ପାଇଁ ଡିସିପି ଅଫିସ ପକ୍ଷରୁ ସମ୍ପୃକ୍ତ ଥାନାକୁ ଚିଠି ଲେଖାଯାଇଛି। କେମିତି, କେଉଁ ପରିସ୍ଥିତିରେ ଯୁବକ ଜଣକ ପାସ୍‌ପୋର୍ଟ ହାତେଇଲା ତାହାକୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚା ଜୋର୍ ଧରିଛି। କେଉଁ କର୍ମଚାରୀ ପାସ୍‌ପୋର୍ଟ ଆବେଦନକୁ ଯାଞ୍ଚ କରିଥିଲେ, ତତ୍କାଳୀନ ଥାନାଧିକାରୀଙ୍କ ଭୂମିକା କ’ଣ ରହିଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅପରପକ୍ଷରେ ନିୟମାନୁସାରେ ଯେଉଁମାନଙ୍କ ନାମରେ ଅପରାଧ ମାମଲା ଥିବ ସେମାନେ କୋର୍ଟରୁ ଅନୁମତି ଆଣିବା ପରେ ପାସ୍‌ପୋର୍ଟ ଯାଞ୍ଚ ବେଳେ ଦେଖାଇବା କଥା। ମାତ୍ର ଏକ୍ଷେତ୍ରରେ ଏହି ଆଇନକୁ ମଧ୍ୟ ଅଣଦେଖା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଚଞ୍ଚକତାର ସହ ପାସ୍‌ପୋର୍ଟ ହାତେଇଥିବା ଯୁବକର ଘର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ। ତା ନାଁରେ ଏକାଧିକ ସଙ୍ଗିନ ଅପରାଧ ମାମଲା ରହିଛି। ୨୦୧୬ରେ ଖାରବେଳନଗର ଥାନରେ ସମ୍ପୃକ୍ତ ଯୁବକ ନାଁରେ ହତ୍ୟା ଉଦ୍ୟମ ଓ ଅସ୍ତ୍ରଶସ୍ତ୍ର ଆଇନ ଅନୁସାରେ ମାମଲା ରହିଛି। ସେହିପରି ଚନ୍ଦ୍ରଶେଖରପୁର ଥାନାରେ ୨ଟି, ଖଣ୍ଡଗିରି ଥାନାରେ ୨ଟି, ଇନ୍‌ଫୋସିଟିରେ ଗୋଟିଏ ଓ ମଞ୍ଚେଶ୍ବର ଥାନାରେ ଗୋଟିଏ ମାମଲା ରହିଛି। ଏକାଧିକ ସଙ୍ଗିନ ମାମଲା ରହିଥିବା ସତ୍ତ୍ବେ ସହଜରେ ମିଳି ଯାଇଛି ପାସ୍‌ପୋର୍ଟ। ୨୦୧୯ ଫେବ୍ରୁଆରି ୧୪ରେ ଯୁବକ ଜଣକ ପାସ୍‌ପୋର୍ଟ ଆବେଦନ କରିଥିଲା। ସେହିମାସ ୧୯ ତାରିଖରେ ଡିଆଇବି କାର୍ଯ୍ୟାଳୟରୁ ଯାଞ୍ଚ ଲାଗି ଚନ୍ଦ୍ରଶେଖରପୁର ଥାନାକୁ ପଠା ଯାଇଥିଲା। ମାତ୍ର ୨୪ ଘଣ୍ଟା ଭିତରେ ୨୦ ତାରିଖରେ ଯାଞ୍ଚ ଶେଷ ହୋଇ ପୁଣି ଡିଆଇବି କାର୍ଯ୍ୟାଳୟକୁ ଫେରି ଆସିଥିଲା କାଗଜପତ୍ର। କିନ୍ତୁ ଏତେଗୁଡ଼ିଏ ସଙ୍ଗିନ ଅପରାଧ ମାମଲା ଥିଲେ ବି କୌଣସି ମାମଲା ନ ଥିବା ଦର୍ଶାଇ ପୁଲିସ ଆବେଦନପତ୍ର ଫାଇଲକୁ ଡିଆଇବି କାର୍ଯ୍ୟାଳୟକୁ ପଠାଇ ଦେଇଥିଲା। ଯାଞ୍ଚ ଶେଷ ହେବା ପରେ ପାସ୍‌ପୋର୍ଟ ହାତେଇ ନେଇଥିଲା ଯୁବକ। ଗତବର୍ଷ ଯୁବକ ଜଣକ ବିଦେଶ ଯାତ୍ରା କରିଥିବା ମଧ୍ୟ ଜଣାପଡ଼ିଛି।

ଏଠାରେ ପ୍ରଶ୍ନ ଉଠୁଛି ଏତେଗୁଡ଼ିଏ ମାମଲା ଥାଇ ମଧ୍ୟ କେଉଁ ପରିସ୍ଥିତିରେ ପାସପୋର୍ଟ ହାତେଇ ଥିଲା ଯୁବକ, ପାସ୍‌ପୋର୍ଟ ଯାଞ୍ଚ ପାଇଁ ଲୋକଙ୍କୁ ଦିନ ଦିନ ଧରି ଅପେକ୍ଷା କରୁଥିବା ବେଳେ ଗୋଟିଏ ଦିନରେ କେମିତି ପାସ୍‌ପୋର୍ଟ ମିଳି ଯାଇଥିଲା। ଯେଉଁ କର୍ମଚାରୀ ଯାଞ୍ଚ କରିଥିଲେ ସେ କେମିତି ଅପରାଧ ମାମଲା ସମ୍ପର୍କରେ ଖବର ପାଇପାରି ନ ଥିଲେ, ସିସିଟିଏନଏସ୍ ପୋର୍ଟାଲରେ ଅପରାଧ ସମ୍ପର୍କିତ ମାମଲା ଉପଲବ୍ଧ ଥିବା ବେଳେ କେମିତି ଜାଣି ପାରି ନ ଥିଲେ ସମ୍ପୃକ୍ତ କର୍ମଚାରୀ, ଥାନାଧିକାରୀ ମଧ୍ୟ କେମିତି ଏହାକୁ ଦେଖି ପାରି ନ ଥିଲେ, ଗୋଟିଏ ଦିନରେ ଯାଞ୍ଚ ଶେଷ ହୋଇଥିବା ବେଳେ କେମିତି ଫାଇଲରେ ଦସ୍ତଖତ କରି ଦେଇଥିଲେ ଥାନାଧିକାରୀ ତାକୁ ନେଇ ଉଠିଛି ପ୍ରଶ୍ନ। ଏହି ଘଟଣାରେ ପାସ୍‌ପୋର୍ଟ ବାତିଲ ପାଇଁ ଡିଆଇବି କାର୍ଯ୍ୟାଳୟରୁ ଚିଠି ଲେଖା ଯାଇଥିବା ବେଳେ ତନାଘନା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର