କଳାତାଲିକାଭୁକ୍ତ ‘ପିପୁଲ୍ସ ଫର ଆନିମଲ’ ଉପରୁ ହଟିଲା କଟକଣା: ମିଥ୍ୟା ଅଭିଯୋଗ କରିଥିବା ଆଇଏଏସ୍‌ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

୧୫ ବର୍ଷ ଧରି ଚାଲିଲା ଚିଠିପତ୍ର ଦେଣନେଣ, ୧୨ ଦିନରେ ହଟିଗଲା କଟକଣା

ଭୁବନେଶ୍ବର: ଗତ ଏପ୍ରିଲ ୩୦ ତାରିଖରେ କଳା ତାଲିକା ଭୁକ୍ତ ହୋଇଥିବା ଜୀବନ ବଲ୍ଲଭ ଦାସ(ସମ୍ପାଦକ, ପିପୁଲ୍‌ସ ଫର ଆନିମଲ୍‌)ଙ୍କ ଉପରୁ କଟକଣା ଆଜି ପ୍ରତ୍ୟାହୃତ ହୋଇଛି। ୨୦୦୭ ମସିହାରୁ ତାଙ୍କ ନାମରେ ସରକାରୀ ଅଫିସରଙ୍କ ଦସ୍ତଖତ ନକଲ କରି ସରକାରୀ ଅର୍ଥ ହଡ଼ପ ଅଭିଯୋଗ ରହିଥିଲା। ତତ୍‌କାଳୀନ ବିଏମ୍‌ସି କମିସନଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ସଚିବଙ୍କ ପର୍ଯ୍ୟନ୍ତ ଅଭିଯୋଗକୁ ଆଧାର କରି ଥାନାରେ ଦୁଇଟି ମାମଲା ହୋଇଥିଲା। ୨୦୦୭ରୁ ୨୦୨୨ ପର୍ଯ୍ୟନ୍ତ ୧୫ ବର୍ଷ ଧରି ବିଭାଗୀୟ ଚିଠି ପତ୍ର ଦେଣ ନେଣ ହେବା ପ‌ରେ ଗତ ଏପ୍ରିଲ ୩୦ ତାରିଖରେ ପ୍ରାଣୀ ପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଏହି ସଂସ୍ଥାକୁ କଳାତାଲିକାଭୁକ୍ତ କରିବା ସହ କୌଣସି ପ୍ରକାରର ସରକାରୀ ଆର୍ଥିକ ସାହାଯ୍ୟ ନ ପାଇବାକୁ ଘୋଷଣା କରିଥିଲେ। କିନ୍ତୁ ୧୩ ଦିନ ଭିତରେ ବିଭାଗ କ’ଣ ଏମିତି ତଦନ୍ତ କଲା ଯେ, ତାଙ୍କୁ କଳାତାଲିକାରୁ ମୁକ୍ତ କଲା? ଏଭଳି ପ୍ରଶ୍ନ ଉଠାଇଛି ଭଲ୍ୟୁଣ୍ଟୟର୍ସ ଫର ସୋସିଆଲ ୱାର୍କସ ଆଣ୍ଡ ଲିଆସନିଂ(ଏଏସ୍‌ଡବ୍ଲ୍ୟୁଏଏଲ୍‌) ଓ ଆନିମଲ ୱେଲ୍‌ଫେୟାର ଟ୍ରଷ୍ଟ ଏକାମ୍ର(ଏଡବ୍ଲ୍ୟୁଟିଇ)। ଆଜି ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଏସ୍‌ଡବ୍ଲ୍ୟୁଏଏଲ୍‌ର ଯୁଗ୍ମ ସମ୍ପାଦକ ଶୁଭମ୍‌ ସ୍ବାଇଁ ଓ ଏଡବ୍ଲ୍ୟୁଟିଇର ମୁଖ୍ୟ ପୂରବୀ ପାତ୍ର ଏହି ପ୍ରଶ୍ନ କରିବା ସହ ସଂସ୍ଥା ଚାପ ପକାଇ କଳାତାଲିକାରୁ ନିଜକୁ ମୁକ୍ତ କରିଥିବା ଅଭିଯୋଗ କରିଛନ୍ତି।

ଉଭୟ ସଂସ୍ଥାର ଅଭିଯୋଗ ମୁତାବକ, ୨୦୦୭ ମସିହାରେ ସହର ସ୍ବାସ୍ଥ୍ୟ ଅଧିକାରୀଙ୍କ ଦସ୍ତଖତକୁ ନକଲ କରି ସଂସ୍ଥା କୁକୁରଙ୍କୁ ଟୀକାକରଣ କରାଯାଇଥିବା ସରକାରଙ୍କୁ ଦର୍ଶାଇଥିଲା। ଏଥିପାଇଁ ସରକାର ସହାୟତା ମଧ୍ୟ ପାଇଥିଲା। ଏହା ଅପରାଧ ହୋଇଥିବା ନେଇ ବିଏମ୍‌ସି ପକ୍ଷରୁ ଅଭିଯୋଗ ହେବା ପରେ ବଡ଼ଗଡ଼ ଥାନା ଓ ଖାରବେଳ ନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ରାଜ୍ୟ ସରକାରଙ୍କ ଭେଟେରିନାରି ନିର୍ଦେଶକ ୨୦୦୭ ମସିହାରୁ ଜୀବନଙ୍କ ନାମରେ ବଡ଼ଗଡ଼ ଓ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଥିବା କଥା ନିଜ ଚିଠିରେ ଉଲ୍ଲେଖ କରିଥିଲେ। ତତ୍କାଳୀନ ନିର୍ଦେଶକ ବିଷ୍ଣୁପଦ ସେଠୀ ଆନିମଲ ୱେଲଫେୟାର ଅଫ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ)କୁ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଏଡବ୍ଲ୍ୟୁବିଆଇ ସିବିଆଇରେ ଅଭିଯୋଗ କରିଥିଲା। ସିବିଆଇ ମଧ୍ୟ ଏକ ମାମଲା (ଆରସି ଏମ୍‌ଏ୧ ୨୦୦୭ (ଏ)୦୦୪୮ ସିବିଆଇ ଏସିବି ଚେନ୍ନାଇ) ରୁଜୁ କରି ତଦନ୍ତ କରୁଛି। ଥାନାରେ ଦୁଇଟି ମାମଲା ଓ ସିବିଆଇରେ ମାମଲାକୁ ଆଧାର କରି ରାଜ୍ୟ ପ୍ରାଣୀଧନ ମଙ୍ଗଳ ବୋର୍ଡ ବର୍ତ୍ତମାନର ସଦସ୍ୟ ସଚିବ ଡା. ୟେଦୁଲ୍ଲା ବିଜୟ ସଂସ୍ଥାକୁ କଳାତାଲିକାଭୁକ୍ତ କରିଥିଲେ।

ଏ ନେଇ ଶୁଭମ୍‌ ଓ ପୂରବୀ କହିଛନ୍ତି, କଳା ତାଲିକାରୁ ହଟିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ତତ୍କାଳୀନ ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ ଓ ବର୍ତ୍ତମାନର ନିର୍ଦ୍ଦେଶକ ୟେଦୁଲା ବିଜୟ ଦୁହେଁ ସଂସ୍ଥା ନାମରେ ମିଥ୍ୟା ଅଭିଯୋଗ କରିଥିଲେ। ୧୫ ବର୍ଷ ଧରି କେବଳ ମିଛିମିଛିକା ଚିଠିପତ୍ର ନେଣଦେଣ ହେଉଥିଲା। ଯଦି ମିଛ ମିଛଟାରେ ଜୀବନଙ୍କ ବିରୁଦ୍ଧରେ ଏତେ କାରବାର ହେଉଥିଲା ତେବେ ଦୁଇ ଆଇଏଏସ ଅଫିସରଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି? ଦୁଇଟି ଥାନାରେ ଥିବା ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପୁଲିସ କମିସନରଙ୍କୁ ଚିଠି ଲେଖିଥିବା ତତ୍‌କାଳୀନ ବିଏମ୍‌ସି କମିସନର ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବି କ’ଣ କାର୍ଯ୍ୟାନୁଷ୍ଠାନ ହେବ କି?
ଏ ନେଇ ଜୀବନ ବଲ୍ଲଭ ଦାସ କହିଛନ୍ତି, ସରକାରୀସ୍ତରରେ ଅଭିଯୋଗର ତଦନ୍ତ ହୋଇଥିଲା। ତଦନ୍ତ ପରେ କଳାତାଲିକାରୁ ସଂସ୍ଥାକୁ ହଟାଯାଇଛି। ଯେଉଁମାନେ ଏଭଳି ଅଭିଯୋଗ ଆଣୁଛନ୍ତି ଏ ସବୁ ଭିତ୍ତିହୀନ। ବହୁ ଦିନ ତଳେ କେତେକ ମୋତେ ବିରୋଧ କରୁଥିଲେ। ବଲାଙ୍ଗୀରରେ ଏକ ଜାଗାରେ ପଶୁ ବଳି ପଡ଼ିଥିଲା। ମନ୍ତ୍ରୀଙ୍କ ବିରୋଧରେ ମୁଁ ଏତଲା ଦେଇଥିଲି। ପରେ ମାମଲା ଉଗ୍ରରୂପ ନେଇଥିଲା। ସେବେ ଠାରୁ ମୋ ବିରୋଧରେ ଷଡ଼୍‌ଯନ୍ତ୍ର ହୋଇଥିଲା। ଜୀବଜନ୍ତୁମାନଙ୍କ ପାଇଁ କେହି କାମ କରିବାକୁ ନାହାନ୍ତି, ବରଂ ଯିଏ କଲା ତା ଗୋଡ଼ ଭିଡ଼ିବା ପାଇଁ ଏଭଳି କେତେ ସଂସ୍ଥା ରହିଛନ୍ତି।

ସମ୍ବନ୍ଧିତ ଖବର