ଚାଲ କରିବା ବଣଭୋଜି

ଶୀତୁଆ ପରଶ ପୁରୁଣା ବର୍ଷକୁ ବିଦାୟ ଦେବାକୁ ଇସାରା ଦେଲାଣି। ଭୋଜିଭାତରେ ନୂଆବର୍ଷକୁ ସ୍ବାଗତ ପାଇଁ ମନ ବଳିଲାଣି। ପ୍ରକୃତିର ପ୍ରାଚୁର୍ଯ୍ୟ ବି ହାତଠାରି ଡାକିଲାଣି। ଜଞ୍ଜାଳମୟ ସହରୀ ଜୀବନରୁ ବିରତି ନେଇ  ସାଙ୍ଗସାଥୀଙ୍କ ମେଳରେ ପ୍ରକୃତି କୋଳରେ ବିତେଇବାକୁ ଯୋଜନା ସରିଲାଣି।  ଏହି ଆକା˚କ୍ଷାକୁ ପୂରଣ କରିବାକୁ ରାଜଧାନୀ ବି ସଜେଇ ହୋଇଛି। ଡଟ୍‌ ଫେଷ୍ଟ୍‌ ଏବେ ମୁଖ୍ୟ ମନୋରଂଜନ ସ୍ଥଳୀ ପାଲଟିଥିବା ବେଳେ ୧୬ ତାରିଖ ପରେ ବଣଭୋଜି ଓ ପର୍ଯ୍ୟଟନ ସ୍ଥଳରେ ଭିଡ଼ ନେଇ ଯୋଜନା ହେଲାଣି। ବଟାନିକାଲ୍‌ ଗାର୍ଡେନ୍‌, ଜୟଦେବ ବାଟିକା, ଡେରାସ, ଧଉଳି ଓ ଶିଖରଚଣ୍ତୀ ଭଳି ବଣଭୋଜି ସ୍ଥାନୀୟ ପର୍ଯ୍ୟଟନ ସ୍ଥଳ ସର୍ବାଗ୍ରେ ପସନ୍ଦ ରହିଛି।

ଯମୁନା ନଈ କୂ‌ଳେ ଭୋଜି 

ଖଣ୍ତଗିରି ଓ ଉଦୟଗିରି ଭଳି ଯମଜ ପାହାଡ଼ର କୋଳ ଅତିକ୍ରମ କରି ଅଳ୍ପ କିଛି ବାଟ ବାମ ଆଡ଼କୁ ଗଲେ ପଡେ଼ ଜୟଦେବ ବାଟିକା। ୧୨୦ ଏକର ପରିମିତ ଅଞ୍ଚଳରେ ଥିବା ଏହି ବାଟିକାର ଘଞ୍ଚ ଜଙ୍ଗଲ ଏଠାକୁ ଡାକିଆଣେ। ଓଏଫ୍‌ଡିସି (ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ) ପକ୍ଷରୁ ଚଳିତ ବର୍ଷ ପ୍ରସ୍ତୁତ ହୋଇଛି ପରିକଳ୍ପିତ ଯମୁନା ନଈ। ଅର୍ଥାତ ଆଉ କେବଳ କୃତ୍ରିମ ଝରଣା କି କଳାମଞ୍ଚ ଆକର୍ଷଣ ସାଜିବନି। ବରଂ ଭୋଜି ସହ କଦମ୍ବ ବନ ପରିବେଷ୍ଟିତ ଏବଂ ଘାସ ଗାଲିଚା ଆଚ୍ଛାଦିତ ଯମୁନା ନଈ କୂଳରେ ସମୟ ବିତାଇବାର ସୁଯୋଗ ମିଳିବ। ଏଥିସହ ଜୟଦେବଙ୍କ ଗୀତ ଗୋବିନ୍ଦର କଥାବସ୍ତୁକୁ ନେଇ ନିର୍ମିତ ୧୨ଟି କଳାକୃତି ଲୋକଙ୍କୁ କିଛି ସମୟ ଅଟକିଯିବାକୁ ବାଧୢ କରିବ। ଦୀର୍ଘ ଲନ୍‌ ସମେତ ଏଠି ବଣଭୋଜି ପାଇଁ ୩୬ଟି ପିଣ୍ଡି ଏବଂ ୧୨୦ଟି ବଣଭୋଜି ସ୍ଥଳ ରହିଛି। ଏଥର କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ଅଧିକ ଦର ଦେବାକୁ ପଡ଼ିବ। ପିଣ୍ଡି ପାଇଁ ପୂର୍ବବର୍ଷ ୧୫ଶହ ଟଙ୍କା ଥିବା ବେଳେ ଏଥର ୧୮ଶହ ଟଙ୍କା ଏବଂ ବଣଭୋଜି ସ୍ଥଳ ପାଇଁ ୫୦୦ ଟଙ୍କା ଥିବା ବେଳେ ‌ଏଥର ୮୦୦ ଟଙ୍କା ରହିଛି। ଏଥିସହିତ ଭିତରକୁ ପ୍ରବେଶ ପାଇଁ ମୁଣ୍ତପିଛା ୨୫ ଟଙ୍କା ରଖାଯାଇଥିବା ବେଳେ ୧୨ବର୍ଷ ତଳକୁ ଶିଶୁଙ୍କ ପାଇଁ ଟିକେଟ୍‌ ଦର ୧୦ ଟଙ୍କା ରଖାଯାଇଛି ବୋଲି ଓଏଫ୍‌ଡିସିର ପର୍ଶୁରାମ ଜେନା କହିଛନ୍ତି। ଗତ ରବିବାର ଏଠାରେ ୩୭୩୧ ଜଣ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା।

୨୨ ଉଦ୍ୟାନର ସମ୍ଭାର: ବଣଭୋଜି ସ୍ଥଳ ମଧୢରେ ଅନ୍ୟତମ ଆକର୍ଷଣୀୟ ସ୍ଥାନ ନନ୍ଦନକାନନକୁ ସ˚ଲଗ୍ନ ଥିବା ବଟାନିକାଲ୍‌ ଗାର୍ଡେନ୍‌। ଏଠି ବଣଭୋଜି କଲେ ଅନେକ ଦୃଷ୍ଟିରୁ ଲାଭ। ପ୍ରଥମତଃ ନନ୍ଦନକାନନ ବୁଲା ହୋଇପାରିବ। ପୁଣି ପ୍ରଜାପତି ଉଦ୍ୟାନ, ଗୋଲାପ ଉଦ୍ୟାନ, ମରୁଭୂମି ଉଦ୍ୟାନ, ମୋଗଲ ଉଦ୍ୟାନ ଓ ଗ୍ଲାସ୍‌ ହାଉସ୍‌ ଆଦି ଦେଖିବାର ଅବସର ମିଳିବ। ଏହା ମଧୢକୁ ପ୍ରବେଶ ପାଇଁ ଦେୟ ୨୦ ଟଙ୍କା ରହିଥିବା ବେଳେ ୧୦୦ରୁ ଊର୍ଧ୍ବ ପିଣ୍ତି ରହିଛି। ବଡ଼ ପିଣ୍ତି ପାଇଁ ୫୫୦ ଟଙ୍କା, ସାନ ପାଇଁ ୩୫୦ ଟଙ୍କା, ସ୍ବତନ୍ତ୍ର ପିଣ୍ତି ୧୬୦୦ ଟଙ୍କା, ବଣଭୋଜି ସେଟ୍‌ ୧୩୦୦ ଟଙ୍କା ଏବ˚ ଆଇବି ପାଇଁ ଦର ରହିଛି ୨୬୦୦ ଟଙ୍କା।

ଧଉଳିରେ ଏଥର ୧୦ ପିଣ୍ଡି: ବଣଭୋଜି ପାଇଁ ଧଉଳିର ସ୍ଥାନ  ସ୍ବତନ୍ତ୍ର। ଧଉଳି ଶାନ୍ତିସ୍ତୂପ ବୁଲିବା ସହ ଅଶୋକ ସ୍ତମ୍ଭ ଓ ବୁଦ୍ଧ ପାର୍କ ମଧୢ ବୁଲି ମଜା ଉଠାଇ ହେବ। ଏଥିପାଇଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଅଶୋକ ସ୍ତମ୍ଭ ପାଖରେ ଗତବର୍ଷଠୁ ୬ଟି ପିଣ୍ତିର ନିର୍ମାଣ କରାଯାଇଥିବା ବେଳେ ଆଉ ୪ଟି ପିଣ୍ଡିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପିଣ୍ଡି ନିର୍ମାଣ ସହ ଶୌଚାଳୟ, ପାଣି ସୁବିଧା ପାଇଁ ମୋଟ୍‌ ୬ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ହୋଇଛି।

ପାହାଡ଼ କୋଳରେ ଅବସର: ଖଣ୍ତଗିରି ଏବଂ ଶିଖରଚଣ୍ତୀରେ ପାହାଡ଼ ଉପରେ ବଣଭୋଜି ପାଇଁ ଅନେକ ପସନ୍ଦ କରୁଛନ୍ତି। ଖଣ୍ଡଗିରି ପାହାଡ଼ ତଳେ ଜଙ୍ଗଲ ମଧ୍ୟରେ ଭୋଜି କରିବା ପାଇଁ ପିଣ୍ଡି ନଥିଲେ ହେଁ ଭୋଜି କରିବା ପାଇଁ ସମସ୍ୟା ନାହିଁ। କିନ୍ତୁ ପାଣି ପାଇଁ ସମସ୍ୟା ରହିଛି। ସେହିଭଳି ମା’ ଶିଖରଚଣ୍ତୀଙ୍କ ମନ୍ଦିର କାହିଁ କେଉଁ କାଳରୁ ରହିଥିବା ବେଳେ ବଣଜଙ୍ଗଲ ଘେରା ପାହାଡ଼ ମଧୢରେ ରୋଷେଇ କରିବା ପାଇଁ ୩୨ଟି ପିଣ୍ତି ରହିଛି। ଯେଉଁଠି ବଣଭୋଜି କରିବା ପାଇଁ ଉନ୍ନୟନ ଦେୟ ମାତ୍ର ୧୦୦ ଟଙ୍କା ଦେବାକୁ ପଡେ଼। ମାତ୍ର ମନ୍ଦିରକୁ ଲାଗି ରହିଥିବା ଏକ ହଲ୍‌ ପାଇଁ ୧୦୦୦ ଟଙ୍କା ଦେୟ ରହିଛି। ପାଣି ପାଇଁ ମଧୢ ପର୍ଯ୍ୟାପ୍ତ ସୁବିଧା ରହିଛି।

ଅନୁପମ ପ୍ରକୃତି

ଶାନ୍ତ ସ୍ନିଗ୍ଧ ଓ ପ୍ରକୃତିର ଅନୁପମ ବାତାବରଣ ଡେରାସ ବଣଭୋଜି ପାଇଁ ଉତ୍କୃଷ୍ଟ ସ୍ଥଳ। ଚନ୍ଦକା ଜାତୀୟ ଉଦ୍ୟାନ ମଧୢରେ ଥିବା ଡେରାସ ଡ୍ୟାମ୍‌ରେ ଜଳ ପ୍ରବାହ ସାଙ୍ଗକୁ ପକ୍ଷୀମାନଙ୍କ କଳରବ ନିଆରା ଅନୁଭବ ଦିଏ। ବରମୁଣ୍ତା ବସ୍‌ଷ୍ଟାଣ୍ତ୍‌ଠାରୁ ୨୦ କିଲୋମିଟର ଦୂରରେ ଥିବା ଏହି ସ୍ଥାନରେ ଭୋଜି ପାଇଁ ୧୯ଟି ପିଣ୍ତି ରହିଥିବା ବେଳେ ଜଣଙ୍କ ପିଛା ପ୍ରବେଶ ଶୁଳ୍କ ୪୦ ଟଙ୍କା ରଖାଯାଇଛି। ଛାତ୍ରଛାତ୍ରୀ କିମ୍ବା ଗୋଷ୍ଠୀ ଭାବେ ଭିତରକୁ ଗଲେ ମୁଣ୍ଡପିଛା ଶୁଳ୍କ କମ୍‌ କରାଯାଉଛି। ବାଉଁଶରେ ନିର୍ମିତ ଘର ମଧୢ ଏହା ମଧୢରେ ରହିଥିବା ବେଳେ ଦିନରେ ରହିବା ପାଇଁ ଏହି ରୁମ୍‌ ପିଛା ୫୦୦ ଟଙ୍କା ଦେବାକୁ ପଡେ଼।

ସମ୍ବନ୍ଧିତ ଖବର