ଧନୁଆ ଅବରୋଧ କରି ପ୍ଲଟିଂ ସ୍କିମ, ବନ୍ୟା ଆଶଙ୍କା, ଚିନ୍ତାରେ ଗ୍ରାମବାସୀ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ବାଲିଗୁଣ୍ଡିସ୍ଥିତ ଧନୁଆ ନଦୀକୂଳ ବ୍ରିଜ୍‌ ନିକଟ ଅଞ୍ଚଳରେ ପ୍ଲଟିଂ ସ୍କିମ ପାଇଁ ବିଲ୍‌ଡରମାନେ ହେକ୍ଟର ହେକ୍ଟର ଚାଷ ଜମିକୁ କବ୍‌ଜା କରିନେଲେଣି। ପୂରଣ ପଧାନ ପଞ୍ଚାୟତ ବ୍ରିଜ୍‌ ନିକଟରେ ମଧ୍ୟ ଏଭଳି ସମସ୍ୟା ଉପୁଜିବା ନେଇ ଅଭିଯୋଗ ହୋଇଛି। ବାଲିଅନ୍ତା ତହସିଲ୍‌ କାର୍ଯ୍ୟାଳୟରେ ଏସବୁ ଚାଷ ଜମିର କିସମ ବଦଳା ଯାଇ ସାରିଲାଣି। ଏବେ ବେଧଡ଼କ ଭାବେ ବେଆଇନ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବନ୍ୟା ସମୟରେ କୁଶଭଦ୍ରା ନଦୀଜଳ ବଇଁଚୁଆ କାଜ ଦେଇ ଧନୁଆରେ ପ୍ରବାହିତ ହୋଇଥାଏ। ହେଲେ ବର୍ତମାନ ଧନୁଆ ନଦୀ ସନ୍ନିକଟ ବ୍ରିଜ୍‌ ସମ୍ମୁଖ ଭାଗରେ କିଛି ବିଲ୍‌ଡର ପ୍ଲଟିଂ ସ୍କିମ ଆରମ୍ଭ କରିଛନ୍ତି। ଫଳରେ ଆଗାମୀ ଦିନରେ ବନ୍ୟା ଆଶଙ୍କା ଦେଖାଦେବା ସମ୍ଭାବନା ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟର ଉଦ୍‌ବେଗ ପ୍ରକାଶ ପାଇଛି। ବ୍ରିଜ୍‌ ସଂଲଗ୍ନ ଅଞ୍ଚଳ ଅବରୋଧ ହେବା ଦ୍ବାରା ବନ୍ୟାଜଳ ନିଷ୍କାସନରେ ସମସ୍ୟ‌ା ସୃଷ୍ଟି ହେବ। ଆଖପାଖର ଗ୍ରାମ ଜଳାର୍ଣ୍ଣବ ହେବା ନେଇ ବୁଦ୍ଧିଜୀବୀଙ୍କ ମହଲରେ ଚିନ୍ତାର କାରଣ ହୋଇଛି। ‘ଧନୁଆ ବଞ୍ଚାଅ’ ଅଭିଯାନର କର୍ମକର୍ତାମାନେ ବି ଏ ନେଇ ସ୍ବର ଉଠାଇଛନ୍ତି। ତେବେ ଏଠାରେ ସ୍ଥିତିବାନ ଚାଷ ଜମିର କିସମ ପରିବର୍ତ୍ତନ ପାଇଁ କିପରି ଅନୁମତି ମିଳିଲା, ସେନେଇ ପ୍ରଶ୍ନ ଉଠୁଛି। ବାଲିଅନ୍ତା ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଓ ବ୍ରାହ୍ମଣ ଷଡ଼ଙ୍ଗୀ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ କାର୍ଯ୍ୟରତ କିଛି ଅସାଧୁ ଅଧିକାରୀ ଓ ପଞ୍ଚାୟତ ପ୍ରତିନିଧି ଏଭଳି ବେଆଇନ କାର୍ଯ୍ୟରେ ସଂପୃକ୍ତ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଜଣେ ଅବସରପ୍ରାପ୍ତ ସବ୍‌ରେଜିଷ୍ଟ୍ରାରଙ୍କ କହିବାନୁଯାୟୀ ନଦୀପଠାକୁ ଲାଗିଥିବା ଜମିର କିସମ ପରିବର୍ତ୍ତନ କରିବା ସଂପୂର୍ଣ୍ଣ ବେଆଇନ। ଅନ୍ୟପକ୍ଷରେ ଏ ସଂପର୍କରେ ତହସିଲଦାର ରଶ୍ମିରେଖା ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରେ ସେ କହିଥିଲେ, ଅଭିଯୋଗ ପାଇ ସେ ବ୍ରାହ୍ମଣଷଡ଼ଙ୍ଗୀ ଆରଆଇଙ୍କୁ ସରଜମିନ୍‌ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର